Vigilance Raids Bureaucrat Couple’s Homes: ବ୍ୟୁରୋକ୍ରାଟ୍ ଦମ୍ପତିଙ୍କ ଘରେ ଭିଜିଲାନ୍ସ ରେଡ୍, ମିଳିଲା ନଗଦ ୧ କୋଟିରୁ ଅଧିକ ଟଙ୍କା ଓ ଗହଣା
ପ୍ରଶାସନିକ ଅଧିକାରୀ ଦମ୍ପତିଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ବିଭାଗର ଚଢ଼ାଉ ବେଳେ ବିପୁଳ ପରିମାଣର ଆଯ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି। ଚଢ଼ାଉରେ ୧ କୋଟିରୁ ଅଧିକ ନଗଦ ଟଙ୍କା, ସୁନା ଓ ରୁପା ଗହଣା, ସମ୍ପତ୍ତି ସମ୍ବନ୍ଧୀୟ କାଗଜପତ୍ର ଏବଂ ଦାମୀ ଘଣ୍ଟା ଜବତ ହୋଇଥିବା ଜଣାପଡ଼ିଛି।
ପାଟନାର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ରବୀନ୍ଦ୍ର କୁମାର ଦିବାକର ଏବଂ ତାଙ୍କ ପତ୍ନୀ ଦାନାପୁରର ଜିଲ୍ଲା ସବ୍-ରେଜିଷ୍ଟ୍ରାର କୁମାରୀ ସ୍ୱିଟିଙ୍କ ବିରୋଧରେ ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ମାମଲାରେ ଏହି ଚଢ଼ାଉ କରାଯାଇଛି।
ବିହାର ଭିଜିଲାନ୍ସ ବ୍ୟୁରୋର ଟିମ୍ ପାଟନା ଓ ବେଗୁସରାଇର ବିଭିନ୍ନ ସ୍ଥାନରେ ଏକକାଳୀନ ଚଢ଼ାଉ କରିଥିଲେ। ଏହି ସମୟରେ ସମ୍ପତ୍ତି, ବ୍ୟାଙ୍କ ଆକାଉଣ୍ଟ, ନିବେଶ ଓ ଆର୍ଥିକ କାରବାର ସମ୍ବନ୍ଧୀୟ କାଗଜପତ୍ର ସହ ନଗଦ ଟଙ୍କା ଓ ଗହଣା ମିଳିଥିବା ଅଧିକାରୀମାନେ କହିଛନ୍ତି।
ଜବତ ହୋଇଥିବା ନଗଦ ଟଙ୍କା ଗଣିବା ପାଇଁ ମେସିନ୍ ଅଣାଯାଇଥିଲା। ଭିଜିଲାନ୍ସ ବିଭାଗର ଏକ ଟିମ୍ ନଗଦ ଟଙ୍କା, ଗହଣା ଓ ଅନ୍ୟାନ୍ୟ କାଗଜପତ୍ର ଯାଞ୍ଚ କରିଥିଲା। ଭିଜିଲାନ୍ସ ବିଭାଗର ଡିଆଇଜି ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ରହି ସମଗ୍ର ଚଢ଼ାଉର ତଦାରଖ କରିଥିଲେ।
ତେବେ ଜବତ ହୋଇଥିବା ନଗଦ ଟଙ୍କା ଓ ସୁନା ଗହଣାର ପ୍ରକୃତ ପରିମାଣ ଏବଂ ମୂଲ୍ୟ ତଦନ୍ତ ଶେଷ ହେବା ପରେ ହିଁ ସ୍ପଷ୍ଟ ହେବ। କେବଳ ପାଟନାସ୍ଥିତ ଏହି ଦମ୍ପତିଙ୍କ ବାସଭବନ ନୁହେଁ, ବେଗୁସରାଇରେ ଥିବା ସେମାନଙ୍କ ପୈତୃକ ଘରେ ମଧ୍ୟ ଚଢ଼ାଉ କରାଯାଇଥିଲା।
ଏପର୍ଯ୍ୟନ୍ତ ପାଟନା ଓ ବେଗୁସରାଇରେ ଥିବା ଏହି ଦମ୍ପତିଙ୍କ ବିଭିନ୍ନ ଘରୁ ୧ କୋଟିରୁ ଅଧିକ ନଗଦ ଟଙ୍କା ସହ କୋଟି କୋଟି ଟଙ୍କା ମୂଲ୍ୟର ଗହଣା ଓ ଦାମୀ ଘଣ୍ଟା ମିଳିଥିବା ଜଣାପଡ଼ିଛି।
ଏପର୍ଯ୍ୟନ୍ତ କ’ଣ କ’ଣ ମିଳିଛି:
• ପାଟନାରୁ: ନଗଦ ୭୦ ଲକ୍ଷ ଟଙ୍କା ଏବଂ ୬ ଲକ୍ଷ ଟଙ୍କା ମୂଲ୍ୟର ୪୮ଟି ଘଣ୍ଟା
• ବେଗୁସରାଇରୁ: ନଗଦ ୯ ଲକ୍ଷ ଟଙ୍କା ସହ ସୁନା ଓ ରୁପା ଗହଣା
• ଉଭୟ ସ୍ଥାନରୁ: ଜମି ଓ ନିବେଶ ସମ୍ବନ୍ଧୀୟ କାଗଜପତ୍ର।
ରବୀନ୍ଦ୍ର ଦିବାକରଙ୍କ ସମ୍ପତ୍ତି
ରବୀନ୍ଦ୍ର ଦିବାକର ପାଟନାରେ ଦୁଇଟି ଫ୍ଲାଟ୍ କିଣିଥିବା ଜଣାପଡ଼ିଛି। ଏହି ଫ୍ଲାଟ୍ଗୁଡ଼ିକ ଉଭୟଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବେଳେ ଏହାର ମୂଲ୍ୟ ପ୍ରାୟ ୧.୦୭ କୋଟି ଟଙ୍କା।
ସେହିପରି ପାଟନାରେ ତିନୋଟି ପ୍ଲଟ୍ ମଧ୍ୟ କିଣାଯାଇଛି। ଏହି ଜମିଗୁଡ଼ିକ ତାଙ୍କ ପତ୍ନୀ ଓ ବାପାଙ୍କ ନାମରେ ପଞ୍ଜୀକୃତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧.୨୮ କୋଟି ଟଙ୍କା ବୋଲି ଜଣାପଡ଼ିଛି।
ଭିଜିଲାନ୍ସ ବ୍ୟୁରୋ ଜବତ ହୋଇଥିବା କାଗଜପତ୍ର, ଟଙ୍କା, ଗହଣା ଓ ଅନ୍ୟାନ୍ୟ ସାମଗ୍ରୀର ଯାଞ୍ଚ କରିବା ପରେ ଆୟଠାରୁ ଅଧିକ ସମ୍ପତ୍ତିର ପରିମାଣ ଆକଳନ କରିବ। ତଦନ୍ତ ଶେଷ ହେବା ପରେ ସମ୍ପତ୍ତିର ପ୍ରକୃତ ମୂଲ୍ୟ ଓ ଏହାର ସ୍ୱରୂପ ସମ୍ପର୍କରେ ଅଧିକ ତଥ୍ୟ ସାମ୍ନାକୁ ଆସିପାରେ।
ଜଣେ ଅଧିକାରୀଙ୍କ କହିବା ଅନୁସାରେ, ଚଢ଼ାଉ ଓ ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ଯଦି ଆୟଠାରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗର ପ୍ରମାଣ ମିଳେ, ତେବେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ ଏଫଆଇଆର୍ ରୁଜୁ କରାଯିବ। ବର୍ତ୍ତମାନ ଘଟଣାର ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।