Wholesale Inflation Rises Sharply: ହୋଲସେଲ୍ ସହ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି, ନୂଆ ତଥ୍ୟ ଦେଖି ବଢ଼ିଲା ଚିନ୍ତା!

Oct 14, 2026 - 14:28
Wholesale Inflation Rises Sharply: ହୋଲସେଲ୍ ସହ ଖୁଚୁରା ମୁଦ୍ରାସ୍ଫୀତି ବୃଦ୍ଧି, ନୂଆ ତଥ୍ୟ ଦେଖି ବଢ଼ିଲା ଚିନ୍ତା!

ଦେଶରେ ମହଙ୍ଗା ମାଡ଼ ଆହୁରି ବଢ଼ିଛି। ଖାଦ୍ୟ ସାମଗ୍ରୀ ଓ ଇନ୍ଧନ ଦର ବୃଦ୍ଧି ଯୋଗୁଁ ସେପ୍ଟେମ୍ବରରେ ହୋଲସେଲ୍ ମୁଦ୍ରାସ୍ଫୀତି ୧୧.୩୯ ପ୍ରତିଶତକୁ ବୃଦ୍ଧି ପାଇଛି। ଅଗଷ୍ଟରେ ଏହି ହାର ୯.୯୨ ପ୍ରତିଶତ ଥିଲା। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ, ଖାଦ୍ୟ, ଇନ୍ଧନ ଏବଂ ଶିଳ୍ପରେ ବ୍ୟବହୃତ ସାମଗ୍ରୀର ଦର ବଢ଼ିବା ଏହାର ପ୍ରମୁଖ କାରଣ।

ସେପ୍ଟେମ୍ବରରେ ଖାଦ୍ୟ ସାମଗ୍ରୀର ହୋଲସେଲ୍ ମୁଦ୍ରାସ୍ଫୀତି ୮.୧୪ ପ୍ରତିଶତକୁ ବଢ଼ିଛି। ଅଗଷ୍ଟରେ ଏହା ୫.୬୭ ପ୍ରତିଶତ ଥିଲା। ସେହିପରି ଇନ୍ଧନ ଓ ବିଦ୍ୟୁତ୍ କ୍ଷେତ୍ରରେ ମୁଦ୍ରାସ୍ଫୀତି ୨୫.୮୫ ପ୍ରତିଶତରେ ପହଞ୍ଚିଛି। ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ୍ ଦର ବୃଦ୍ଧି ମଧ୍ୟ ଏହାର ଏକ ପ୍ରମୁଖ କାରଣ।

ଅନ୍ୟପଟେ, ଶିଳ୍ପ ଉତ୍ପାଦିତ ସାମଗ୍ରୀର ମୁଦ୍ରାସ୍ଫୀତି ଅଗଷ୍ଟର ୮.୩୭ ପ୍ରତିଶତରୁ ବଢ଼ି ସେପ୍ଟେମ୍ବରରେ ୯.୭୬ ପ୍ରତିଶତ ହୋଇଛି। ଧାତୁ, ରାସାୟନିକ ସାମଗ୍ରୀ, ବସ୍ତ୍ର ଓ ରବର ଉତ୍ପାଦର ଦର ମଧ୍ୟ ବଢ଼ିଛି।

କେବଳ ହୋଲସେଲ୍ ନୁହେଁ, ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ବଢ଼ିଛି। ଅଗଷ୍ଟରେ ୪.୮୩ ପ୍ରତିଶତ ଥିବା ଖୁଚୁରା ମୁଦ୍ରାସ୍ଫୀତି ସେପ୍ଟେମ୍ବରରେ ୫.୫୪ ପ୍ରତିଶତକୁ ପହଞ୍ଚିଛି। ଫଳରେ ସାଧାରଣ ଲୋକଙ୍କ ଘରୋଇ ବଜେଟ୍ ଉପରେ ଚାପ ବଢ଼ିବା ଆଶଙ୍କା ରହିଛି।

ଏପଟେ ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି, କେବଳ ମୋଟ ମୁଦ୍ରାସ୍ଫୀତି ହାରକୁ ଦେଖି ନିଷ୍ପତ୍ତି ନିଆଯାଏ ନାହିଁ। ଦରବୃଦ୍ଧିର ପ୍ରକୃତ କାରଣ ଓ ଏହାର ବ୍ୟାପକ ପ୍ରଭାବକୁ ମଧ୍ୟ ଅନୁଧ୍ୟାନ କରାଯାଏ। ଆଗାମୀ ଦିନରେ ମୁଦ୍ରାସ୍ଫୀତି ଓ ଆର୍ଥିକ ଅଭିବୃଦ୍ଧିର ସ୍ଥିତିକୁ ଦେଖି ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।