Trump's F-35 proposal for Turkey: ଆମେରିକା-ତୁର୍କୀ ସମ୍ପର୍କରେ ନୂଆ ମୋଡ଼, ଚିନ୍ତାରେ ଇସ୍ରାଏଲ୍-ଭାରତ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବଡ଼ ନିଷ୍ପତ୍ତି ଏବେ ବିଶ୍ୱ ରାଜନୀତିରେ ହଲଚଲ ସୃଷ୍ଟି କରିଛି । ତୁର୍କୀ ଉପରୁ ପ୍ରତିବନ୍ଧକ ହଟାଇବା ସହ ତାକୁ ବିଶ୍ୱର ସବୁଠାରୁ ଆଧୁନିକ 'F-35 ଷ୍ଟିଲଥ୍ ଫାଇଟର ଜେଟ୍' ବିକ୍ରି କରିବାକୁ ବିଚାର କରୁଛି ୱାଶିଂଟନ୍ । କିନ୍ତୁ ଟ୍ରମ୍ପଙ୍କ ଏହି ନିଷ୍ପତି ଇସ୍ରାଏଲ୍ର ଚିନ୍ତା ବଢ଼ାଇଥିବା ବେଳେ, ଭାରତ ପାଇଁ ମଧ୍ୟ ଏହା ଅଲଗା ସଙ୍କେତ ଦେଉଛି ।
୨୦୧୭ ରେ ଯେତେବେଳେ ତୁର୍କୀ ଔପଚାରିକ ଭାବେ ରୁଷିଆଠାରୁ 'S-400 ଏୟାର ଡିଫେନ୍ସ ସିଷ୍ଟମ୍' କିଣିଥିଲା, ସେତେବେଳେ ଆମେରିକା ତାକୁ F-35 ପ୍ରୋଗ୍ରାମରୁ ବାହାର କରିବା ସହ ୨୦୨୦ରେ କଡ଼ା କାଟସା ପ୍ରତିବନ୍ଧକ ଲଗାଇଥିଲା । ମାତ୍ର ସାତ ବର୍ଷ ପରେ ପରିସ୍ଥିତି ବଦଳିଛି । ହ୍ୱାଇଟ୍ ହାଉସକୁ ଫେରିବା ପରେ ରାଷ୍ଟ୍ରପତି ଟ୍ରମ୍ପ ତୁର୍କୀ ସହ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରିଛନ୍ତି ଏବଂ ଗତ ମଙ୍ଗଳବାର ଏହି ସମସ୍ତ ପ୍ରତିବନ୍ଧକ ହଟାଇ F-35 ଦେବାକୁ ଘୋଷଣା କରିଛନ୍ତି ।
ତେବେ ଆମେରିକାର ଏହି ନିଷ୍ପତ୍ତିକୁ ସବୁଠାରୁ ତୀବ୍ର ବିରୋଧ କରିଛି ଇସ୍ରାଏଲ୍ । ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ସିଧାସଳଖ ଚେତାବନୀ ଦେଇଛନ୍ତି ଯେ, ତୁର୍କୀ ଭଳି ଏକ କଠୋରପନ୍ଥୀ ଶାସନକୁ F-35 ଭଳି ପଞ୍ଚମ ପିଢ଼ିର ଗୁପ୍ତ ପ୍ରଯୁକ୍ତିବିଦ୍ୟା ମିଳିଲେ ମଧ୍ୟପ୍ରାଚ୍ୟରେ ସାମରିକ ସନ୍ତୁଳନ ବିଗିଡ଼ିଯିବ ଏବଂ ଏହା ଇସ୍ରାଏଲର ଆକାଶମାର୍ଗ ପ୍ରଭୁତ୍ୱ ପ୍ରତି ବଡ଼ ବିପଦ ସୃଷ୍ଟି କରିବ ।
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ତୁର୍କୀ F-35 ପାଇଲେ ସିଧାସଳଖ ନ ହେଲେ ବି ପରୋକ୍ଷରେ ଭାରତ ଉପରେ ଏହାର ପ୍ରଭାବ ପଡ଼ିପାରେ । ବିଗତ କିଛି ବର୍ଷ ହେବ ତୁର୍କୀ ଓ ପାକିସ୍ତାନ ମଧ୍ୟରେ ସାମରିକ ସମ୍ପର୍କ ବହୁତ ମଜବୁତ ହୋଇଛି । ପାକିସ୍ତାନ ତୁର୍କୀଠାରୁ ଡ୍ରୋନ୍ ଏବଂ ଯୁଦ୍ଧ ଜାହାଜ କିଣୁଛି । ଯଦି ଭବିଷ୍ୟତରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କୌଣସି ସଂଘର୍ଷ ହୁଏ, ତେବେ ତୁର୍କୀ ନିଜର F-35 ଯୁଦ୍ଧବିମାନ ଜରିଆରେ ପାକିସ୍ତାନକୁ ସାହାଯ୍ୟ କରିପାରେ ।
ଏହା ପୂର୍ବରୁ ୧୯୭୧ ମସିହା ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଜୋର୍ଡାନ, ପାକିସ୍ତାନକୁ ଆମେରିକା ନିର୍ମିତ F-104 ଷ୍ଟାରଫାଇଟର ଯୁଦ୍ଧବିମାନ ଉଧାର ଦେଇଥିଲା । ତେଣୁ ଭାରତୀୟ ପ୍ରତିରକ୍ଷା ରଣନୀତିକାରମାନେ ଏହି ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦେଇପାରିବେ ନାହିଁ ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।