UPI MDR Rollout May Be Delayed: ଅକ୍ଟୋବର ୧୫ରୁ ୟୁପିଆଇ ଏମଡିଆର ଲାଗୁ ହେବ ତ? ବ୍ୟବସାୟୀଙ୍କ ବଡ଼ ଦାବି
ଅକ୍ଟୋବର ୧୫ରୁ UPI ଉପରେ MDR ଲାଗୁ ହେବା ନିଷ୍ପତ୍ତି ଘୁଞ୍ଚିପାରେ। ପାର୍ବଣ ଋତୁ ଶେଷ ହେବା ପରେ କିମ୍ବା ଆସନ୍ତା ବର୍ଷ ଆରମ୍ଭରୁ ନୂଆ ନିୟମ ଲାଗୁ କରିବାକୁ ବ୍ୟବସାୟୀ ସଂଗଠନଗୁଡ଼ିକ ପ୍ରସ୍ତାବ ଦେଇଛନ୍ତି।
NPCI ନିକଟରେ ଦାବି ରଖିଲେ ବ୍ୟବସାୟୀ ସଂଗଠନ। ତେବେ ଏନେଇ NPCI ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନେଇନାହିଁ। ସମସ୍ତ ଅଂଶୀଦାରଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି ନିଆଯିବ।
କ’ଣ ରହିଛି ନୂଆ ନିୟମ?
୨ ହଜାର ଟଙ୍କାରୁ ଅଧିକ କିଛି ବ୍ୟବସାୟିକ UPI ପେମେଣ୍ଟ ଉପରେ MDR ଲାଗୁ ହେବାର ପ୍ରସ୍ତାବ ରହିଛି।
୨ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟରେ କୌଣସି MDR ନାହିଁ।
୨ ହଜାର ଟଙ୍କାରୁ ଅଧିକ ବଡ଼ ବ୍ୟବସାୟୀ ପେମେଣ୍ଟରେ ୦.୪ ପ୍ରତିଶତ MDR ଲାଗିବ।
ଏହି ଶୁଳ୍କର ସର୍ବାଧିକ ସୀମା ୩୦୦ ଟଙ୍କା ରହିବ।
ରେଳ, ଟେଲିକମ୍, ବୀମା ଏବଂ ଇନ୍ଧନ ଭଳି କିଛି କ୍ଷେତ୍ରରେ ୨ ହଜାର ଟଙ୍କାରୁ ଅଧିକ UPI ପେମେଣ୍ଟ ପାଇଁ ୫ ଟଙ୍କା ଫ୍ଲାଟ MDR ରହିବ।
ମ୍ୟୁଚୁଆଲ୍ ଫଣ୍ଡ୍, ସେୟାର ବ୍ରୋକର୍ ଏବଂ ଅନ୍ୟ ପୁଞ୍ଜି ବଜାର ସମ୍ପର୍କିତ ପେମେଣ୍ଟରେ ୦.୦୨ ପ୍ରତିଶତ MDR, ସର୍ବାଧିକ ୩୦୦ ଟଙ୍କା ପର୍ଯ୍ୟନ୍ତ ରହିବ।
ସାଧାରଣ ଲୋକଙ୍କ ଉପରେ ପ୍ରଭାବ?
ନୂଆ ବ୍ୟବସ୍ଥାରେ ସାଧାରଣ ଗ୍ରାହକଙ୍କ UPI ବ୍ୟବହାର ଉପରେ ବଡ଼ ପ୍ରଭାବ ପଡ଼ିବ ନାହିଁ। ପ୍ରାୟ ୯୫ ପ୍ରତିଶତରୁ ଅଧିକ UPI ବ୍ୟବସାୟିକ କାରବାର MDR ବାହାରେ ରହିବ। ଛୋଟ ବ୍ୟବସାୟୀଙ୍କ ପାଇଁ ମଧ୍ୟ ଶୂନ୍ୟ MDR ବ୍ୟବସ୍ଥା ଜାରି ରହିବ। ବ୍ୟକ୍ତିଗତ ଗ୍ରାହକଙ୍କ ପାଇଁ ମଧ୍ୟ ପ୍ରତିମାସ UPI ବ୍ୟବହାରର କୌଣସି ସୀମା ଧାର୍ଯ୍ୟ କରାଯାଇନାହିଁ।
ଗ୍ରାହକଙ୍କଠାରୁ ଅତିରିକ୍ତ ଟଙ୍କା ନେଇପାରିବେ ନାହିଁ
MDR ଲାଗୁ ହେଉଥିବା କାରବାରର ଖର୍ଚ୍ଚ ବ୍ୟବସାୟୀମାନେ ଗ୍ରାହକଙ୍କ ଉପରେ ଅତିରିକ୍ତ ଭାବେ ଲଦିପାରିବେ ନାହିଁ। ଏନେଇ ବ୍ୟାଙ୍କଗୁଡ଼ିକୁ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ନୂଆ MDRରୁ ଆସୁଥିବା ରାଜସ୍ୱର ୫ ପ୍ରତିଶତ ଏକ ସ୍ୱତନ୍ତ୍ର ଫଣ୍ଡ୍କୁ ଯିବ, ଯାହା ଛୋଟ ବ୍ୟବସାୟୀଙ୍କ ମଧ୍ୟରେ UPI ବ୍ୟବହାର ବଢ଼ାଇବାରେ ଖର୍ଚ୍ଚ ହେବ।
ଅକ୍ଟୋବର ୧୫ରୁ ନୂଆ UPI MDR ନିୟମ ଲାଗୁ ହେବ କି ନାହିଁ, ଏନେଇ ଏବେ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ବ୍ୟବସାୟୀ ସଂଗଠନଗୁଡ଼ିକ ପାର୍ବଣ ପରେ ନିୟମ ଲାଗୁ କରିବାକୁ ଦାବି କରିଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।