Three-Day Nationwide Bank Strike Deferred: ବ୍ୟାଙ୍କ ଧର୍ମଘଟ ସ୍ଥଗିତ, ଶେଷ ମୁହୂର୍ତ୍ତରେ ବଦଳିଗଲା ନିଷ୍ପତ୍ତି!
ବ୍ୟାଙ୍କ ଗ୍ରାହକଙ୍କ ପାଇଁ ବଡ଼ ଆଶ୍ୱସ୍ତି। ସ୍ଥଗିତ ହେଲା ପ୍ରସ୍ତାବିତ ୩ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ। ଧର୍ମଘଟ ଆରମ୍ଭ ହେବାର ମାତ୍ର କିଛି ଘଣ୍ଟା ପୂର୍ବରୁ ୟୁନିଅନ୍ ଓ ବ୍ୟାଙ୍କ ଆସୋସିଏସନ୍ ମଧ୍ୟରେ ଆଲୋଚନା ପରେ ନିଆଯାଇଛି ଏହି ନିଷ୍ପତ୍ତି।
ରବିବାର ରାତି ସାଢ଼େ ୯ଟାରେ ଇଣ୍ଡିଆନ୍ ବ୍ୟାଙ୍କସ୍ ଆସୋସିଏସନ୍(IBA) ସହ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ(UFBU)ର ବୈଠକ ହୋଇଥିଲା। ବୈଠକରେ ସମସ୍ତ ଶନିବାର ବ୍ୟାଙ୍କ ଛୁଟି ଦାବି ଉପରେ ତୁରନ୍ତ ଏକ ଯୁଗ୍ମ କମିଟି ଗଠନ ପାଇଁ ସହମତି ହୋଇଛି।
ଏହି କମିଟି ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ‘ଫାଇଭ୍ ଡେ ବ୍ୟାଙ୍କିଂ’ ନେଇ ସମାଧାନର ବାଟ ଖୋଜିବ। ଏହାସହ ସ୍କେଲ୍-୪ ଓ ତା’ଠାରୁ ଉପର ପଦବୀର ଅଧିକାରୀଙ୍କ PLI ଯୋଜନାରେ ପରିବର୍ତ୍ତନ ନେଇ ମଧ୍ୟ ଆଲୋଚନା ହେବ।
Bank strike deferred after the meeting between the Indian Banks' Association (IBA) and the United Forum of Bank Unions (UFBU) tonight. pic.twitter.com/SPJUwp63p2
— ANI (@ANI) September 27, 2026
ବ୍ୟାଙ୍କ ୟୁନିଅନ୍ଗୁଡ଼ିକର ଅନ୍ୟାନ୍ୟ ବକେୟା ଦାବି ଉପରେ ମଧ୍ୟ ଆଲୋଚନା କରି ଶୀଘ୍ର ସମାଧାନ କରିବାକୁ ସହମତି ହୋଇଛି। ଏହି ସମସ୍ତ ନିଷ୍ପତ୍ତି ପରେ ପ୍ରସ୍ତାବିତ ଧର୍ମଘଟ ଓ ଆନ୍ଦୋଳନକୁ ଏବେ ପାଇଁ ସ୍ଥଗିତ ରଖିଛି UFBU।
ଏହି ଧର୍ମଘଟ ହୋଇଥିଲେ ପ୍ରାୟ ୮ ଲକ୍ଷ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସାମିଲ ହୋଇଥାନ୍ତେ। ଦେଶର ୧ ଲକ୍ଷ ୮୧ ହଜାରରୁ ଅଧିକ ବ୍ୟାଙ୍କ ଶାଖା ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ଥିଲା। ଧର୍ମଘଟ ସ୍ଥଗିତ ହେବାରୁ ଏବେ ଗ୍ରାହକମାନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।