Tiger Attacks Kill Two Farmers: ଚନ୍ଦ୍ରପୁରରେ ବାଘ ଆତଙ୍କ: ଗୋଟିଏ ଦିନରେ ୩ ଆକ୍ରମଣ, ୨ ଜଣ ମୃତ
ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ଆତଙ୍କ ସୃଷ୍ଟି କରିଛି ବାଘ।
ଶୁକ୍ରବାର ଜିଲ୍ଲାର ତିନୋଟି ଭିନ୍ନ ସ୍ଥାନରେ ବାଘ ଆକ୍ରମଣରେ ଦୁଇ ଜଣ ଚାଷୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗାଇ ଚରାଳି ଗୁରୁତର ଆହତ ହୋଇଛନ୍ତି।
ଚିମୁର, ସିନ୍ଦେୱାହି ଓ ପୋମ୍ଭୁର୍ଣ୍ଣା ତହସିଲରେ ଏହି ଘଟଣା ଘଟିଛି।
ଲଗାତାର ବାଘ ଆକ୍ରମଣ ଯୋଗୁଁ ଜଙ୍ଗଲକୁ ଲାଗିଥିବା ଗାଁଗୁଡ଼ିକରେ ଭୟର ବାତାବରଣ ଦେଖାଦେଇଛି।
Advertisment ପ୍ରଥମ ଘଟଣା ଚିମୁର ତହସିଲର ଗରଡାପାର ଗାଁରେ ଘଟିଛି।
୫୦ ବର୍ଷୀୟ କୃଷକ ସଦାଶିବ ଖଡସଙ୍ଗ ଶୁକ୍ରବାର ନିଜ ପତ୍ନୀ ଓ ଅନ୍ୟ ଜଣେ ମହିଳା ଶ୍ରମିକଙ୍କ ସହ ଜମିରେ କପା ତୋଳୁଥିଲେ।
ଦିନ ପ୍ରାୟ ୧ଟା ସମୟରେ ହଠାତ୍ ଏକ ବାଘ ତାଙ୍କ ଉପରେ ଆକ୍ରମଣ କରିଥିଲା।
ଏଥିରେ ଘଟଣାସ୍ଥଳରେ ହିଁ ସଦାଶିବଙ୍କ ମୃତ୍ୟୁ ହୋଇଥିଲା।
ଦ୍ୱିତୀୟ ଘଟଣା ସିନ୍ଦେୱାହି ତହସିଲର ଧୁମନଖେଡା ଅଞ୍ଚଳରେ ଘଟିଛି।
୬୦ ବର୍ଷୀୟ କୃଷକ ପତ୍ରୁ ରାମା ମେଶ୍ରାମ ଜମିକୁ ଯାଇଥିଲେ, କିନ୍ତୁ ସନ୍ଧ୍ୟା ସୁଦ୍ଧା ଘରକୁ ଫେରିନଥିଲେ।
ଏହା ପରେ ପରିବାର ଲୋକେ ଓ ଗ୍ରାମବାସୀ ତାଙ୍କୁ ଖୋଜାଖୋଜି କରିଥିଲେ।
ଖୋଜାଖୋଜି ବେଳେ ପଡ଼ିଆରୁ ତାଙ୍କ ଚପଲ ଓ ଚଷମା ମିଳିଥିଲା।
ପରେ ଘଟଣାସ୍ଥଳଠାରୁ ପ୍ରାୟ ଅଧା କିଲୋମିଟର ଦୂରରୁ ତାଙ୍କ ମୃତଦେହ ମିଳିଥିଲା।
ସେହି ଅଞ୍ଚଳରେ ଏକ ବାଘ ବୁଲୁଥିବା ଦେଖାଯାଇଥିବାରୁ ଏହି ବାଘ ଆକ୍ରମଣ କରିଥିବା ସନ୍ଦେହ କରାଯାଉଛି।
Advertisment ସିନ୍ଦେୱାହି ଅଞ୍ଚଳରେ ବାଘ ଆକ୍ରମଣ ଘଟଣା ଚିନ୍ତା ବଢ଼ାଇଛି।
ଗତ ୮ ଦିନ ମଧ୍ୟରେ ଏଠାରେ ବାଘ ଆକ୍ରମଣରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି।
ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ସହ ଅସନ୍ତୋଷ ମଧ୍ୟ ବଢ଼ିଛି।
ସେହିପରି ତୃତୀୟ ଘଟଣା ପୋମ୍ଭୁର୍ଣ୍ଣା ତହସିଲର ସାତାରା ତୁକୁମ୍ ଅଞ୍ଚଳରେ ଘଟିଛି।
୬୦ ବର୍ଷୀୟ ଗୋରୁ ଚରାଳି ରାଜେଶ୍ୱର ବିଜା ସିଡାମ୍ ଗୋରୁ ଚରାଇବାକୁ ଯାଇଥିବା ବେଳେ ଏକ ବାଘ ତାଙ୍କ ଉପରେ ଆକ୍ରମଣ କରିଥିଲା।
ଏଥିରେ ସେ ଗୁରୁତର ଆହତ ହୋଇଛନ୍ତି।
ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଲଗାତାର ଆକ୍ରମଣ ପରେ ପ୍ରଭାବିତ ଅଞ୍ଚଳରେ ବନ ବିଭାଗର ପାଟ୍ରୋଲିଂ ବଢ଼ାଇବା, ବାଘଙ୍କ ଗତିବିଧି ଉପରେ ନଜର ରଖିବା ଏବଂ ଗ୍ରାମବାସୀଙ୍କୁ ସମୟୋଚିତ ସତର୍କ ସୂଚନା ଦେବା ନେଇ ଦାବି ଉଠିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।