03 SEPTEMBER 2026

Welcome!

Unlock your personalized experience.
Sign Up

VBG Ramji: ଓଡ଼ିଶାରେ ‘ଭିବିଜି ରାମଜି’ ଯୋଜନା: କାମ ୭୮% କମିଲା, ଦେଶର ପଞ୍ଚମ ସର୍ବାଧିକ ହ୍ରାସ

Aug 26, 2026 - 03:58
VBG Ramji: ଓଡ଼ିଶାରେ ‘ଭିବିଜି ରାମଜି’ ଯୋଜନା: କାମ ୭୮% କମିଲା, ଦେଶର ପଞ୍ଚମ ସର୍ବାଧିକ ହ୍ରାସ

ଭୁବନେଶ୍ବର: କେନ୍ଦ୍ର ସରକାର ଚଳିତ ବର୍ଷ ଜୁଲାଇରୁ ଦେଶବ୍ୟାପୀ ନୂଆ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ‘ବିକଶିତ ଭାରତ-ରୋଜଗାର ଓ ଆଜୀବିକା ଗ୍ୟାରେଣ୍ଟି ମିସନ୍‌ (ଗ୍ରାମୀଣ) ବା ଭିବିଜି ରାମଜି ଲାଗୁ କରିଛନ୍ତି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଉପା ଅମଳରୁ ଚାଲିଆସିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ସ୍ଥାନରେ ଏହାକୁ ଲାଗୁ କରାଯାଇଛି। ନୂଆ ଯୋଜନାର ପ୍ରଥମ ମାସ ଫଳାଫଳ ସାମନାକୁ ଆସିଛି। ଓଡ଼ିଶାରେ ଯୋଜନାର ପ୍ରଦର୍ଶନ ଉଦ୍‌ବେଗଜନକ ରହିଛି। ୨୦୨୫ ଜୁଲାଇ ତୁଳନାରେ ୨୦୨୬ ଜୁଲାଇରେ ମିଳୁଥିବା କାମରେ ବଡ଼ଧରଣର ହ୍ରାସ ଘଟିଛି। ୨୦୨୬ ଜୁଲାଇରେ ଓଡ଼ିଶାରେ ମାତ୍ର ୧୬ ଲକ୍ଷ ବ୍ୟକ୍ତି ଦିବସ ସୃଷ୍ଟି ହୋଇଛି। ଏହା ୨୦୨୫ ଜୁଲାଇରେ ମନରେଗା ଅମଳରେ ସୃଷ୍ଟି ହୋଇଥିବା ୭୩ ଲକ୍ଷ ବ୍ୟକ୍ତି ଦିବସ ତୁଳନାରେ ପ୍ରାୟ ୭୮ ପ୍ରତିଶତ କମ୍‌। ସାରା ଦେଶରେ ୧୯ଟି ପ୍ରମୁଖ ରାଜ୍ୟ ମଧ୍ୟରେ ଓଡ଼ିଶାରେ ବ୍ୟକ୍ତି-ଦିବସରେ ହୋଇଥିବା ହ୍ରାସ ପଞ୍ଚମ ସର୍ବାଧିକ। ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଏକ ରିପୋର୍ଟ ଅନୁସାରେ, ଜୁଲାଇ ମାସରେ ଦେଶବ୍ୟାପୀ ଭିବିଜି ରାମଜିରେ ବ୍ୟକ୍ତି ଦିବସରେ ୪୯ ପ୍ରତିଶତ ହ୍ରାସ ହୋଇଛି। ଓଡ଼ିଶାରେ ଏହି ହାର ଜାତୀୟ ହାରଠାରୁ ଯଥେଷ୍ଟ ଅଧିକ ରହିଛି। କେବଳ ତେଲେଙ୍ଗାନା (୨୨୯.୩%) ଓ ଆନ୍ଧ୍ରପ୍ରଦେଶ (୫୫.୨%)କୁ ବାଦ୍‌ ଦେଲେ ଅନ୍ୟ ସବୁ ରାଜ୍ୟରେ ବ୍ୟକ୍ତି ଦିବସ ହ୍ରାସ ପାଇଛି। ସର୍ବାଧିକ ହ୍ରାସ ପଞ୍ଜାବରେ ପରିଲକ୍ଷିତ ହୋଇଥିଲା। ସେଠାରେ ବ୍ୟକ୍ତି ଦିବସ ୯୦ ପ୍ରତିଶତ ହ୍ରାସ ପାଇଛି। ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ଗୁଜରାଟ (୮୭.୩%), ଝାଡ଼ଖଣ୍ଡ (-୮୪.୭%) ଓ ହରିୟାଣା (-୭୯.୭%)ରେ ମଧ୍ୟ ବ୍ୟକ୍ତି ଦିବସରେ ଉଲ୍ଲେଖନୀୟ ହ୍ରାସ ଘଟିଛି।

Business Opinion: ବଣିଜ ବିଚାର: ଗୋଖାଦ୍ୟ ଉଦ୍ୟୋଗରେ ବି ଆମେ ପଛୁଆ

ରିପୋର୍ଟରେ କୁହାଯାଇଛି ଯେ ଯୋଜନାର ପ୍ରଥମ ମାସ ପ୍ରଦର୍ଶନକୁ ପ୍ରକୃତ ପ୍ରଦର୍ଶନ ଭାବେ ବିଚାର କରାଯାଇପାରିବ ନାହିଁ। କାରଣ ଏହି ଯୋଜନାରେ ରାଜ୍ୟଗୁଡ଼ିକୁ ବୁଣାବୁଣି ଓ ଚାଷ କାମ ସମୟରେ ୬୦ ଦିନ ପର୍ଯ୍ୟନ୍ତ ବିରତି ନେବାର ଅନୁମତି ଦିଆଯାଇଥିଲା। ମନରେଗା ସମୟରେ ସେହି ସୁବିଧା ନଥିଲା। ସେହି ସୁବିଧାକୁ ଓଡ଼ିଶା, ବିହାର, ଗୁଜରାଟ, ଅରୁଣାଚଳପ୍ରଦେଶ, ମିଜୋରାମ, ସିକିମ ଓ ନାଗାଲ୍ୟାଣ୍ଡ ଲାଗୁ କରିଥିଲେ। ଯେହେତୁ ରାଜ୍ୟଗୁଡ଼ିକ ବିରତି ନେଇଛନ୍ତି, ତେଣୁ ସିଧାସଳଖ ଭାବେ ବ୍ୟକ୍ତି ଦିବସ ପରିମାଣ ହ୍ରାସ ପାଇଛି। ନୂଆ ଯୋଜନାର ପ୍ରଥମ ମାସ ହୋଇଥିବାରୁ ନୂଆ କାର୍ଡ ଜାରି କରିବା, ସଫ୍ଟୱେର କାମ, କାମ ଚିହ୍ନଟ, ମଷ୍ଟରରୋଲ୍‌ ସୃଷ୍ଟି କରିବା, ପେମେଣ୍ଟ ପ୍ରକ୍ରିୟାକରଣ ଆଦି କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ସମ୍ଭବ ନଥିଲା। ତେଣୁ ଜୁଲାଇ ମାସର ପୂର୍ଣ୍ଣାଙ୍ଗ ତଥ୍ୟ ହସ୍ତଗତ ହୋଇଥିବା ନେଇ ସନ୍ଦେହ ରହିଛି। ତେବେ ବିରତି ଅବଧି ଶେଷ ହେବା ପରେ ଯୋଜନାର ପ୍ରଦର୍ଶନ କିଭଳି ରହୁଛି ତାହା ହିଁ ଭିବିଜି ରାମଜିର ପ୍ରକୃତ ପ୍ରଭାବ ବିଷୟରେ ଚିତ୍ର ଉପସ୍ଥାପନ କରିପାରିବ। ଏହି ଯୋଜନାରେ ପ୍ରତି ଯୋଗ୍ୟ ଗ୍ରାମୀଣ ପରିବାରକୁ ବର୍ଷକୁ ୧୨୫ ଦିନର କାର୍ଯ୍ୟ ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତି। ୨୦୨୬-୨୭ ବଜେଟରେ ଯୋଜନା ପାଇଁ ୯୫,୬୯୨.୩୧ କୋଟି ଟଙ୍କାର ଅଟକଳ ଧାର୍ଯ୍ୟ କରାଯାଇଛି। ପ୍ରଥମ ପର୍ଯ୍ୟାୟ କିସ୍ତି ଭାବେ ଓଡ଼ିଶାକୁ ୯୩୨.୩୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି।

Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।