UPI Payment Will Not Be Accepted: ୟୁପିଆଇ ଫି ନେଇ ଅସନ୍ତୋଷ, ଗ୍ରାହକଙ୍କୁ ନଗଦ ରଖିବାକୁ କହିଲେ ବ୍ୟବସାୟୀ
ୟୁପିଆଇ ପେମେଣ୍ଟକୁ ନେଇ ଘାଜିଆବାଦରେ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଛି। ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ କିଛି ୟୁପିଆଇ କାରବାରରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍(ଏମ୍ଡିଆର୍) ଲାଗୁ ହେବା ପ୍ରସ୍ତାବକୁ ବିରୋଧ କରି ଅନେକ ବ୍ୟବସାୟୀ ଦୋକାନ ବାହାରେ ‘ୟୁପିଆଇ ପେମେଣ୍ଟ ନିଆଯିବ ନାହିଁ’ ବୋଲି ନୋଟିସ୍ ଲଗାଇଛନ୍ତି।
ପ୍ରସ୍ତାବିତ ବ୍ୟବସ୍ଥା ଅନୁସାରେ, ୨ ହଜାର ଟଙ୍କାରୁ ଅଧିକ ନିର୍ଦ୍ଦିଷ୍ଟ ଦୋକାନୀ-ଗ୍ରାହକ ୟୁପିଆଇ କାରବାରରେ ୦.୪ ପ୍ରତିଶତ ଏମ୍ଡିଆର୍ ଲାଗୁ ହେବ। ଏହି ଶୁଳ୍କ ଗ୍ରାହକ ନୁହେଁ, ବ୍ୟବସାୟୀଙ୍କ ଠାରୁ ନିଆଯିବ। ତେବେ ଅତିରିକ୍ତ ଖର୍ଚ୍ଚର ଭାର ଶେଷରେ ଗ୍ରାହକଙ୍କ ଉପରେ ପଡ଼ିପାରେ ବୋଲି ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି।
ଏଥିପାଇଁ ଅକ୍ଟୋବର ୧୫ରୁ ୨ ହଜାର ଟଙ୍କାରୁ ଅଧିକ କିଣାକିଣି କରିବା ବେଳେ ଗ୍ରାହକଙ୍କୁ ନଗଦ ଟଙ୍କା ରଖିବାକୁ କିଛି ବ୍ୟବସାୟୀ ପରାମର୍ଶ ଦେଉଛନ୍ତି।
ତେବେ ଛୋଟ ମୂଲ୍ୟର ଅଧିକାଂଶ ୟୁପିଆଇ କାରବାର ଏହି ଶୁଳ୍କର ବାହାରେ ରହିବ। ୨ ହଜାର ଟଙ୍କା ପର୍ଯ୍ୟନ୍ତ ଦୋକାନୀଙ୍କୁ କରାଯାଉଥିବା ୟୁପିଆଇ ପେମେଣ୍ଟରେ ଏମ୍ଡିଆର୍ ଶୂନ ରହିବ। ଏନ୍ପିସିଆଇ ତଥ୍ୟ ଅନୁସାରେ, ଅଗଷ୍ଟରେ ପ୍ରାୟ ୮୬ ପ୍ରତିଶତ ପି୨ଏମ୍ ୟୁପିଆଇ କାରବାର ୫୦୦ ଟଙ୍କାରୁ କମ୍ ଥିଲା।
ସରକାରଙ୍କ ଉଦ୍ଦେଶ୍ୟ ହେଉଛି, ବ୍ୟବସାୟୀମାନେ ଏହି ଶୁଳ୍କକୁ ଗ୍ରାହକଙ୍କ ଉପରେ ଅଲଗା ‘ୟୁପିଆଇ ଚାର୍ଜ’ ଭାବେ ଲାଗୁ ନକରନ୍ତୁ। ଅନ୍ୟପକ୍ଷରେ, ୭୫ ହଜାର ଟଙ୍କା କିମ୍ବା ତା’ଠାରୁ ଅଧିକ କାରବାରରେ ଏମ୍ଡିଆର୍ ସର୍ବାଧିକ ୩୦୦ ଟଙ୍କାରେ ସୀମିତ ରହିବ। ବ୍ୟକ୍ତିରୁ ବ୍ୟକ୍ତି ୟୁପିଆଇ ପେମେଣ୍ଟ ମଧ୍ୟ ମାଗଣା ରହିବ।
ଏବେ ଘାଜିଆବାଦର ବ୍ୟବସାୟୀଙ୍କ ନୋଟିସ୍ ପରେ ବଡ଼ ପ୍ରଶ୍ନ ହେଉଛି—ଅଧିକ ମୂଲ୍ୟର କିଣାକିଣିରେ ଗ୍ରାହକମାନେ ପୁଣି ନଗଦ ଟଙ୍କା ଆଡ଼କୁ ଫେରିବେ କି? ତେବେ ରୁପେ ଡେବିଟ୍ କାର୍ଡ ପେମେଣ୍ଟ ରାଶି ନିର୍ବିଶେଷରେ ମାଗଣା ରହିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।