Unemployment: ଶିଳ୍ପ ଯେଉଁଠି, ବେକାରି ସେଇଠି: ଯାଜପୁରରେ ବେକାରି ହାର ସର୍ବାଧିକ, କେନ୍ଦୁଝରରେ ସର୍ବନିମ୍ନ
"ଭୁବନେଶ୍ବର: ବଡ଼ ବଡ଼ ପୁଞ୍ଜିନିବେଶ ଆଣି ଅଧିକରୁ ଅଧିକ ଶିଳ୍ପ ସ୍ଥାପନ କରିବାକୁ ରାଜ୍ୟ ସରକାର ଜୋର୍ଦାର ଉଦ୍ୟମ କରୁଛନ୍ତି।
ଶିଳ୍ପ ଆସିଲେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଓ ରାଜ୍ୟରୁ ବେକାରି ଦୂର ହୋଇଯିବ ବୋଲି ସ୍ବପ୍ନ ଦେଖାଉଛନ୍ତି।
କିନ୍ତୁ ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନ୍ଏସ୍ଓ)ର ଏକ ରିପୋର୍ଟ ଓଡ଼ିଶା ସମ୍ପର୍କରେ ଯେଉଁ ତଥ୍ୟ ଦେଇଛି, ତାହା ଭିନ୍ନ କିଛିକୁ ଇଙ୍ଗିତ କରୁଛି।
ଅର୍ଥାତ ଶିଳ୍ପ ହେଲେ ଯେ ବେକାରି କମିଯିବ, ତାହା ସମ୍ପୂର୍ଣ୍ଣ ସତ ନୁହେଁ।
ଶିଳ୍ପୋନ୍ନତ ଭାବେ ଗଣାହେଉଥିବା ପ୍ରମୁଖ ଜିଲ୍ଲା ଯାଜପୁରରେ ବେକାରି ହାର ରାଜ୍ୟରେ ସର୍ବାଧିକ ୫% ରହିଛି।
ଅପେକ୍ଷାକୃତ କମ୍ ଶିଳ୍ପ ଥିବା ଜିଲ୍ଲା କେନ୍ଦୁଝରରେ ବେକାରି ହାର ସର୍ବନିମ୍ନ ୧.୨% ରହିଛି। "ଶ୍ରମଶକ୍ତିରେ ଅଂଶଗ୍ରହଣ ହାର" (ଏଲ୍ଏଫ୍ପିଆର୍)ରେ ମଧ୍ୟ ଯାଜପୁରରେ ସର୍ବନିମ୍ନ ୫୦% ରହିଛି, ଯାହା ରାଜ୍ୟସ୍ତରୀୟ ହାର ୬୩.୨ ପ୍ରତିଶତଠାରୁ ଯଥେଷ୍ଟ କମ୍।
ଶ୍ରମିକ ଜନସଂଖ୍ୟା ଅନୁପାତ ହାର ମଧ୍ୟ ଯାଜପୁରରେ ୩୭.୫% ଭଳି ନିମ୍ନସ୍ତରରେ ରହିଛି, ଯାହା ରାଜ୍ୟସ୍ତରୀୟ ହାର ୬୧.୩%ଠାରୁ କମ୍।
Advertisment Dead: ନଦୀରେ ବୁଡ଼ି ନାବାଳକ ନିଖୋଜ ଘଟଣା; ୨୪ ଘଣ୍ଟା ପରେ ମୃତଦେହ ଉଦ୍ଧାର କେନ୍ଦ୍ର ସରକାର ପ୍ରଥମ ଥର ପାଇଁ ଜିଲ୍ଲାସ୍ତରୀୟ ବେକାରି ହାର ଜାରି କରିଛନ୍ତି।
ଏଥିପାଇଁ ବିଭିନ୍ନ ରାଜ୍ୟର ନିର୍ଦ୍ଦିଷ୍ଟ କିଛି ଜିଲ୍ଲାକୁ ଚୟନ କରାଯାଇଥିବାବେଳେ ଓଡ଼ିଶାର ୧୦ଟି ଜିଲ୍ଲାକୁ ବିଚାରକୁ ନିଆଯାଇଥିଲା।
ରିପୋର୍ଟରୁ ଜଣାପଡ଼ିଛି, ଓଡ଼ିଶାର ବେକାରି ହାର ୨.୯ ପ୍ରତିଶତ ରହିଛି।
କିନ୍ତୁ ଯାଜପୁର (୫%), ଗଞ୍ଜାମ (୪.୧%), ଖୋରଧା (୪.୧%), ସୁନ୍ଦରଗଡ଼ (୩.୬%), କଟକ (୩.୬%) ଓ ବାଲେଶ୍ବର (୩.୩%)ର ବେକାରି ହାର ରାଜ୍ୟସ୍ତରୀୟ ହାରଠାରୁ ଯଥେଷ୍ଟ ଅଧିକ ରହିଛି।
ଏହି ସମସ୍ତ ଜିଲ୍ଲାରେ ଯଥେଷ୍ଟ ପରିମାଣରେ ଶିଳ୍ପ କାରଖାନା ରହିଛି।
କିନ୍ତୁ ଅପେକ୍ଷାକୃତ କମ୍ ଶିଳ୍ପ ଥିବା ଜିଲ୍ଲା ଯଥା କେନ୍ଦୁଝର (୧%), ମୟୂରଭଞ୍ଜ (୧.୨%), ବଲାଙ୍ଗୀର (୧.୮%) ଓ କଳାହାଣ୍ଡି (୨%)ରେ ବେକାରି ହାର କମ୍ ରହିଛି।ଓଡ଼ିଶା ପାଇଁ ଅନ୍ୟତମ ଚିନ୍ତାର ବିଷୟ ହେଉଛି ଉଚ୍ଚ "ନିଟ୍" ହାର।
ଏହାର ଅର୍ଥ ହେଉଛି ଶିକ୍ଷା, ନିୟୋଜନ କିମ୍ବା ତାଲିମ ସହ ଜଡ଼ିତ ନଥିବା ଲୋକଙ୍କ ଭାଗ।
ବାଲେଶ୍ବରରେ ଏହି ହାର ସର୍ବାଧିକ ୪୧% ଥିବା ବେଳେ ଯାଜପୁରରେ ୩୭.୫% ଓ ଗଞ୍ଜାମରେ ୩୩.୬% ରହିଛି।
କେନ୍ଦୁଝରରେ ଏହି ହାର ସର୍ବନିମ୍ନ ୧୬.୮ ପ୍ରତିଶତ ରହିଛି।
ଅର୍ଥାତ କେନ୍ଦୁଝରରେ ଶ୍ରମଶକ୍ତିର ସର୍ବାଧିକ ସଂଖ୍ୟକ ଲୋକ କୌଣସି ନା କୌଣସି ଉପାୟରେ ରୋଜଗାର କରୁଛନ୍ତି।
ବଲାଙ୍ଗୀରରେ ନିଟ୍ ହାର ୧୭.୨%, ମୟୂରଭଞ୍ଜରେ ୧୮.୪%, କଳାହାଣ୍ଡିରେ ୧୮% ଓ ସୁନ୍ଦରଗଡ଼ରେ ୧୯% ରହିଛି।
ଅଧିକ ଆଦିବାସୀ ଜନବସତି ଥିବା ଓ ପଛୁଆ ଭାବେ ଗଣା ହେଉଥିବା ଜିଲ୍ଲାଗୁଡ଼ିକରେ ନିଟ୍ ହାର କମ୍ ରହିଛି।
ଶିଳ୍ପରେ ବାହାର ଲୋକଙ୍କୁ ଅଧିକ ଚାକିରି ମିଳୁଛି: ବିଶେଷଜ୍ଞ Gyanesh Kumar controversy: ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ବଦନାମ କରୁଛି କଂଗ୍ରେସ: ଯୋଗୀ ଆଦିତ୍ୟନାଥ କାମ ଖୋଜୁଥିବା ଲୋକଙ୍କୁ ମିଳିଥିବା ସୁଯୋଗ ମାପିବା ଲାଗି ବ୍ୟବହାର କରାଯାଉଥିବା "ଏଲ୍ଏଫ୍ପିଆର୍" କଳାହାଣ୍ଡିରେ ସର୍ବାଧିକ ୭୫.୭% ରହିଛି।
ମୟୂରଭଞ୍ଜରେ ଏହି ହାର ୭୪.୮%, କେନ୍ଦୁଝରରେ ୭୩.୭% ଓ ବଲାଙ୍ଗୀରରେ ୬୯.୪% ରହିଛି।
ସେହିପରି ଖୋର୍ଦ୍ଧା (୫୩.୨%), ଗଞ୍ଜାମ (୫୪.୬%) ଓ କଟକ (୫୭.୧%)ରେ ଏହି ହାର ରାଜ୍ୟସ୍ତରୀୟ ହାର ୬୩.୨%ଠାରୁ କମ୍ ରହିବା ଚିନ୍ତାର ବିଷୟ ହୋଇଛି।
ଶ୍ରମିକ ଜନସଂଖ୍ୟା ଅନୁପାତ (ଡବ୍ଲ୍ୟୁପିଆର୍) ମୟୂରଭଞ୍ଜରେ ସର୍ବାଧିକ ୭୩.୮%, କଳାହାଣ୍ଡିରେ ୭୪.୨%, କେନ୍ଦୁଝରରେ ୭୩% ଓ ସୁନ୍ଦରଗଡ଼ରେ ୬୮.୨% ରହିଛି, ଯାହା ରାଜ୍ୟସ୍ତରୀୟ ହାର ୬୧.୩%ଠାରୁ ଅଧିକ।
ଅର୍ଥାତ୍ ଏହି ଜିଲ୍ଲାଗୁଡ଼ିକ ଉନ୍ନତ ସ୍ଥିତିରେ ଅଛନ୍ତି।
କିନ୍ତୁ ଯାଜପୁରରେ ଏହି ହାର ସର୍ବନିମ୍ନ ୪୭.୫% ରହିଛି।
ଖୋର୍ଦ୍ଧାରେ ଏହି ହାର ୫୧%, ଗଞ୍ଜାମରେ ୫୨.୩%, କଟକରେ ୫୫% ଓ ବାଲେଶ୍ବରରେ ୬୧.୨% ରହିଛି।
ରିପୋର୍ଟ ସମ୍ପର୍କରେ ଅଜିମ ପ୍ରେମଜୀ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ପ୍ରଭାସ ମିଶ୍ର କହିଛନ୍ତି, ଶିଳ୍ପ କାରଖାନାରେ ସୃଷ୍ଟି ହେଉଥିବା ଚାକିରିରୁ ଅଧିକାଂଶ ବାହାରର ଲୋକଙ୍କୁ ମିଳୁଛି।
କିଛି ତଳିଆ ଚାକିରି ପାଇଁ ସ୍ଥାନୀୟ ଲୋକଙ୍କୁ ବିଚାରକୁ ନିଆଯାଉଛି।
ସେଥିପାଇଁ ଅଧିକ ଶିଳ୍ପ ଥିବା ଜିଲ୍ଲାରେ ବେକାରି ହାର ଅଧିକ ରହୁଛି।
ଅନ୍ୟ ଏକ ବଡ଼ କାରଣ ହେଉଛି ପ୍ରତି ୧ କୋଟି ଟଙ୍କା ନିବେଶରେ ଏବେ ମାତ୍ର ଗୋଟିଏ ଚାକିରି ସୃୃଷ୍ଟି ହେଉଛି।
କର୍ପୋରେଟ୍ ସଂସ୍ଥା ଓ କମ୍ପାନିଗୁଡ଼ିକ ଅଧିକରୁ ଅଧିକ କାମ ମେସିନ୍ ଜରିଆରେ କରିବାକୁ ପସନ୍ଦ କରୁଛନ୍ତି।
ଅଧିକ ନିଯୁକ୍ତି ଦେଲେ ଆର୍ଥିକ ଭାର ଅଧିକ ରହିବା ଓ ଶ୍ରମିକ ଅଶାନ୍ତି ଭଳି ସମସ୍ୟା ସାମନା କରିବାର ଆଶଙ୍କା ଥିବାରୁ ସେମାନେ ଅଟୋମେସନ୍ ଉପରେ ଅଧିକ ଧ୍ୟାନ ଦେଉଛନ୍ତି।
ସେଥିପାଇଁ ଶିଳ୍ପୋନ୍ନତ ଜିଲ୍ଲାଗୁଡ଼ିକରେ ସ୍ଥାନୀୟ ଲୋକଙ୍କ ପାଇଁ ସୃଷ୍ଟି ହେଉଥିବା ନିଯୁକ୍ତି ସୁଯୋଗ ସେମାନଙ୍କୁ ମିଳିପାରୁନାହିଁ ବୋଲି ସେ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।