US Drone Firm Powerus Signs Deal With Pakistan Army: ଟ୍ରମ୍ପଙ୍କ ପୁଅଙ୍କ ସହ ଜଡ଼ିତ ଡ୍ରୋନ୍ କମ୍ପାନୀର ପାକିସ୍ତାନ ସେନା ସହ ଚୁକ୍ତି
ଆମେରିକୀୟ ଡ୍ରୋନ୍ କମ୍ପାନୀ ପାୱାରସ୍ ପାକିସ୍ତାନ ସେନା ସହ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଏଥିରେ ପ୍ରାରମ୍ଭିକ ଡ୍ରୋନ୍ ସମ୍ପର୍କିତ ଅର୍ଡର ମଧ୍ୟ ସାମିଲ ଅଛି ବୋଲି କମ୍ପାନୀର ସହ-ପ୍ରତିଷ୍ଠାତା ବ୍ରେଟ୍ ଭେଲିକୋଭିଚ୍ ଗଣମାଧ୍ୟମକୁ କହିଛନ୍ତି।
ସୁରକ୍ଷା ସମ୍ପର୍କିତ ସମ୍ବେଦନଶୀଳତା ଦର୍ଶାଇ ଭେଲିକୋଭିଚ୍ ଏହି ଚୁକ୍ତିର ବିସ୍ତୃତ ବିବରଣୀ ଦେବାକୁ ମନା କରିଛନ୍ତି । ତେବେ ସେ କହିଛନ୍ତି ଯେ, ଏହି ଚୁକ୍ତି ମାନବବିହୀନ ଆକାଶ ମାର୍ଗ ପ୍ରଣାଳୀ (Unmanned Aerial Systems) ବର୍ଗରେ ରହିଛି। ଗୋପନୀୟତା କାରଣରୁ ଅର୍ଡରର ମୂଲ୍ୟ ମଧ୍ୟ ସେ ପ୍ରକାଶ କରିନାହାନ୍ତି।
ପାୱାରସ୍ ସାମରିକ ଓ ଶିଳ୍ପ କ୍ଷେତ୍ରରେ ବ୍ୟବହାର ପାଇଁ ଆକାଶ ମାର୍ଗ ଏବଂ ସାମୁଦ୍ରିକ ଡ୍ରୋନ୍ ଯୋଗାଇଥାଏ। ଏହି କମ୍ପାନୀ ଏକ ଶେୟାର ବଜାରରେ ତାଲିକାଭୁକ୍ତ କମ୍ପାନୀ ସହ ମିଶ୍ରଣ ହେବାକୁ ଯାଉଛି। ଏହି କମ୍ପାନୀକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦୁଇ ପୁଅ ପ୍ରମୋଟ୍ କରନ୍ତି ଏବଂ ଏହାର ନାମ ହେଉଛି ଅରିଅସ୍ ଗ୍ରୀନୱେ ହୋଲ୍ଡିଂସ୍ (Aureus Greenway Holdings)। ଉଭୟ କମ୍ପାନୀ କହିଛନ୍ତି ଯେ ଅକ୍ଟୋବର ଆରମ୍ଭରେ ଏହି ମିଶ୍ରଣ ସମ୍ପୂର୍ଣ୍ଣ ହେବ ବୋଲି ସେମାନେ ଆଶା କରୁଛନ୍ତି।
ସୂଚନା ଅନୁଯାୟୀ, ଟ୍ରମ୍ପଙ୍କ ପୁଅ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଏବଂ ଏରିକ୍ ଟ୍ରମ୍ପ ‘ଆମେରିକାନ୍ ଭେଞ୍ଚର୍ସ’ ନାମକ ଏକ ନିବେଶ ପାଣ୍ଠି ମାଧ୍ୟମରେ ଅରିଅସ୍ରେ ଅଂଶୀଦାର ଅଛନ୍ତି। ଦଲିଲ ଅନୁଯାୟୀ, ମିଶ୍ରିତ କମ୍ପାନୀରେ ଆମେରିକାନ୍ ଭେଞ୍ଚର୍ସର ୯.୯% ଲାଭଜନକ ମାଲିକାନା ଅଂଶ ରହିବ ବୋଲି ଆଶା କରାଯାଉଛି।
ପାକିସ୍ତାନ ସେନା କହିଛି ଯେ ଭେଲିକୋଭିଚଙ୍କ ନେତୃତ୍ୱରେ ପାୱାରସ୍ର ଏକ ପ୍ରତିନିଧିମଣ୍ଡଳ ଫିଲ୍ଡ ମାର୍ଶାଲ୍ ସୟଦ୍ ଅସିମ୍ ମୁନିରଙ୍କୁ ଭେଟିଥିଲା। ଏହି ବୈଠକରେ ପ୍ରତିରକ୍ଷା ସାମଗ୍ରୀ କ୍ରୟ, ଉତ୍ପାଦନ ଏବଂ ଦୀର୍ଘମିଆଦୀ କ୍ଷମତା ବିକାଶ ନେଇ ଆଲୋଚନା ହୋଇଥିଲା। ତେବେ ପାକିସ୍ତାନ ସେନାର ବିବୃତିରେ MoU ବିଷୟରେ କିଛି କୁହାଯାଇନଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।