US Action Puts Indian IT Firms Under Pressure: ଆମେରିକାର ଆକ୍ସନ୍, ଭାରତର ସମସ୍ତ ବଡ଼ ଆଇଟି କମ୍ପାନୀ ଉପରେ ପଡିଲା ଚଡକ

Oct 08, 2026 - 21:45
US Action Puts Indian IT Firms Under Pressure: ଆମେରିକାର ଆକ୍ସନ୍, ଭାରତର ସମସ୍ତ ବଡ଼ ଆଇଟି କମ୍ପାନୀ ଉପରେ ପଡିଲା ଚଡକ

ଆମେରିକାରେ ବଡ଼ ଆକ୍ସନ୍। ଭାରତୀୟ ଆଇଟି କମ୍ପାନୀଙ୍କ ଉପରେ ବଢ଼ିଲା ଚାପ। ଇନ୍ଫୋସିସ୍, ଟିସିଏସ୍, ୱିପ୍ରୋ ଓ ଏଚ୍‌ସିଏଲ୍ ସମେତ ଅନେକ ବଡ଼ ଆଇଟି କମ୍ପାନୀକୁ ଆମେରିକାର PERM କାର୍ଯ୍ୟକ୍ରମରୁ ସସ୍ପେଣ୍ଡ କରାଯାଇଛି। ମାଇକ୍ରୋସଫ୍ଟ, ଆଡୋବି, କଗ୍ନିଜାଣ୍ଟ, କ୍ୟାପ୍‌ଜେମିନି ଓ ଟାଟା ମଧ୍ୟ ଏହି ପଦକ୍ଷେପରେ ପ୍ରଭାବିତ ହୋଇଛନ୍ତି।

PERM କ’ଣ?

ଆମେରିକାରେ ବିଦେଶୀ କର୍ମଚାରୀଙ୍କୁ ସ୍ଥାୟୀ ଚାକିରି ଦେବା ଏବଂ ଗ୍ରୀନ୍ କାର୍ଡ ପ୍ରକ୍ରିୟା ଆଗକୁ ବଢ଼ାଇବାରେ PERM ଅନୁମୋଦନ ଗୁରୁତ୍ୱପୂର୍ଣ୍ଣ। ତେଣୁ ଏହି କାର୍ଯ୍ୟକ୍ରମରୁ ସସ୍ପେନ୍ସନ୍ ହେଲେ ପ୍ରଭାବିତ କମ୍ପାନୀର ବିଦେଶୀ କର୍ମଚାରୀଙ୍କ ଗ୍ରୀନ୍ କାର୍ଡ ପ୍ରକ୍ରିୟାରେ ବିଳମ୍ବ ଓ ଅନିଶ୍ଚିତତା ବଢ଼ିପାରେ। ତେବେ ଏହାକୁ H-1B ଭିସା ବାତିଲ୍ ବୋଲି ଧରାଯିବ ନାହିଁ। ଏହି ଦୁଇଟି ଭିନ୍ନ ପ୍ରକ୍ରିୟା।

ଭାରତ ପାଇଁ କାହିଁକି ଚିନ୍ତା?

ଭାରତୀୟ ଆଇଟି କମ୍ପାନୀଙ୍କର ଆମେରିକାରେ ବଡ଼ ବ୍ୟବସାୟ ରହିଛି। ହଜାର ହଜାର ଭାରତୀୟ ଆଇଟି ପେସାଦାର ଆମେରିକାରେ କାମ କରୁଛନ୍ତି। ତେଣୁ ଗ୍ରୀନ୍ କାର୍ଡ ଓ ବିଦେଶୀ କର୍ମଚାରୀ ନିଯୁକ୍ତି ନୀତି କଠୋର ହେଲେ ଭାରତୀୟ କମ୍ପାନୀ ଏବଂ କର୍ମଚାରୀ, ଉଭୟଙ୍କ ଉପରେ ପ୍ରଭାବ ପଡ଼ିପାରେ। ଏହାର ପ୍ରଭାବ ଭାରତୀୟ ଆଇଟି କମ୍ପାନୀଙ୍କ ଆମେରିକା ବ୍ୟବସାୟ, ନୂଆ ନିଯୁକ୍ତି ଓ କର୍ମଚାରୀଙ୍କ ଦୀର୍ଘମିଆଦୀ ଆମେରିକା ରହଣି ଯୋଜନା ଉପରେ ପଡ଼ିପାରେ।

ଆମେରିକାର ଅଭିଯୋଗ କ’ଣ?

ଆମେରିକାର ଶ୍ରମ ବିଭାଗର ଅଭିଯୋଗ ହେଉଛି, ବିଦେଶୀ କର୍ମଚାରୀ ନିଯୁକ୍ତି ବ୍ୟବସ୍ଥାର କିଛି କମ୍ପାନୀ ଦୁରୁପଯୋଗ କରିଥାଇପାରନ୍ତି। ଆମେରିକୀୟ କର୍ମଚାରୀଙ୍କ ଚାକିରି ଓ ଦରମାକୁ ସୁରକ୍ଷା ଦେବା ଏହି ପଦକ୍ଷେପର ମୁଖ୍ୟ ଯୁକ୍ତି ବୋଲି ଆମେରିକୀୟ ଅଧିକାରୀ କହିଛନ୍ତି।

ମାଇକ୍ରୋସଫ୍ଟକୁ ନେଇ ମଧ୍ୟ ଉପରାଷ୍ଟ୍ରପତି ଜେଡି ଭେନ୍ସ ଗୁରୁତର ଅଭିଯୋଗ କରିଛନ୍ତି। ତାଙ୍କ ଅନୁସାରେ, ୨୦୨୫ରେ ମାଇକ୍ରୋସଫ୍ଟ ପ୍ରାୟ ୬ ହଜାର ଆମେରିକୀୟ କର୍ମଚାରୀଙ୍କୁ ଛଟେଇ କରିବା ପରେ ୬ ହଜାରରୁ ଅଧିକ H-1B ଭିସା ଏବଂ ୩,୬୮୨ଟି PERM ଆବେଦନ କରିଥିଲା।

ଏହି ଖବର ପରେ ଆମେରିକା ବଜାରରେ ଇନ୍ଫୋସିସ୍ ଓ ୱିପ୍ରୋର ଏଡିଆର୍ ମୂଲ୍ୟରେ ହ୍ରାସ ଦେଖାଯାଇଥିବା କୁହାଯାଇଛି। ଏଥିରୁ ଆମେରିକାର ଭିସା ଓ ଗ୍ରୀନ୍ କାର୍ଡ ନୀତି ନେଇ ନିବେଶକଙ୍କ ଚିନ୍ତା ସ୍ପଷ୍ଟ ହେଉଛି।

ସେପଟେ Harvard, Yale ଓ Stanford ସମେତ ୯ଟି ବିଶ୍ୱବିଦ୍ୟାଳୟକୁ ନେଇ ମଧ୍ୟ ତଦନ୍ତ ଘୋଷଣା ହୋଇଛି। ବିଦେଶୀ ଛାତ୍ରଛାତ୍ରୀଙ୍କୁ ନେଇ ଆମେରିକୀୟ କର୍ମଚାରୀଙ୍କ ଦରମା ଉପରେ ପ୍ରଭାବ ପକାଇବା ଭଳି ଅଭିଯୋଗର ତଦନ୍ତ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।