Ujjain mosque demolition: ମସଜିଦ ହଟାଇବାକୁ ନେଇ ଉଜ୍ଜୟିନୀରେ ତୁମୁଳ ଉତ୍ତେଜନା, ୨୫୦୦ରୁ ଅଧିକ ପୁଲିସ ମୁତୟନ
ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲାରେ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପ ଅଧୀନରେ ଶାହୀ ମସଜିଦର ଏକ ଅଂଶ ହଟାଇବାକୁ ନେଇ ଆଜି ଉତ୍ତେଜନା ସୃଷ୍ଟି ହୋଇଛି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇଥିଲେ। ପଥରମାଡ଼ କରିବାକୁ ଉଦ୍ୟମ ହୋଇଥିବା ମଧ୍ୟ ଜଣାପଡ଼ିଛି। ଭିଡ଼କୁ ହଟାଇବା ପାଇଁ ପୁଲିସ ଲୁହବୁହା ଗ୍ୟାସର ପ୍ରୟୋଗ କରିଥିଲା।
ସ୍ଥିତିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୁଲିସ ମୁତୟନ କରାଯାଇଛି। ଉଜ୍ଜୟିନୀ ଏସ୍ପି ପ୍ରଦୀପ ଶର୍ମା ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ସତର୍କତାମୂଳକ ପଦକ୍ଷେପ ଭାବେ ସାରା ସହରରେ ଆଲର୍ଟ ଜାରି କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ୨,୫୦୦ରୁ ଅଧିକ ପୁଲିସ କର୍ମଚାରୀ ଓ ଅଧିକାରୀଙ୍କୁ ମୁତୟନ କରାଯାଇଛି। ଏହା ସହ ରାପିଡ୍ ଆକ୍ସନ୍ ଫୋର୍ସ (RAF)ର ଟିମ୍କୁ ମଧ୍ୟ ମୁତୟନ କରାଯାଇଛି।
ପ୍ରଶାସନ ପକ୍ଷରୁ ମସଜିଦ ଚାରିପାଖରେ ପ୍ରାୟ ୫୦୦ ମିଟର ଅଞ୍ଚଳରେ ବ୍ୟାରିକେଡ୍ କରାଯାଇ ଯାତାୟାତ ଉପରେ କଟକଣା ଲଗାଯାଇଛି। ପ୍ରଦର୍ଶନକାରୀମାନେ ପୁଲିସ ଓ ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ। ଆଗକୁ ବଢ଼ିବାକୁ ପ୍ରଦର୍ଶନକାରୀମାନେ ଉଦ୍ୟମ କରିବା ସମୟରେ ପୁଲିସ ସହ ଧସ୍ତାଧସ୍ତି ଓ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା। ପୁଲିସ ଅନୁସାରେ, ଏହି ସମୟରେ ସୁରକ୍ଷାକର୍ମୀଙ୍କ ଉପରକୁ ପଥରମାଡ଼ କରିବାକୁ ମଧ୍ୟ ଉଦ୍ୟମ ହୋଇଥିଲା।
ରାସ୍ତା ପ୍ରଶସ୍ତୀକରଣକୁ ନେଇ ବିବାଦ
ଉଜ୍ଜୟିନୀରେ ହେବାକୁ ଥିବା ସିଂହସ୍ଥ କୁମ୍ଭର ପ୍ରସ୍ତୁତି ସହ ଜଡ଼ିତ ରାସ୍ତା ପ୍ରଶସ୍ତୀକରଣ ପ୍ରକଳ୍ପକୁ ନେଇ ଏହି ବିବାଦ ଦେଖାଦେଇଛି। ରାସ୍ତାକୁ ଚଉଡ଼ା କରିବା ପାଇଁ ଶାହୀ ମସଜିଦର ଏକ ଅଂଶ ହଟାଇବା ପ୍ରସ୍ତାବ ରହିଛି।
ରିପୋର୍ଟ ଅନୁସାରେ, ରାସ୍ତା ପ୍ରଶସ୍ତୀକରଣ ପାଇଁ ସମ୍ପ୍ରଦାୟର କିଛି ସଦସ୍ୟ ମସଜିଦର ଏକ ଅଂଶ ନିଜେ ହଟାଇଥିଲେ। ତେବେ ଏହି ପ୍ରକଳ୍ପକୁ ନେଇ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ମତଭେଦ ଦେଖାଦେଇଛି।
ପ୍ରସ୍ତାବିତ ପ୍ରକଳ୍ପ ଅନୁସାରେ ଖଜରାନା ବାଲା ମସଜିଦରୁ ଗଣେଶ ଚୌକ ପର୍ଯ୍ୟନ୍ତ ପ୍ରାୟ ୭୩୦ ମିଟର ଲମ୍ବା ରାସ୍ତାକୁ ପ୍ରଶସ୍ତ କରାଯିବ। ପ୍ରାୟ ୯.୮ କୋଟି ଟଙ୍କାର ଏହି ପ୍ରକଳ୍ପ ଯୋଗୁଁ ୨୭୨ଟି ନିର୍ମାଣ ପ୍ରଭାବିତ ହେବାର ସମ୍ଭାବନା ରହିଛି, ଯେଉଁଥିରେ ଧାର୍ମିକ ସ୍ଥଳ ମଧ୍ୟ ସାମିଲ ଅଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।