Uganda Kingdom: କିଏ ହେବେ ରାଜା ଚାଲିଥିବା ବିବାଦ ମଧ୍ୟରେ ରାଜଗାଦିରେ ବସିବେ ସାମ୍ବାଦିକ
ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଉଗାଣ୍ଡାରେ ଜଣେ ସାମ୍ବାଦିକ ରାଜା ହେବାକୁ ଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଯେଉଁ ବ୍ୟକ୍ତି ଗତକାଲି ପର୍ଯ୍ୟନ୍ତ ନ୍ୟୁଜ୍ ଚ୍ୟାନେଲରେ ବସି ଆଙ୍କରିଂ କରୁଥିଲେ, ଏବେ ସେହି ବ୍ୟକ୍ତି ଦେଶର ରାଜଗାଦିରେ ବସିବେ। ଆଫ୍ରିକୀୟ ଦେଶ ଉଗାଣ୍ଡାର ପାରମ୍ପରିକ ‘ତୋରୋ ରାଜ୍ୟ’ର ନୂତନ ରାଜା ଭାବେ ଟେଲିଭିଜନ ସାମ୍ବାଦିକ ଏଡୱାର୍ଡ ରୁକିଡି କିଜାନାଙ୍ଗୋମାଙ୍କ ଅଭିଷେକ ହେବାକୁ ଯାଉଛି। ୫୬ ବର୍ଷୀୟ କିଜାନାଙ୍ଗୋମା ଦୀର୍ଘ ସମୟ ଧରି ଉଗାଣ୍ଡାର ସରକାରୀ ପ୍ରସାରଣ ସଂସ୍ଥାରେ ନ୍ୟୁଜ୍ ଆଙ୍କର ଏବଂ ଏଡିଟର ଭାବେ କାର୍ଯ୍ୟ କରିଛନ୍ତି।
ରାଜ୍ୟର ପୂର୍ବତନ ରାଜା କିଙ୍ଗ ଓୟୋ ଗତ ଅଗଷ୍ଟ ମାସରେ ୩୪ ବର୍ଷ ବୟସରେ କର୍କଟ ରୋଗରେ ପ୍ରାଣ ହରାଇଥିଲେ। ଓୟୋ ମାତ୍ର ୩ ବର୍ଷ ବୟସରେ ରାଜା ହୋଇ ବିଶ୍ୱର ସବୁଠାରୁ କମ୍ ବୟସ୍କ ଶାସକ ଭାବେ ସେ ବେଶ ଚର୍ଚ୍ଚାରେ ଥିଲେ। ସାମ୍ବାଦିକ ଏଡୱାର୍ଡ ରୁକିଡି କିଜାନାଙ୍ଗୋମା ହେଉଛନ୍ତି ସ୍ବର୍ଗତ ରାଜା ଓୟୋଙ୍କର ସମ୍ପର୍କୀୟ ଭାଇ । ରାଜ ପରିବାରର ବରିଷ୍ଠ ସଦସ୍ୟ ଓ ପ୍ରତିନିଧିମାନେ ତାଙ୍କୁ ପରବର୍ତ୍ତୀ ରାଜା ଭାବେ ମନୋନୀତ କରିଛନ୍ତି। ଏହି ରାଜ ଅଭିଷେକକୁ ନେଇ କିଛି ବିବାଦ ମଧ୍ୟ ଦେଖାଦେଇଛି।
ସ୍ବର୍ଗତ ରାଜାଙ୍କ ମାତାଙ୍କ ଦାବି ଅନୁଯାୟୀ, ଓୟୋଙ୍କର ଏକ ଛୋଟ ପୁତ୍ର ସନ୍ତାନ ଅଛି, ଯିଏ ପ୍ରକୃତ ଉତ୍ତରାଧିକାରୀ। ମାତ୍ର ରାଜପ୍ରାସାଦର ମୁଖ୍ୟମାନେ ଏହାକୁ ପ୍ରତ୍ୟାଖ୍ୟାନ କରି ସାମ୍ବାଦିକ ପ୍ରିନ୍ସ ଏଡୱାର୍ଡଙ୍କୁ ରାଜା ଭାବେ ସ୍ୱୀକୃତି ଦେଇଛନ୍ତି।
ଉଗାଣ୍ଡାର ସମ୍ବିଧାନ ଅନୁଯାୟୀ ଏହି ପାରମ୍ପରିକ ରାଜାମାନଙ୍କ ପାଖରେ କୌଣସି ପ୍ରତ୍ୟକ୍ଷ ସାର୍ବଭୌମ ରାଜନୈତିକ କ୍ଷମତା ନଥାଏ, ମାତ୍ର ସେମାନେ ସାଂସ୍କୃତିକ ଓ ଆଞ୍ଚଳିକ ସ୍ତରରେ ଅତ୍ୟନ୍ତ ପ୍ରଭାବଶାଳୀ ଏବଂ ସମ୍ମାନଜନକ ପଦବିର ଅଧିକାରୀ ଥାଆନ୍ତି।
’ପ୍ରଗତି ୫୦’ରେ ବିକଶିତ ହେବ ଓଡ଼ିଶାର ଦୁଇ ସହର ପୁରୀ ଓ ଭୁବନେଶ୍ୱର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।