WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଦେଲେ ଏହି ବଡ଼ କାରଣ…
ଢାକା,୧୦ା୯: ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ଝିଅ ସାଇମା ଓ୍ବାଜେଦ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO)ର ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରୀୟ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ଆର୍ଥିକ ଅନିୟମିତତା ଏବଂ ଅନ୍ୟାନ୍ୟ ଅଭିଯୋଗକୁ ନେଇ WHO ଏବଂ ବାଂଲାଦେଶର ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ତଦନ୍ତ ଚାଲିଥିବାବେଳେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ସାଇମା ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।
ସାଇମା ୧ ଫେବୃଆରୀ ୨୦୨୪ରେ WHO ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ରୀୟ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ୫ ବର୍ଷ ଅର୍ଥାତ୍ ଜାନୁଆରୀ ୨୦୨୯ ପର୍ଯ୍ୟନ୍ତ ସ୍ଥିର ହୋଇଥିଲା।
ବାଂଲାଦେଶର ଦୁର୍ନୀତି ନିବାରଣ ସଂସ୍ଥା ଦ୍ୱାରା ଅଭିଯୋଗ ଆସିବା ପରେ ଜୁଲାଇ ୨୦୨୫ରେ ତାଙ୍କୁ ପ୍ରଶାସନିକ ଛୁଟିରେ ରଖାଯାଇଥିଲା। ଫଳରେ ସେ ପ୍ରାୟ ଏକ ବର୍ଷ ଧରି ବିନା ଦରମାରେ ଛୁଟିରେ ଥିଲେ। ରିପୋର୍ଟ ଅନୁଯାୟୀ, ତାଙ୍କ ବିରୋଧରେ ଚୀନ ଯାତ୍ରା ଖର୍ଚ୍ଚ ସହ ଜଡ଼ିତ ଆର୍ଥିକ ଠକେଇ, ଶିକ୍ଷାଗତ ଯୋଗ୍ୟତା ବାବଦରେ ମିଥ୍ୟା ସୂଚନା ଏବଂ ବାଂଲାଦେଶରେ ଜମି ଅଧିଗ୍ରହଣ ସମ୍ପର୍କିତ ଅନିୟମିତତାର ଅଭିଯୋଗ ଉଠିଥିଲା। ଏହା ପରେ WHO ମଧ୍ୟ ତାଙ୍କ ବିରୋଧରେ ସ୍ବତନ୍ତ୍ର ତଦନ୍ତ ଆରମ୍ଭ କରିଥିଲା।
WHO ତଦନ୍ତରେ ତାଙ୍କ ଚାଇନା ଯାତ୍ରା ଖର୍ଚ୍ଚକୁ ନେଇ ପ୍ରଶ୍ନ ଉଠିଥିଲା। ସାଇମାଙ୍କ ଓକିଲମାନେ କୌଣସି ଆର୍ଥିକ ଠକେଇକୁ ଅସ୍ବୀକାର କରିବା ସହ ପ୍ରାୟ $୯୦୧ (ଡଲାର)ର ଯାତ୍ରା ଖର୍ଚ୍ଚ ଏକ କର୍ମଚାରୀଙ୍କ ପ୍ରଶାସନିକ ତ୍ରୁଟି ହେତୁ ହୋଇଥିଲା ବୋଲି ସ୍ପଷ୍ଟ କରିଛନ୍ତି।
ଅଟିଜିମ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ତାଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ମିଳିଥିଲା ଏବଂ ଏ ବାବଦରେ ସେ WHO ନେତୃତ୍ୱକୁ ଆଗରୁ ଅବଗତ କରାଇଥିଲେ। WHO ରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ସ୍ବତନ୍ତ୍ର ବାଂଲାଦେଶୀ ଆଇନ ଅନୁଯାୟୀ ଏହି ଜମି ଅଧିଗ୍ରହଣ କରିଥିଲେ ବୋଲି ଦାବି କରିଛନ୍ତି।
ତାଙ୍କ ଇସ୍ତଫା ପତ୍ରରେ ସାଇମା WHO ନେତୃତ୍ୱ ଉପରେ ବିଶ୍ୱାସ ହରାଇଥିବା କଥା ଉଲ୍ଲେଖ କରିଛନ୍ତି। ଦୀର୍ଘ ଦିନ ବିନା ଦରମାରେ ଛୁଟିରେ ରହିବା ଯୋଗୁ ତାଙ୍କର ଆର୍ଥିକ ପରିସ୍ଥିତି କଷ୍ଟକର ହୋଇପଡ଼ିଥିଲା। ଅଞ୍ଚଳର ଦେଶଗୁଡ଼ିକୁ ସେବା କରିବା ପାଇଁ ସେ ର୍ନିବାଚିତ ହୋଇଥିଲେ ମଧ୍ୟ ବର୍ତ୍ତମାନର ସ୍ଥିତିରେ ଦାୟିତ୍ୱ ସଠିକ ଭାବେ ର୍ନିବାହ କରିବା ସମ୍ଭବ ହେଉ ନଥିବାରୁ ସେ ପଦ ଛାଡ଼ିଥିବା ପ୍ରକାଶ କରିଛନ୍ତି।
ସାଇମାଙ୍କ ଇସ୍ତଫା ପରେ WHO ଦକ୍ଷିଣ-ପୂର୍ବ ଏସିଆ କ୍ଷେତ୍ର ପାଇଁ ନୂତନ ଆଞ୍ଚଳିକ ନିର୍ଦ୍ଦେଶକ ଚୟନ ପ୍ରକ୍ରିୟା ଆରମ୍ଭ କରିବ। ରିପୋର୍ଟ ଅନୁଯାୟୀ, ଅକ୍ଟୋବରରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇ ଜାନୁଆରୀରେ ନିର୍ବାଚନ ଅନୁଷ୍ଠିତ ହେବ। WHO ନିୟମାନୁସାରେ, ଏହି ଆଞ୍ଚଳିକ ନିର୍ଦ୍ଦେଶକ ୧୧ଟି ସଦସ୍ୟ ଦେଶର ୨ ବିଲିୟନରୁ ଅଧିକ ଲୋକଙ୍କ ସ୍ବାସ୍ଥ୍ୟ ସେବାର ତଦାରଖ କରିଥାନ୍ତି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।