Uttar Pradesh road accident: ସେଲ୍ଫି ନିଶା ହେଲା କାଳ! ଟ୍ରକ୍ ଧକ୍କାରେ ୪ ସାଙ୍ଗ ମୃତ, ୩ ଗୁରୁତର
ସେଲ୍ଫି ନିଶା ପାଲଟିଲା ମୃତ୍ୟୁର କାରଣ! ହାଇୱେରେ ଗାଡ଼ି ଅଟକାଇ ଫଟୋ ଉଠାଉଥିବା ବେଳେ ମାଡ଼ି ଆସିଲା ଦ୍ରୁତଗାମୀ ଟ୍ରକ୍। ଆଖି ପିଛୁଳାକେ ଚାଲିଗଲା ୪ ଜଣଙ୍କ ଜୀବନ, ଆଉ ୩ ଜଣ ଗୁରୁତର। ଉତ୍ତରପ୍ରଦେଶର ବାରାଣସୀ ଜିଲ୍ଲା ମିର୍ଜାମୁରାଦ ଥାନା ଅଞ୍ଚଳର ରୂପାପୁର ନିକଟ ଜାତୀୟ ରାଜପଥ-୧୯ରେ ଘଟିଛି ଏହି ଛାତିଥରା ଦୁର୍ଘଟଣା।
ସେଲ୍ଫି ନେଉଥିଲେ, ମାଡ଼ି ଆସିଲା ମୃତ୍ୟୁ!
ସୂଚନା ଅନୁସାରେ, ବିନ୍ଧ୍ୟାଚଳ ଧାମରେ ଦର୍ଶନ ସାରି ୭ ଜଣ ବନ୍ଧୁ ଏକ ସ୍କର୍ପିଓରେ ଫେରୁଥିଲେ। ସୋମବାର ଭୋର୍ ପ୍ରାୟ ୬ଟା ସମୟରେ ପ୍ରୟାଗରାଜ-ବାରାଣସୀ ହାଇୱେର ଏକ ଓଭରବ୍ରିଜ୍ ନିକଟରେ ସେମାନେ ଗାଡ଼ି ଅଟକାଇଥିଲେ। ରେଲିଂ ପାଖରେ ଠିଆ ହୋଇ ସେଲ୍ଫି ନେଉଥିବା ବେଳେ ପଛପଟୁ ଦ୍ରୁତଗତିରେ ଆସିଥିବା ଏକ ଟ୍ରକ୍ ସ୍କର୍ପିଓ ସହ ସେଠାରେ ଥିବା ଲୋକଙ୍କୁ ଧକ୍କା ଦେଇଥିଲା।
ଧକ୍କା ଏତେ ଭୟଙ୍କର ଥିଲା ଯେ ସ୍କର୍ପିଓର ପଛ ଭାଗ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଦୁଇ ଜଣ ପ୍ରାୟ ୩୦ ଫୁଟ୍ ଉଚ୍ଚ ଓଭରବ୍ରିଜ୍ରୁ ତଳକୁ ଖସିପଡ଼ିଥିଲେ।
୪ ମୃତ, ୩ ଗୁରୁତର
ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅମନ ଯାଦବ, ଗୋଲୁ ଓ ଆଲୋକ ମିଶ୍ରଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ଚତୁର୍ଥ ମୃତକଙ୍କ ପରିଚୟ ଚିହ୍ନଟ ହୋଇନାହିଁ। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ କହ୍ନେୟା ଯାଦବ ଓ ନିଖିଲ କୁମାରଙ୍କ ପରିଚୟ ମିଳିଛି।
ଖବର ପାଇ ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଆହତଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ୍ ନିଆଯାଇଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।
ଟ୍ରକ୍ ଛାଡ଼ି ଚାଳକ ଫେରାର
ଦୁର୍ଘଟଣା ପରେ ଟ୍ରକ୍ ଚାଳକ ଘଟଣାସ୍ଥଳଠାରୁ କିଛି ଦୂରରେ ଗାଡ଼ି ଛାଡ଼ି ଫେରାର ହୋଇଯାଇଥିବା ପୋଲିସ କହିଛି। ତାଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି।
ଏହି ଦୁଃଖଦ ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।