Will a Cyclone Hit Odisha: ବଙ୍ଗୋପସାଗରରେ ବାତ୍ୟା ନିଶ୍ଚିତ ! ୨୩ରେ ଲଘୁଚାପ, ବାତ୍ୟା ପାଇଁ ପାଗ ଅନୁକୂଳ

Oct 21, 2026 - 19:36
Will a Cyclone Hit Odisha: ବଙ୍ଗୋପସାଗରରେ ବାତ୍ୟା ନିଶ୍ଚିତ ! ୨୩ରେ ଲଘୁଚାପ, ବାତ୍ୟା ପାଇଁ ପାଗ ଅନୁକୂଳ

ଘନଉଛି ବାତ୍ୟା ଅଶଙ୍କା। ମାସେ ଯାଇନି ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଛି ସମ୍ଭାବ୍ୟ ଲଘୁଚାପ। ତେବେ ଏଥର ଏହା ଗଭୀର ଅବପାତରୁ ଆଗକୁ ଯାଇ ବାତ୍ୟାର ରୂପ ନେଇପାରେ। ପାଣିପାଗ ବିଶେଷଜ୍ଞ ଶରତ ସାହୁଙ୍କ ଆକଳନ ଅନୁସାରେ, ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି। ଏହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଛି। ଆଜି ଘୂର୍ଣ୍ଣିବଳୟ ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ସମ୍ଭାବନା ରହିଛି। ଏପରି ହେଲେ ଆସନ୍ତା ୨୩ ତାରିଖ ବେଳକୁ ଏହା ଲଘୁଚାପର ରୂପ ନେଇପାରେ ଏବଂ ଅକ୍ଟୋବର ୨୭ ସୁଦ୍ଧା ଅବପାତରେ ପରିଣତ ହେବ। ପରେ କେନ୍ଦ୍ରୀୟ ବଙ୍ଗୋପସାଗରକୁ ଗତି କରି ଦୁଇ ଦିନ ମଧ୍ୟରେ ବାତ୍ୟାର ରୂପ ନେଇପାରେ। ପାଗ ଅନୁକୂଳ ଥିବାରୁ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ଅଧିକ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ। 

ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ରନାଥ ପଶୁପାଳକ ମଧ୍ୟ ସମ୍ଭାବ୍ୟ ଲଘୁଚାପ ବାତ୍ୟାର ରୂପ ନେବା ସପକ୍ଷରେ ମତ ରଖିଛନ୍ତି। କହିଛନ୍ତି, ଆସନ୍ତା ୨୩ରେ ଲଘୁଚାପ, ୨୪ରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ, ୨୫ରେ ଅବପାତ, ୨୬ରେ ଗଭୀର ଅବପାତ ଏବଂ ୨୮ରେ ଘୂର୍ଣ୍ଣିବାତ୍ୟାରେ ପରିଣତ ହେବାକୁ ଅସ୍ବୀକାର କରାଯାଇନପାରେ। ତେବେ ଏହାର ଶକ୍ତି ଓ ଗତିପଥ ଏବେଠୁ କହିବା ମୁସ୍କିଲ। 

ଅନେକ ବିଦେଶୀ ପାଣିପାଗ ଏଜେନ୍ସି ତ ବାତ୍ୟା ସୃଷ୍ଟି ହେବା ନିଶ୍ଚିତ ବୋଲି ଦର୍ଶାଇଛନ୍ତି। ଏପରିକି ସାଇକ୍ଲୋନ୍ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଦେଇ ଅତିକ୍ରମ କରିବା ନେଇ ପୂର୍ବାନୁମାନ କରିଛନ୍ତି। ୟୁରୋପିଆନ୍ ମଡେଲ କହିଛି, ସମ୍ଭାବ୍ୟ ବାତ୍ୟା ୨୭ତାରିଖ ବେଳକୁ ଉପକୂଳ ନିକଟବର୍ତ୍ତି ହୋଇପାରେ, ୨୮ରେ ଉପକୂଳକୁ ଛୁଇଁପାରେ। ତେବେ ଏହା କେଉଁ ଅଂଚଳରେ ଏବଂ କେବେ ସ୍ଥଳଭାଗ ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନି। ଏପରିକି ସମ୍ଭାବ୍ୟ ବାତ୍ୟାର ଶକ୍ତି ଓ ଗତିପଥ ବି ଅନିଶ୍ଚିତ। ସେପଟେ ବାତ୍ୟା ନେଇ ଏଯାଏ କୌଣସି ସୂଚନା ଜାରି କରିନି IMD। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଥାଇଲାଣ୍ଡ ଉପସାଗର ଓ ଏହା ସଂଲଗ୍ନ ଥାଇଲାଣ୍ଡ ଓ ମିଆଁମାର ଉପରେ ରହିଥିବା ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆଜି ଏହା ଉତ୍ତର ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ସମ୍ଭାବନା ରହିଛି। ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଏହାର ପ୍ରଭାବରେ ଅକ୍ଟୋବର ୨୩ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହା ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଂଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ପରେ ଏହା ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ୩ ଦିନ ମଧ୍ୟରେ ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି। 

ସେପଟେ ବର୍ତ୍ତମାନ ଆଉ ଏକ ଲଘୁଚାପ କ୍ଷେତ୍ର ତାମିଲନାଡୁ ଉପକୂଳରେ ରହିଛି। ଏହା ପଶ୍ଚିମ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ତାମିଲନାଡୁ ଓ କେରଳ ମଧ୍ୟରେ ସ୍ଥଳଭାଗ ଦେଇ ଅତିକ୍ରମ କରିବା ସମ୍ଭାବନା ରହିଛି। ତେବେ ସ୍ଥଳଭାଗ ଛୁଇଁବା ବେଳେ ଏହା ଦୁର୍ବଳ ହୋଇଯାଇପାରେ କିମ୍ବା ଆରବ ସାଗରରେ ପୁଣି ଘନୀଭୂତ ହୋଇପାରେ। ଏହା ୨୪ ତାରିଖ ବେଳକୁ ଆରବ ସାଗରରେ ପହଁଚିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।  

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।