UAEଠାରୁ ହାରିଲା ଭାରତ: ନିରାଶାଜନକ ପ୍ରଦର୍ଶନ ଜାରି
ନୂଆଦିଲ୍ଲୀ,୩୧।୧୦: ହଂକଂ ସିକ୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନ ଜାରି ରହିଛି। UAE ବିପକ୍ଷ ମ୍ୟାଚ୍ରେ ଭାରତ ୬ ଉଇକେଟ୍ରେ ପରାସ୍ତ ହୋଇଛି। ଏହା ସହିତ ଟୁର୍ନାମେଣ୍ଟରେ କ୍ରୁଣାଲ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ କ୍ରମାଗତ ଦ୍ୱିତୀୟ ପରାଜୟ ବରଣ କରିଛି। ପ୍ରଥମେ ବ୍ୟାଟିଂ କରି ଭାରତ ୬ ଓଭରରେ ୯୪ ରନ କରିଥିବା ବେଳେ UAE ମାତ୍ର ୪.୨ ଓଭର ଅର୍ଥାତ୍ ୨୬ ବଲ୍ରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା।
ଭାରତୀୟ ବ୍ୟାଟିଂ ବିଭାଗ ପୁଣିଥରେ ନିରାଶ କରିଥିଲା। ଦଳ ପକ୍ଷରୁ ଟି. ନଟରାଜନ ୧୪ଟି ବଲ୍ରୁ ୩୮ ରନ୍ର ଦମଦାର ଇନିଂସ ଖେଳିଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ଯୋଗୁଁ ଭାରତ ୯୪ ରନ୍ରେ ପହଞ୍ଚି ପାରିଥିଲା। ଅନ୍ୟପଟେ ନୀତିଶ ରାଣା, ରାହୁଲ ତେୱାତିଆ ଓ ଶଶାଙ୍କ ସିଂହଙ୍କ ଭଳି ଖେଳାଳି ସମ୍ପୂର୍ଣ୍ଣ ଫେଲ ମାରିଥିଲେ। ନୀତିଶ ମାତ୍ର ୬ ରନ କରିଥିବା ବେଳେ ରାହୁଲ ତେୱାତିଆ ଓ ଶଶାଙ୍କ ସିଂହ ମାତ୍ର ୧ ରନ ଲେଖାଏ କରି ଆଉଟ ହୋଇଥିଲେ। ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ମଧ୍ୟ ଏହି ଖେଳାଳିମାନେ ନିଜ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିପାରି ନଥିଲେ।
୯୫ ରନ୍ର ଲକ୍ଷ୍ୟକୁ ପିଛା କରି UAE ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଖେଳ ଦେଖାଇଥିଲା। ଖାଲିଦ ଶାହ ଟି. ନଟରାଜନଙ୍କ ପ୍ରଥମ ଓଭରରୁ ୨୫ ରନ ଆଦାୟ କରିଥିଲେ। ଦ୍ୱିତୀୟ ଓଭରରେ ଶଶାଙ୍କ ସିଂହ ବୋଲିଂ କରିବାକୁ ଆସିଥିଲେ। ତାଙ୍କ ପ୍ରଥମ ୩ଟି ବଲ୍ରେ ୨ଟି ଛକା ସହ ୧୬ ରନ ହୋଇଥିଲା। ତେବେ ଶଶାଙ୍କ ଶେଷ ୩ଟି ବଲ୍ରେ କୌଣସି ରନ ଦେଇ ନ ଥିଲେ। କିନ୍ତୁ ତୃତୀୟ ଓଭରରେ ନୀତିଶ ରାଣା ବୋଲିଂ କରିବାକୁ ଆସିବା ପରେ UAE ବ୍ୟାଟର୍ ପୁଣି ଆକ୍ରମଣ ଆରମ୍ଭ କରିଥିଲେ। ଏହି ଓଭରରେ ୨୪ ରନ ଖର୍ଚ୍ଚ ହୋଇଥିଲା। ଖାଲିଦ ଶାହ ଓ ଅଂଶ ଟଣ୍ଡନ ଭାରତୀୟ ବୋଲରଙ୍କୁ ନିର୍ଧୁମ ପ୍ରହାର କରିଥିଲେ। ଚତୁର୍ଥ ଓଭରରେ ନଟରାଜନଙ୍କ ଉପରେ ରନ ରୋକିବାର ଦାୟିତ୍ୱ ଥିଲା। କିନ୍ତୁ ସେ ନିଜ ଦ୍ୱିତୀୟ ଓଭରରେ ୧୯ ରନ ବ୍ୟୟ କରିଥିଲେ। ଏହାପରେ UAEର ବିଜୟ କେବଳ ଔପଚାରିକତା ହୋଇ ରହିଥିଲା।
ଭାରତୀୟ ଅଧିନାୟକ କ୍ରୁଣାଲ ପାଣ୍ଡ୍ୟାଙ୍କ ପାଇଁ ମଧ୍ୟ ଏହି ମ୍ୟାଚ ନିରାଶାଜନକ ରହିଥିଲା। ପୂର୍ବ ମ୍ୟାଚ୍ରେ ଗୋଟିଏ ଓଭରରେ ତାଙ୍କୁ ଲଗାତାର ୫ଟି ଛକା ମାଡ଼ ହୋଇଥିଲା। UAE ବିପକ୍ଷରେ ବୋଲିଂ କରିବାକୁ ଆସିବା ପରେ ଖାଲିଦ ଶାହ ତାଙ୍କ ପ୍ରଥମ ଦୁଇଟି ବଲ୍ରେ ଦୁଇଟି ଛକା ମାରିଥିଲେ।
ଏହି ଟୁର୍ନାମେଣ୍ଟରେ କ୍ରୁଣାଲ ଏପର୍ଯ୍ୟନ୍ତ ମୋଟ ୮ଟି ବଲ ବୋଲିଂ କରିଥିବାବେଳେ ୭ଟି ଛକା ଖାଇଛନ୍ତି। ତାଙ୍କ ବୋଲିଂ ଏବେ ଭାରତ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି। UAE ବିପକ୍ଷ ପରାଜୟ ପରେ ଗ୍ରୁପ-C ପଏଣ୍ଟ ଟେବୁଲ୍ରେ ଭାରତ ଶେଷ ସ୍ଥାନକୁ ଖସି ଆସିଛି। ଭାରତ ଏପର୍ଯ୍ୟନ୍ତ ଖେଳିଥିବା ଉଭୟ ମ୍ୟାଚ୍ରେ ପରାଜିତ ହୋଇଛି। ଅନ୍ୟପଟେ UAE ଉଭୟ ମ୍ୟାଚ ଜିତି ଶୀର୍ଷ ସ୍ଥାନରେ ରହିଛି। ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ଅଛି। ଲଗାତାର ଦୁଇଟି ପରାଜୟ ପରେ ଟୁର୍ନାମେଣ୍ଟରେ ଭାରତର ଆଗକୁ ବଢ଼ିବା ରାସ୍ତା କଷ୍ଟକର ହୋଇପଡ଼ିଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।