UPI ୟୁଜର୍ସଙ୍କ ପାଇଁ ବଡ଼ ଖବର: ୨୦୦୦ରୁ ଅଧିକ ପେମେଣ୍ଟରେ ଲାଗିବ ଚାର୍ଜ? ସ୍ପଷ୍ଟ କଲେ ସରକାର, ଜାଣନ୍ତୁ…
ନୂଆଦିଲ୍ଲୀ,୧୫।୯: UPI ପେମେଣ୍ଟ ଉପରେ ୦.୫ ପ୍ରତିଶତ ଟ୍ୟାକ୍ସ କିମ୍ବା ଚାର୍ଜ ଲାଗିବାକୁ ନେଇ ଚର୍ଚ୍ଚା ମଧ୍ୟରେ ବଡ଼ ସ୍ପଷ୍ଟତା ଆସିଛି। ୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ କଲେ ସରକାର ୦.୫ ପ୍ରତିଶତ ଟ୍ୟାକ୍ସ ନେବ ବୋଲି ହେଉଥିବା ଦାବିକୁ ଖାରଜ କରିଛନ୍ତି BJP ନେତା ଅମିତ ମାଲବ୍ୟ। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଏଭଳି କୌଣସି ସରକାରୀ ଟ୍ୟାକ୍ସ କିମ୍ବା ୦.୫ ପ୍ରତିଶତ ଶୁଳ୍କ ଧାର୍ଯ୍ୟ ହୋଇନାହିଁ।
ତାଙ୍କ କହିବା ଅନୁସାରେ, ୫,୦୦୦ ଟଙ୍କା ପେମେଣ୍ଟରେ ୨୫ ଟଙ୍କା ଏବଂ ୧୦,୦୦୦ ଟଙ୍କା ପେମେଣ୍ଟରେ ୫୦ ଟଙ୍କା ଚାର୍ଜ ଲାଗିବ ବୋଲି ଯେଉଁ ହିସାବ କରାଯାଉଛି, ତାହା କେବଳ କଳ୍ପିତ ୦.୫ ପ୍ରତିଶତ ହାର ଆଧାରରେ କରାଯାଇଥିବା ଗଣନା। ଏହା କୌଣସି ସରକାରୀ ଶୁଳ୍କ ନୁହେଁ।
୧୪ ସେପ୍ଟେମ୍ବର ୨୦୨୬ରେ ଅର୍ଥ ମନ୍ତ୍ରଣାଳୟର ଫାଇନାନ୍ସିଆଲ ସର୍ଭିସେସ ବିଭାଗ ପକ୍ଷରୁ ଗଜେଟ ନୋଟିଫିକେସନ ଜାରି କରାଯାଇଛି। ଏଥିରେ RuPay ସହ ଜଡ଼ିତ ଡେବିଟ କାର୍ଡ ଏବଂ ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI ଟ୍ରାଞ୍ଜାକ୍ସନର ଏଭଳି ଇଲେକ୍ଟ୍ରୋନିକ ପେମେଣ୍ଟ ବ୍ୟବସ୍ଥା ଭାବେ ଧାର୍ଯ୍ୟ କରାଯାଇଛି, ଯାହା ଉପରେ ବ୍ୟାଙ୍କ କିମ୍ବା ପେମେଣ୍ଟ ସିଷ୍ଟମ ପ୍ରୋଭାଇଡର ସିଧାସଳଖ କିମ୍ବା ପରୋକ୍ଷ ଭାବେ ଚାର୍ଜ ଲଗାଇପାରିବେ ନାହିଁ।
ତେବେ ଏହାର ଅର୍ଥ ନୁହେଁ ଯେ ୨,୦୦୦ ଟଙ୍କାରୁ ଅଧିକ ପ୍ରତ୍ୟେକ UPI ପେମେଣ୍ଟରେ ୦.୫ ପ୍ରତିଶତ ଚାର୍ଜ ଲାଗୁ ହୋଇଯାଇଛି। ବରଂ ୨,୦୦୦ ଟଙ୍କାରୁ ଅଧିକ UPI ଟ୍ରାଞ୍ଜାକ୍ସନ ପାଇଁ ନୋଟିଫିକେସନରେ କୌଣସି ୦.୫ ପ୍ରତିଶତ ହାର ଧାର୍ଯ୍ୟ କରାଯାଇନାହିଁ।
ବର୍ତ୍ତମାନ ଉପଲବ୍ଧ ସରକାରୀ ସ୍ପଷ୍ଟୀକରଣ ଅନୁସାରେ, P2P ଅର୍ଥାତ୍ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ଜଣେ ବ୍ୟକ୍ତିଙ୍କୁ କରାଯାଉଥିବା UPI ପେମେଣ୍ଟ ମାଗଣା ରହିଛି। ତେଣୁ ଜଣେ ବନ୍ଧୁ କିମ୍ବା ପରିବାର ସଦସ୍ୟଙ୍କୁ UPIରେ ୫,୦୦୦ କିମ୍ବା ୧୦,୦୦୦ ଟଙ୍କା ପଠାଇଲେ ୦.୫ ପ୍ରତିଶତ ସରକାରୀ ଟ୍ୟାକ୍ସ କଟିବ ବୋଲି କୁହାଯାଉଥିବା ଦାବି ବର୍ତ୍ତମାନ ସଠିକ ନୁହେଁ।
ତେବେ ଭବିଷ୍ୟତରେ MDR ବ୍ୟବସ୍ଥା ଆସିଲେ ଏହାର ପରିସର କେତେକ ନିର୍ଦ୍ଦିଷ୍ଟ ମର୍ଚ୍ଚାଣ୍ଟ ଟ୍ରାନ୍ଜାକ୍ସନ ପର୍ଯ୍ୟନ୍ତ ସୀମିତ ରହିପାରେ। ଏହାର ସିଧାସଳଖ ଭାର ଗ୍ରାହକଙ୍କ ଉପରେ ପକାଯିବ ବୋଲି ବର୍ତ୍ତମାନ କୌଣସି ନିଷ୍ପତ୍ତି ନାହିଁ।
UPI ପେମେଣ୍ଟ ବ୍ୟବସ୍ଥାକୁ ଆର୍ଥିକ ସହାୟତା ଦେବା ପାଇଁ ସରକାର ପୂର୍ବରୁ ଇନ୍ସେଣ୍ଟିଭ ଯୋଜନା ଚଳାଇଆସୁଛି। ଅର୍ଥ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, FY2021-22ରୁ FY2024-25 ମଧ୍ୟରେ UPI ଏବଂ ଡିଜିଟାଲ ପେମେଣ୍ଟ ଇକୋସିଷ୍ଟମ ପାଇଁ ସରକାର ପ୍ରାୟ ୮,୭୩୦ କୋଟି ଟଙ୍କାର ଇନ୍ସେଣ୍ଟିଭ ସହାୟତା ଦେଇଛନ୍ତି।
ଅମିତ ମାଲବ୍ୟ ମଧ୍ୟ କହିଛନ୍ତି ଯେ UPIକୁ ମାଗଣା ଓ ମଜବୁତ ରଖିବା ପାଇଁ ସରକାର ଲଗାତାର ଆର୍ଥିକ ସମର୍ଥନ ଦେଉଛନ୍ତି। ଏହି ପୂରା ବିବାଦକୁ ବୁଝିବା ପାଇଁ ଟ୍ୟାକ୍ସ ଏବଂ MDR ମଧ୍ୟରେ ପାର୍ଥକ୍ୟ ଜାଣିବା ଜରୁରୀ। MDR ବା Merchant Discount Rate କୌଣସି ସାଧାରଣ ଗ୍ରାହକ ଟ୍ୟାକ୍ସ ନୁହେଁ। ଏହା ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କ ସହ ଜଡ଼ିତ ପେମେଣ୍ଟ ନେଟୱର୍କ ଏବଂ ଆର୍ଥିକ ସଂସ୍ଥା ମଧ୍ୟରେ ଲାଗୁ ହେଉଥିବା ଶୁଳ୍କ ହୋଇପାରେ।
ବର୍ତ୍ତମାନ ୨,୦୦୦ ଟଙ୍କା ପର୍ଯ୍ୟନ୍ତ UPI ପେମେଣ୍ଟ ପାଇଁ ସରକାର ଶୁଳ୍କ ବିରୋଧରେ ସ୍ପଷ୍ଟ ସୁରକ୍ଷା ଦେଇଛନ୍ତି। ଅନ୍ୟପଟେ ୨,୦୦୦ ଟଙ୍କାରୁ ଅଧିକ କେତେକ ମର୍ଚ୍ଚାଣ୍ଟ ଟ୍ରାଞ୍ଜାକ୍ସନର ଭବିଷ୍ୟତରେ MDR ବ୍ୟବସ୍ଥା ଲାଗୁ କରିବା ନେଇ ଆଲୋଚନା ଚାଲିଛି। ତେବେ ଏହାର ଅନ୍ତିମ ହାର ଏବଂ କେବେଠାରୁ ଲାଗୁ ହେବ, ତାହା ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।