Will Rakhi Reach Brothers on Time: ବନ୍ୟା କରିଦେଲା ଡାକସେବା ଜଳବନ୍ଦୀ, ଡାକଘରେ ଅଟକିଛି ଭଉଣୀର ରାକ୍ଷୀ

Aug 25, 2026 - 20:21
Will Rakhi Reach Brothers on Time: ବନ୍ୟା କରିଦେଲା ଡାକସେବା ଜଳବନ୍ଦୀ, ଡାକଘରେ ଅଟକିଛି ଭଉଣୀର ରାକ୍ଷୀ

ଭାଇ ପାଇଁ ଭଉଣୀ ପଠାଇଲାଣି ରାକ୍ଷୀ...ହେଲେ ରାକ୍ଷୀ ଆସୁନି ଭାଇ ପାଖକୁ...ଏଥର ରାକ୍ଷୀ ବାନ୍ଧିବ ତ ଭାଇ ? ସ୍ନେହରେ ଭଉଣୀ ପଠାଇଥିବା ଡୋରୀ ବାନ୍ଧି ଭଉଣୀର ସୁରକ୍ଷା ପାଇଁ ସଂକଳ୍ପ ନେଇପାରିବ ତ ? ଘାରିଛି ବଡ଼ ଆଶଙ୍କା। କାରଣ ଦିନକ ପରେ ରାକ୍ଷୀ। କିନ୍ତୁ ବନ୍ୟାଞ୍ଚଳରେ ଗମନାଗମନ ବିଚ୍ଛିନ୍ନ ହୋଇଯାଇଥିବାରୁ ନା ଡାକବାଲା ଘରକୁ ଯାଇ ରାକ୍ଷୀ ଡେଲିଭରି କରିପାରୁଛନ୍ତି ନା ଭାଇଟିଏ ଡାକଘରକୁ ଆସି ରାକ୍ଷୀ ନେଇଯାଇପାରୁଛି। ଫଳରେ ଡାକଘରେ ପଡ଼ିରହିଛି ଭାଇ-ଭଉଣୀଙ୍କ ସଂପର୍କର ଡୋରୀ। 

ଅର୍ଥାତ ଏଥର ରାକ୍ଷୀବେଳକୁ ଦୂରରେ ରହୁଥିବା ଭାଇ-ଭଉଣୀଙ୍କ ପାଇଁ ବାଧକ ସାଜିଛି ବନ୍ୟା। ଏ ଚିତ୍ର ହେଉଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇର ହେଡ୍ ପୋଷ୍ଟ ଅଫିସର, ଆଉ ଏ ହେଉଛି ଯାଜପୁର ବରୀ କଳାମାଟିଆର ପୋଷ୍ଟ ଅଫିସର। ସ୍ପିଡ୍ ପୋଷ୍ଟ ହେଉ କି ଜେନେରାଲ୍। କୌଣସି ଚିଠି ବି ଏଠାରୁ ଗ୍ରାମାଞ୍ଚଳକୁ ଯାଇପାରୁନି। ଆଜିକୁ ପ୍ରାୟ ୨ ସପ୍ତାହ ହେଲାଣି ବର୍ଷା ବନ୍ୟା ଭିତରେ ସବୁ ଏଇଠି ପଡ଼ିରହିଛି। କେତେବେଳେ କରେଣ୍ଟ ନଥିଲେ ନେଟ୍ ବନ୍ଦ ତ ଆଉ କେଉଁଠି ବର୍ଷା ବନ୍ୟା ଯୋଗୁଁ ରାସ୍ତା ବନ୍ଦ। ଫଳରେ ଭାଇ ପାଖକୁ ପହଞ୍ଚିପାରୁନି ରାକ୍ଷୀ।   

ଖାଲି ରାକ୍ଷୀ ନୁହେଁ, ଅନେକ ଜରୁରୀ ଚିଠି, ଏପରିକି କୋର୍ଟ ଅର୍ଡର୍ ବି ପହଞ୍ଚିପାରୁନି ମହକିଲଙ୍କ ପାଖରେ। ବ୍ରାହ୍ମଣୀରେ ଦୀର୍ଘ ଦିନ ଧରି ବନ୍ୟା ରହିଥିବାରୁ ପ୍ରଭାବିତ ହୋଇଛି ପଟ୍ଟାମୁଣ୍ଡାଇ ବ୍ଲକ l ଏହି ବ୍ଲକର ୧୪ଟି ପଂଚାୟତ ସହ ମୁନିସିପାଲିଟିର ୮ ୱାର୍ଡ ଜଳ ମଗ୍ନ। ତାହାରି ଭିତରେ କୁମ୍ଭୀର, ସାପର ଭୟ। ତେଣୁ ଜୀବନ ବିକଳରେ ଡାକ କର୍ମଚାରୀ ବି ଡେଲିଭରି ଦେଇପାରୁନାହାଁନ୍ତି। କାରଣ ସବୁଠାରୁ ବିଶ୍ୱସ୍ତ ଡାକସେବାକୁ ଆଜି ଜଳବନ୍ଦୀ କରିଦେଇଛି ବନ୍ୟା। ଖାଲି ଯାହା, ଲୋକଙ୍କୁ ଫୋନ୍ କରି ଡାକୁଛନ୍ତି ଡାକ କର୍ମଚାରୀ। ଲୋକେ ବି ଆସିବେ କୁଆଡୁ। ସବୁ ଗୁରୁତ୍ବପୂର୍ଣ୍ଣ ଚିଠିପତ୍ର ସହ ପାର୍ସଲ ପଡ଼ିରହିଛି ଡାକ ଘରେ। 

ଗତବର୍ଷ ବି ଠିକ୍ ଏହି ରାକ୍ଷୀ ବେଳେ ପୋଷ୍ଟ ଅଫିସରେ ଲିଙ୍କ୍ ଫେଲ୍ ଯୋଗୁ ଟେନସନ୍ ବଢ଼ିଥିଲା ଭାଇ ଉଭଣୀଙ୍କର। ଆଉ ଏଥର ବନ୍ୟା ଓଗାଳିଛି ଡାକ ବାଲାଙ୍କ ବାଟ। ଅବଶ୍ୟ ଏଇ ୨ ଦିନ ହେଲା ବର୍ଷା ଟିକେ ଥମିଛି। ନଦୀ ଗୁଡ଼ିକରେ ଜଳସ୍ତର ଖସିଛି। କିନ୍ତୁ ଦିନକ ପରେ ରାକ୍ଷୀ ଥିବାରୁ ଗୋଟିଏ ଦିନ ଭିତରେ ଗନ୍ତବ୍ୟ ସ୍ଥାନରେ ପହଞ୍ଚିପାରିବ ତ ରାକ୍ଷୀ ? ସମସ୍ତଙ୍କ ମନରେ ଆଶଙ୍କା ଦେଖାଦେଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।