Vaishali DM Draws Attention: ଉଦାହରଣ ସୃଷ୍ଟି କଲେ IAS ଅଫିସର୍, ରାତିସାରା ଖଟିଆରେ ବସି ବନ୍ଧ ମରାମତି ଶେଷ କଲେ
ବିହାରର ବୈଶାଳୀ ଜିଲ୍ଲାର ଜିଲ୍ଲାପାଳ IAS ବର୍ଷା ସିଂହ ଏବେ ଚର୍ଚ୍ଚାରେ। ବନ୍ୟା ପ୍ରଭାବିତ ଅଞ୍ଚଳରେ ରାତିଭରି ରହି ରିଙ୍ଗ ବନ୍ଧ ମରାମତି କାମର ତଦାରଖ କରିବା ସହ ସକାଳ ୪ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ବସି ରହିଥିଲେ ସେ। ବନ୍ୟା ପୀଡ଼ିତଙ୍କ ପାଇଁ ତାଙ୍କର ଏହି ଦାୟିତ୍ୱବୋଧ ଓ ତତ୍ପରତାକୁ ନେଇ ସୋସିଆଲ ମିଡିଆରୁ ଆରମ୍ଭ କରି ସ୍ଥାନୀୟ ଲୋକଙ୍କ ମଧ୍ୟରେ ତାଙ୍କୁ ପ୍ରଶଂସା କରାଯାଉଛି।
ଗଣ୍ଡକ ନଦୀର ଜଳସ୍ତର ବଢ଼ିବା ପରେ ଲାଲଗଞ୍ଜର ୟୁସୁଫପୁର ପଞ୍ଚାୟତ ଅନ୍ତର୍ଗତ ପୀରାପୁର ୱାର୍ଡ ନମ୍ବର-୫ରେ ଥିବା ରିଙ୍ଗ ବନ୍ଧର ବିଭିନ୍ନ ସ୍ଥାନରେ ପାଣି ଲିକ୍ ଓ କ୍ଷୟ ଆରମ୍ଭ ହୋଇଥିଲା। ସୂଚନା ମିଳିବା ମାତ୍ରେ ରାତିରେ ହିଁ ଘଟଣାସ୍ଥଳରେ ପହଞ୍ଚିଥିଲେ ଜିଲ୍ଲାପାଳ ବର୍ଷା ସିଂହ।
ସ୍ଥିତି ଗୁରୁତର ହେବାର ଆଶଙ୍କା ଥିବାରୁ ତୁରନ୍ତ ବନ୍ଧ ମରାମତି କାମ ଆରମ୍ଭ କରାଯାଇଥିଲା। ବର୍ଷା ସିଂହ ନିଜେ ସେଠାରେ ରହି ସମସ୍ତ କାର୍ଯ୍ୟ ଉପରେ ନଜର ରଖିଥିଲେ। କୌଣସି ଅଧିକାରୀଙ୍କ ଉପରେ ଦାୟିତ୍ୱ ଛାଡ଼ି ଫେରି ଯିବା ପରିବର୍ତ୍ତେ ସେ ଖଟିଆରେ ବସି ସକାଳ ପ୍ରାୟ ୪ଟା ପର୍ଯ୍ୟନ୍ତ ସ୍ଥିତି ତଦାରଖ କରିଥିଲେ।
କିଏ ଏହି IAS ବର୍ଷା ସିଂହ?
ବର୍ଷା ସିଂହ ୨୦୧୬ ବ୍ୟାଚ୍ର ବିହାର କ୍ୟାଡର IAS ଅଧିକାରୀ। ସେ ସ୍ନାତକ ଶିକ୍ଷା ସମାପ୍ତ କରିଛନ୍ତି। ପ୍ରଶାସନିକ କ୍ୟାରିୟରରେ ସେ ସହକାରୀ ସଚିବ, ଯୁଗ୍ମ ସଚିବ ସହ ବିଭିନ୍ନ ଦାୟିତ୍ୱରେ କାମ କରିଛନ୍ତି। ବର୍ତ୍ତମାନ ସେ ବୈଶାଳୀ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟରତ। ୨ ଜୁନ ୨୦୨୫ରେ ସେ ଏହି ପଦର ଦାୟିତ୍ୱ ଗ୍ରହଣ କରିଥିଲେ।
ଗୋପାଳଗଞ୍ଜରୁ ଆରମ୍ଭ ହୋଇଥିଲା ପ୍ରଶାସନିକ ଯାତ୍ରା
ଟ୍ରେନିଂ ସମୟରେ ବର୍ଷା ସିଂହଙ୍କ ପ୍ରଥମ ପୋଷ୍ଟିଂ ଗୋପାଳଗଞ୍ଜରେ ସଦର SDM ଭାବେ ହୋଇଥିଲା। ପରେ ସେ ଅରୱାଲ ଜିଲ୍ଲାର ଜିଲ୍ଲାପାଳ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ବୈଶାଳୀ ଜିଲ୍ଲାପାଳ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ନଗର ବିକାଶ ଏବଂ ଆବାସ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ। ଏହା ସହ ପାଟନା ମେଟ୍ରୋ ରେଲ୍ କର୍ପୋରେସନ୍ରେ ଅତିରିକ୍ତ ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
ବିହାରର ଝିଅ ବର୍ଷା ସିଂହ
ବର୍ଷା ସିଂହଙ୍କ ଜନ୍ମ ୨୦ ନଭେମ୍ବର ୧୯୮୬ରେ। ସେ ବିହାରର ଖଗଡ଼ିଆ ଜିଲ୍ଲାର ଗୋଗରୀ ବ୍ଲକ୍ ଅନ୍ତର୍ଗତ ବୋର୍ଣ୍ଣା ଗାଁର ବାସିନ୍ଦା। ତେବେ ତାଙ୍କର ପାଠପଢ଼ା ମହାରାଷ୍ଟ୍ରର ନାଗପୁରରେ ହୋଇଥିଲା। ସରଳ ଜୀବନଶୈଳୀ ଓ ତୃଣମୂଳ ସ୍ତରକୁ ଯାଇ କାମ କରିବା ପାଇଁ ସେ ପୂର୍ବରୁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଏକଥର ସେ ଚାଷୀ ଓ ଶ୍ରମିକଙ୍କ ସହ କାଦୁଅ ଜମିରେ ନିଜେ ଧାନ ରୋଇବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଥିଲା।
ବାପା ଚାହୁଁଥିଲେ ମହାରାଷ୍ଟ୍ର କ୍ୟାଡର
ବର୍ଷା ସିଂହଙ୍କ ବାପା ଚାହୁଁଥିଲେ ଯେ ସେ IAS ହେବା ପରେ ମହାରାଷ୍ଟ୍ର କ୍ୟାଡର ପାଆନ୍ତୁ। କିନ୍ତୁ ବର୍ଷା ନିଜେ ବିହାରକୁ ପ୍ରାଥମିକତା ଦେଇଥିଲେ। ପରେ ତାଙ୍କୁ ବିହାର କ୍ୟାଡର ମିଳିଥିଲା।
ବିହାର କ୍ୟାଡର ମିଳିବା ପରେ ସେ ଖୁବ ଖୁସି ହୋଇଥିବା କୁହାଯାଏ। ନିଜ ଜନ୍ମଭୂମି ପାଇଁ କାମ କରିବାର ସୁଯୋଗ ମିଳିଥିବାରୁ ଏହାକୁ ସେ ଏକ ବଡ଼ ଦାୟିତ୍ୱ ଭାବେ ଦେଖିଥିଲେ। ଗାଁରେ ଲୋକଙ୍କ ଦାରିଦ୍ର୍ୟ ଓ ଅସହାୟତାକୁ ନିକଟରୁ ଦେଖିଥିବାରୁ ପ୍ରଶାସନ ମାଧ୍ୟମରେ ସେମାନଙ୍କ ପାଇଁ କାମ କରିବା ତାଙ୍କ ପାଇଁ ବିଶେଷ ମହତ୍ତ୍ୱ ରଖିଥିବା କୁହାଯାଏ।
ରାତିଭରି ଡ୍ୟୁଟି, ଜିଲ୍ଲାପାଳଙ୍କୁ ପ୍ରଶଂସା
ବନ୍ୟା ସମୟରେ ଜଣେ ଜିଲ୍ଲାପାଳ ଭାବେ ଘଟଣାସ୍ଥଳରେ ଉପସ୍ଥିତ ରହି ସକାଳ ପର୍ଯ୍ୟନ୍ତ ବନ୍ଧ ମରାମତି ତଦାରଖ କରିବାର ଘଟଣା ବର୍ଷା ସିଂହଙ୍କୁ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରକୁ ଆଣିଛି। ବିପଦ ସମୟରେ ପ୍ରଶାସନର ଉପସ୍ଥିତି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରେ ବୋଲି ସ୍ଥାନୀୟ ଲୋକମାନେ କହୁଛନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।