VIMSAR: ଭିମ୍ସାରରେ ଥମୁନି ରୋଗୀ କଲବଲ: ରକ୍ତ ପରୀକ୍ଷା ପାଇଁ ଦିନ ୧୨ଟା ଯାଏଁ ଉପାସ
ସମ୍ବଲପୁର: ପଶ୍ଚିମ ଓଡ଼ିଶାର ସ୍ବାସ୍ଥ୍ୟସେବାର ଜୀବନରେଖା କୁହାଯାଉଥିବା ବୁର୍ଲା ବଡ଼ ଡାକ୍ତରଖାନାରେ ରୋଗୀ କଲବଲ ହେବା ସମସ୍ୟା ଥମିବାର ନାଁ ଧରୁନି। ନିତିଦିନ କିଛି ନା କିଛି ଅବ୍ୟବସ୍ଥା ସାମନାକୁ ଆସୁଥିବାବେଳେ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏବେ ପୁଣି ଡାକ୍ତରଖାନାରେ ଥିବା ଆଞ୍ଚଳିକ ରକ୍ତ ପରୀକ୍ଷା କେନ୍ଦ୍ରକୁ ନେଇ ସାଂଘାତିକ ଅଭିଯୋଗ ଆସିଛି। ଦିନ ୯ଟା ଯାଏଁ ଏହି କେନ୍ଦ୍ରକୁ କର୍ମଚାରୀ ଆସୁନଥିବା ବେଳେ କେତେବେଳେ ମେସିନ୍ ଅଚଳ ତ କେତେବେଳେ ଲାଇନ୍ ନଥିବା ଆଳ ଦେଖାଇ ରୋଗୀଙ୍କଠାରୁ ନମୁନା ସଂଗ୍ରହରେ ବିଳମ୍ବ କରାଯାଉଛି। ଏପରିକି ସକାଳ ୭ଟାରୁ ରକ୍ତ ପରୀକ୍ଷା ପାଇଁ ଲାଇନରେ ଥିବା ରୋଗୀଙ୍କ ନମୁନା ଦିନ ୧୨ଟା ବେଳେ ସଂଗ୍ରହ କରାଯାଉଥିବା ଅଭିଯୋଗ ହୋଇଛି। ଏ ସଂପର୍କରେ ଭିମସାର ନିର୍ଦ୍ଦେଶକ ପ୍ରଫେସର ଲାଲମୋହନ ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ, ଅନେକ କର୍ମଚାରୀ ଦଶହରା ଛୁଟିରେ ଚାଲିଯାଇଥିବାରୁ ସମସ୍ୟା ହୋଇଛି। ଦିନେ ଦୁଇ ଦିନରେ ଏହାର ସମାଧାନ ହୋଇଯିବ।
Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍
ଅଭିଯୋଗ ଅନୁସାରେ, ଆଜି ସକାଳ ପ୍ରାୟ ୮ଟା ବେଳେ ବୁର୍ଲାର ଆଇନଜୀବୀ ପ୍ରଶାନ୍ତ ପାଢ଼ୀ ରକ୍ତ ପରୀକ୍ଷା କରାଇବାକୁ ଭିମସାର ଆଞ୍ଚଳିକ ନିଦାନ କେନ୍ଦ୍ରକୁ ଯାଇଥିଲେ। କିନ୍ତୁ ସେତେବେଳେ କେନ୍ଦ୍ର ବନ୍ଦ ଥିବା ବେଳେ ସାମନାରେ ରୋଗୀଙ୍କ ଲମ୍ବା ଲାଇନ୍ ଲାଗିଥିଲା। ୨ଟି ଧାଡ଼ିରେ ଶତାଧିକ ରୋଗୀ ରକ୍ତ ନମୁନା ଦେବାକୁ ଅପେକ୍ଷା କରି ରହିଥିଲେ। ଏ ନେଇ ଭିମସାର ନିର୍ଦ୍ଦେଶକଙ୍କୁ ଅଭିଯୋଗ କରିବା ପରେ ୯ଟା ୧୮ ମିନିଟରେ ୨ ଜଣ କର୍ମଚାରୀ ପହଞ୍ଚି କେନ୍ଦ୍ର ଖୋଲିଥିଲେ। କିନ୍ତୁ ମେସିନ୍ ଚାଲିବାରେ ସମସ୍ୟା ହେବାରୁ ରକ୍ତ ସଂଗ୍ରହ ପ୍ରକ୍ରିୟା ବିଳମ୍ବିତ ହୋଇଥିଲା। ଫଳରେ ଦିନ ୧୧ଟା ୨୦ ମିନିଟରେ ଶ୍ରୀ ପାଢ଼ୀଙ୍କ ନମୁନା ସଂଗ୍ରହ କରାଯାଇଥିଲା। କେବଳ ନମୁନା ସଂଗ୍ରହ ସମୟରେ ଏଭଳି ଅବ୍ୟବସ୍ଥା ହେଉନି, ରିପୋର୍ଟ ପ୍ରଦାନ ବେଳେ ବି କର୍ମଚାରୀଙ୍କ ମନମୁଖୀ ନୀତି ଚାଲୁଥିବା ଅଭିଯୋଗ ହୋଇଛି। ଦିନ ୨ଟାରୁ ପରୀକ୍ଷା ରିପୋର୍ଟ ସଂଗ୍ରହ କରାଯାଇପାରିବ ବୋଲି କେନ୍ଦ୍ର ବାହାରେ ଉଲ୍ଲେଖ ରହିଛି। କିନ୍ତୁ ଦିନ ୩ଟା ଯାଏଁ କେନ୍ଦ୍ରର ମଧ୍ୟାହ୍ନଭୋଜନ ବିରତି ଶେଷ ହେଉନଥିବାରୁ ରିପୋର୍ଟ ନେବା ପାଇଁ ଲୋକଙ୍କୁ ଘଣ୍ଟା ଘଣ୍ଟା ଲାଇନରେ ଛିଡ଼ା ହେବାକୁ ପଡୁଛି। ଅତୀତରେ ଏହି କେନ୍ଦ୍ରରୁ ରୋଗୀଙ୍କୁ ଭୁଲ୍ ରିପୋର୍ଟ ପ୍ରଦାନ କରାଯିବାର ଏକାଧିକ ନଜିର ରହିଛି।
Amitabh Bachchan: ଅମିତାଭ ବଚ୍ଚନଙ୍କ ବଙ୍ଗଳା, ଦିଲଜିତ ଦୋସାଞ୍ଝଙ୍କ କନସର୍ଟକୁ ଟାର୍ଗେଟ୍
ବୁର୍ଲା ବଡ଼ ଡାକ୍ତରଖାନା ଉପରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ସମେତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ର ରୋଗୀ ନିର୍ଭରଶୀଳ। ଡାକ୍ତରଖାନାକୁ ଆସୁଥିବା ରୋଗୀ ଯେଭଳି ବିନା ମୂଲ୍ୟରେ ଉନ୍ନତ ଚିକିତ୍ସା ପାଇପାରିବେ ସେଥିପାଇଁ ସରକାରଙ୍କ ପକ୍ଷରୁ ନିଦାନ ବ୍ୟବସ୍ଥା କରାଯାଇଛି। କିନ୍ତୁ ବ୍ୟବସ୍ଥାରେ ତ୍ରୁଟି ଯୋଗୁଁ ରୋଗୀ ଏହି କେନ୍ଦ୍ରରୁ ମୁହଁ ମୋଡୁଛନ୍ତି। ଡାକ୍ତରଖାନା ବାହାରେ ଥିବା ଘରୋଇ ପରୀକ୍ଷା କେନ୍ଦ୍ରରେ ଅଧିକ ଟଙ୍କା ଦେଇ ରକ୍ତ ପରୀକ୍ଷା କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଏହି ନିଦାନ କେନ୍ଦ୍ରରେ ମୋଟ ୬୫ ଜଣ ଟେକନିସିଆନ ରହିବା କଥା। କିନ୍ତୁ ଏବେ ମାତ୍ର ୨୫ ଜଣ ରହିଥିବା ବେଳେ ୧୦ ଜଣ ଆଉଟ୍ସୋର୍ସିଂରେ ଲ୍ୟାବ ଟେକନିସିଆନ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏଥିରୁ ବି ଅର୍ଦ୍ଧାଧିକ କର୍ମଚାରୀ ବର୍ତ୍ତମାନ ଦଶହରା ଛୁଟିରେ ରହିଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।