WhatsApp Investment Scam Exposed: ଡବଲ୍ ରିଟର୍ଣ୍ଣ ଲୋଭ ଦେଖାଇ ସାଇବର ଲୁଟ୍; ଲୁଟିନେଇଗଲେ ୯୧ ଲକ୍ଷ ୯୦ ହଜାର ଟଙ୍କା
ଦେଖାଉଥିଲେ ଡବଲ୍ ରିଟର୍ଣ୍ଣ ଲୋଭ, ଖାଲି କରିଦେଉଥିଲେ ବ୍ୟାଙ୍କ ଆକାଉଣ୍ଟ। ଫେସବୁକ୍-ହ୍ୱାଟ୍ସଆପରେ ନିବେଶର ଜାଲ ବିଛାଇ ୯୧ ଲକ୍ଷ ୯୦ ହଜାର ଟଙ୍କା ଠକେଇ। ମାମଲାରେ ୪ ଜଣଙ୍କୁ ଗିରଫ କରିଛି ସାଇବର କ୍ରାଇମ୍ ଆଣ୍ଡ ଇକୋନୋମିକ୍ ଅଫେନ୍ସ ଥାନା ପୁଲିସ। ଅଭିଯୋଗ ଅନୁସାରେ ଗତ ଜୁଲାଇ ୧ରୁ ଅଗଷ୍ଟ ୧୫ ମଧ୍ୟରେ ଏକ ହ୍ୱାଟ୍ସଆପ୍ ଗ୍ରୁପରେ ଅଭିଯୁକ୍ତମାନେ ଲୋକଙ୍କୁ ଯୋଡ଼ିଥିଲେ ।
ନିବେଶ କଲେ ଦୁଇଗୁଣ ରିଟର୍ଣ୍ଣ ମିଳିବ ବୋଲି ଦିଆଯାଇଥିଲା ପ୍ରଲୋଭନ। ଏଥିରେ ବିଶ୍ୱାସ କରି କିଛି ଲୋକ ପର୍ଯ୍ୟାୟକ୍ରମେ ବିଭିନ୍ନ ଆକାଉଣ୍ଟକୁ ପଠାଇଥିଲେ ମୋଟ ୯୧ ଲକ୍ଷ ୯୦ ହଜାର ଟଙ୍କା। ପରେ ଟଙ୍କା ଫେରାଇବାକୁ ଚେଷ୍ଟା କରିବାରୁ ଖୋଲିଥିଲା ଠକେଇର ଅସଲ ଚିତ୍ର। ଟଙ୍କା ଉଠାଇବାକୁ ଯାଇ ଆକାଉଣ୍ଟ ବ୍ଲକ୍ ହୋଇଯାଇଥିବା ଜାଣିବାକୁ ପାଇଥିଲେ । ସାଇବର ପୋଲିସ ତଦନ୍ତ ବେଳେ ଭଦ୍ରକର ଏକ ମ୍ୟୁଲ୍ ଆକାଉଣ୍ଟ ନେଟଓ୍ୱର୍କର ପର୍ଦ୍ଦାଫାସ କରିବା ସହିତ ୪ ଜଣଙ୍କୁ ଗିରଫ କରିଛି ।
ଗିରଫ ଅଭିଯୁକ୍ତ ହେଲେ ସାଇ ଶୁଭମ ସୁଆର, ଭବାନୀ ଶଙ୍କର ରାୟ, ଶିଶିର କୁମାର ଜେନା ଓ ବିଶ୍ୱଜିତ ଜେନା । ମ୍ୟୁଲ୍ ଆକାଉଣ୍ଟକୁ ଆସୁଥିବା ଠକେଇ ଟଙ୍କାକୁ ତୁରନ୍ତ ଅନ୍ୟ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କିମ୍ବା କ୍ରିପ୍ଟୋକରେନ୍ସିରେ ବିନିଯୋଗ କରାଯାଉଥିଲା। ତଦନ୍ତ ବେଳେ ଅଭିଯୁକ୍ତଙ୍କ ବିଦେଶୀ ନେଟୱର୍କ ସମ୍ପର୍କରେ ମଧ୍ୟ ପୋଲିସ ଜାଣିବାକୁ ପାଇଛି ।
- ଡବଲ୍ ରିଟର୍ଣ୍ଣ ଲୋଭ ଦେଖାଇ ସାଇବର ଲୁଟ୍
- ଲୁଟିନେଇଗଲେ ୯୧ ଲକ୍ଷ ୯୦ ହଜାର ଟଙ୍କା
- ଫେସବୁକ୍-ହ୍ୱାଟ୍ସଆପରେ ବିଛାଇଥିଲେ ନିବେଶ ଜାଲ
- ଭଦ୍ରକରୁ ୪ ଜଣଙ୍କୁ ଗିରଫ କଲା ସାଇବର ପୋଲିସ
- ଭଦ୍ରକର ମ୍ୟୁଲ୍ ଆକାଉଣ୍ଟ ନେଟଓ୍ୱର୍କର ପର୍ଦ୍ଦାଫାସ
- ଗିରଫ ଅଭିଯୁକ୍ତଙ୍କର ରହିଛି ବିଦେଶୀ ଲିଙ୍କ୍
- ଠକେଇ ଟଙ୍କାକୁ କ୍ରିପ୍ଟୋରେ ବିନିଯୋଗ କରୁଥିଲେ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।