Unsafe Classrooms Spark Protest: ସ୍କୁଲ ଗେଟରେ ତାଲା, ବାହାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ

Aug 22, 2026 - 15:07
Unsafe Classrooms Spark Protest: ସ୍କୁଲ ଗେଟରେ ତାଲା, ବାହାରେ ବସି ପାଠ ପଢ଼ିଲେ ଛାତ୍ରଛାତ୍ରୀ

ସ୍କୁଲର ଭିତ୍ତିଭୂମି ଓ ଶିକ୍ଷକ ସମସ୍ୟାକୁ ନେଇ ଅଭିଭାବକଙ୍କ ଅସନ୍ତୋଷ ତୀବ୍ର ହୋଇଛି। ଏହାର ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇଛନ୍ତି ଅଭିଭାବକ। ଫଳରେ ବିଦ୍ୟାଳୟ ବାହାରେ ବସି ପାଠ ପଢ଼ିଛନ୍ତି ଛାତ୍ରଛାତ୍ରୀ। ଏପରିକି ବାହାରେ ହିଁ ମଧ୍ୟାହ୍ନ ଭୋଜନ ଖାଉଥିବା ଦେଖିବାକୁ ମିଳିଛି।

ଘଟଣାଟି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଅନ୍ତର୍ଗତ ସର୍ବେଜାଲ ସରକାରୀ ପ୍ରାଥମିକ ବିଦ୍ୟାଳୟର। ଏହି ବିଦ୍ୟାଳୟରେ ଶିଶୁ ବାଟିକାଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ହେଉଛି। ମୋଟ ୨୩ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ମାତ୍ର ୨ ଜଣ ଶିକ୍ଷକ ରହିଛନ୍ତି।

ଅନ୍ୟପଟେ ବିଦ୍ୟାଳୟର ଶ୍ରେଣୀଗୃହ ମଧ୍ୟ ବିପଦସଙ୍କୁଳ ଅବସ୍ଥାରେ ଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଏବଂ ପାଠପଢ଼ାକୁ ନେଇ ଚିନ୍ତିତ ଅଭିଭାବକମାନେ ଏହି ସମସ୍ୟାର ସମାଧାନ ଦାବି କରି ସ୍କୁଲ ଗେଟରେ ତାଲା ପକାଇଛନ୍ତି।

ଗେଟରେ ତାଲା ପଡ଼ିବା ପରେ ସ୍କୁଲ ପରିସର ବାହାରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ ପଡ଼ିଛି। ଏପରିକି ମଧ୍ୟାହ୍ନ ଭୋଜନ ମଧ୍ୟ ବାହାରେ ଖାଇଛନ୍ତି ଛାତ୍ରଛାତ୍ରୀ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ବିଦ୍ୟାଳୟର ଭିତ୍ତିଭୂମି ଓ ଶିକ୍ଷକ ଅଭାବକୁ ନେଇ ପ୍ରଶ୍ନ ଉଠାଇଛି।

ଅଭିଭାବକଙ୍କ ଦାବି ଓ ଅଭିଯୋଗ ଉପରେ ଶିକ୍ଷା ବିଭାଗ କି ପଦକ୍ଷେପ ନେଉଛି ଏବଂ ବିଦ୍ୟାଳୟର ସମସ୍ୟା କେବେ ସମାଧାନ ହେଉଛି, ଏବେ ତାହା ଉପରେ ନଜର ରହିଛି।

ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ
ବାହାରେ ବସି ପାଠ ପଢୁଛନ୍ତି ଛାତ୍ରଛାତ୍ରୀ
ଜମନକିରା ବ୍ଲକ ସର୍ବେଜାଲ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ତାଲା
ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ଶ୍ରେଣୀ ଗୃହ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।