Tiger Shroff Suffers Minor Burn Injuries: ଗୁଳିର ବାରୁଦ ନିଆଁରେ ଟାଇଗର ଆହତ, ଘରେ ଯାଇ ଭେଟିଲେ ଉପମୁଖ୍ୟମନ୍ତ୍ରୀ
ବଲିଉଡ ଅଭିନେତା ଟାଇଗର ଶ୍ରଫଙ୍କ କାର ଉପରକୁ ଗୁଳିମାଡ଼ ପରେ ଆସିଲା ଟାଇଗରଙ୍କ ପ୍ରଥମ ଭିଡିଓ। ଟାଇଗରଙ୍କୁ ଘରେ ଯାଇ ସାକ୍ଷାତ କରିଛନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ଗୁଳିମାଡ଼ ପରେ ଏଥିରୁ ନିର୍ଗତ ବାରୁଦ ନିଆଁରେ ସାମାନ୍ୟ ଆହତ ହୋଇଛନ୍ତି ଟାଇଗର। ତେବେ ତାଙ୍କୁ ଗୁଳି ବାଜିନାହିଁ। ଟାଇଗରଙ୍କ ଡାହାଣ ହାତ ଓ ଛାତିରେ ସାମାନ୍ୟ ଆଘାତ ଲାଗିଛି। ଟାଇଗର ପୁରା ସୁରକ୍ଷିତ ଅଛନ୍ତି। ଟାଇଗରଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ଼ ହୋଇଥିଲା।
ଗୁଳିମାଡ଼ରେ ଟାଇଗରଙ୍କ କାର ଡ୍ରାଇଭରଙ୍କ ସହ ସେଠାରେ ଥିବା ଜଣେ ଅଟୋ ଡ୍ରାଇଭର ଆହତ ହୋଇଛନ୍ତି। ଘଟଣାରେ ଦୋଷୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ। ସେପଟେ ଦୁର୍ବୃତ୍ତ ବ୍ୟବହାର କରିଥିବା ବାଇକକୁ ଉଦ୍ଧାର କରିଛି ପୋଲିସ। ଏହି ବାଇକର ପ୍ରଥମ ମାଲିକଙ୍କୁ ପୋଲିସ ଡାକି ପଚରାଉଚରା କରିଛି। ତେବେ ବାଇକକୁ ବାରମ୍ବାର ବିକ୍ରି କରାଯାଇଛି। ବାଇକର ଦ୍ବିତୀୟ ଓ ତୃତୀୟ ମାଲିକଙ୍କୁ ବିକ୍ରି ପରେ ଦୁର୍ବୃତ୍ତ ଏହି ବାଇକ କିଣିଥିଲେ।
ବାଇକର ଦୁର୍ବୃତ୍ତଙ୍କ ନାମରେ ଟ୍ରାନ୍ସଫର ହୋଇନଥିବା ଜଣାପଡିଛି। ମାମଲାରେ ୧୫ଟି ଟିମ ଗଠନ କରି ପୋଲିସ ତନାଘନା ଚଳାଇଛି। ପଚରାଉଚରା ଲାଗି ଜଣେ ବ୍ୟକ୍ତିଙ୍କୁ ହେପାଜତକୁ ନେଇଛି ପୋଲିସ। ସେପଟେ ଟାଇଗରଙ୍କୁ ସ୍ବାସ୍ଥ୍ୟାବସ୍ଥା ବୁଝିବାକୁ ତାଙ୍କ ଘରେ ଆସି ପହଞ୍ଚିଛନ୍ତି ଅଭିନେତ୍ରୀ ଦିଶା ପାଟନି। ଟାଇଗରଙ୍କ ଭଉଣୀ କ୍ରିଷ୍ଣା ଶ୍ରଫ ମଧ୍ୟ ଘରେ ଆସି ପହଞ୍ଚିଛନ୍ତି। ମୁମ୍ବାଇର ଜୁହୁ ଅଞ୍ଚଳରେ ଟାଇଗର ଶ୍ରଫଙ୍କ ଉପରେ ହୋଇଥିଲା ଏହି ଗୁଳିମାଡ଼।
ଟାଇଗରଙ୍କୁ ଟାର୍ଗେଟ କରି ୩ ଜଣ ଦୁର୍ବୃତ୍ତ ଅତର୍କିତ ଗୁଳିଚାଳନା କରିଥିଲେ। ଏକ ଫୁଟବଲ ପଡ଼ିଆରୁ ଖେଳ ସାରି ଫେରିବାବେଳେ ଦୁର୍ବୃତ୍ତ ତାଙ୍କ ଗାଡ଼ି ଉପରକୁ ଗୁଳିମାଡ଼ କରିଥିଲେ। ଗୁଳିମାଡ଼ ଘଟଣାରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ହାତ ସନ୍ଦେହ କରାଯାଉଛି। ଏକ ଭାଇରାଲ୍ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ ଅନିଲ ପଣ୍ଡିତ ନାମକ ଜଣେ ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।