Trump waives Russia oil sanctions: ଟାରିଫ ଲଗାଇବେନି ଟ୍ରମ୍ପ, ଭାରତ ସମେତ ୫ ଦେଶକୁ ଆଶ୍ୱସ୍ତି
ରୁଷିଆଠାରୁ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କିଣୁଥିବା ଦେଶଗୁଡ଼ିକ ଉପରେ ପ୍ରସ୍ତାବିତ ଅତିରିକ୍ତ ଶୁଳ୍କ ଏବଂ କଟକଣାକୁ ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆମେରିକାର ଜାତୀୟ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ବେଳେ ଏହା ଭାରତ ଓ ଚୀନ୍ ଭଳି ପ୍ରମୁଖ ତେଲ ଆମଦାନୀକାରୀ ଦେଶଗୁଡ଼ିକ ପାଇଁ ଏକ ବଡ଼ ଆଶ୍ୱସ୍ତି ଆଣିଦେଇଛି।
ଗତ ସେପ୍ଟେମ୍ବର ୧୮ରେ ଟ୍ରମ୍ପ ‘ଲିଣ୍ଡସେ ଓ. ଗ୍ରାହାମ୍ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ୍ ଆକ୍ଟ, ୨୦୨୬’କୁ ଆଇନରେ ପରିଣତ କରିଥିଲେ। ୟୁକ୍ରେନ୍ ଯୁଦ୍ଧକୁ ନେଇ ରୁଷିଆ ଉପରେ ଆର୍ଥିକ ଚାପ ବଢ଼ାଇବା ଏହି ଆଇନର ମୂଳ ଲକ୍ଷ୍ୟ ଥିଲା। ଏହି ଆଇନ ଅନୁଯାୟୀ, ରୁଷିଆରୁ ତେଲ ଓ ଗ୍ୟାସ କିଣୁଥିବା ଶ୍ରେଷ୍ଠ ପାଞ୍ଚଟି ଦେଶର ଆମଦାନୀ ସାମଗ୍ରୀ ଉପରେ ୧୦୦ ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଇବାର ପ୍ରାବଧାନ ରହିଥିଲା। କିନ୍ତୁ ଅକ୍ଟୋବର ୧୬ରେ ଜାରି ଏକ ନୂତନ କାର୍ଯ୍ୟନିର୍ବାହୀ ଆଦେଶ ବଳରେ ଟ୍ରମ୍ପ ଏହି ଶୁଳ୍କ ଲାଗୁ କରିବାକୁ ସ୍ଥଗିତ ରଖିଛନ୍ତି।
ଭାରତ ପାଇଁ କାହିଁକି ଏହା ଗୁରୁତ୍ୱପୂର୍ଣ୍ଣ?
ଦେଶର ଶକ୍ତି ସୁରକ୍ଷା ଏବଂ ସାଧାରଣ ଜନତାଙ୍କୁ ସୁଲଭ ମୂଲ୍ୟରେ ଇନ୍ଧନ ଯୋଗାଇବା ପାଇଁ ଭାରତ ରୁଷିଆଠାରୁ ବହୁ ପରିମାଣରେ ଅଶୋଧିତ ତେଲ କିଣୁଛି। ପୂର୍ବରୁ ଆମେରିକା ଯଦି ଏହି ଅତିରିକ୍ତ ଶୁଳ୍କ ଲଗାଇଥା’ନ୍ତା, ତେବେ ତାହା ଭାରତ-ଆମେରିକା ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କକୁ ଗଭୀର ଭାବେ ପ୍ରଭାବିତ କରିଥା’ନ୍ତା। ତେବେ ଏହି ଛାଡ଼ ସ୍ଥାୟୀ ନୁହେଁ। ପରିସ୍ଥିତିକୁ ବିଚାର କରି ଆମେରିକା ପ୍ରଶାସନ ଆଗାମୀ ଦିନରେ ଏହି ନୀତିରେ ପରିବର୍ତ୍ତନ କରିପାରେ ବୋଲି ସ୍ପଷ୍ଟ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।