Woman Found Dead: ଝିଅକୁ ଲଣ୍ଡନରେ ଖୋଜୁଥିଲେ ପରିବାର, ପୁଣେରେ ମିଳିଲା ମୃତଦେହ
ମହାରାଷ୍ଟ୍ରର ପୁଣେରେ ଜଣେ ୩୪ ବର୍ଷୀୟ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚର୍ଚ୍ଚା।
ମୃତ ମହିଳା ହେଉଛନ୍ତି ମୁଗ୍ଧା ଅବିନାଶ ଦେଶମୁଖ।
ପରିବାର ଲୋକେ ଭାବୁଥିଲେ ଯେ ମୁଗ୍ଧା ଲଣ୍ଡନରେ ରହି ଏମ୍ବିଏ ପଢୁଛନ୍ତି।
ହେଲେ ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ସେ ଅଗଷ୍ଟ ମାସରୁ ହିଁ ଲଣ୍ଡନ ଛାଡ଼ି ଭାରତ ଫେରିଆସିଥିଲେ।
ପରେ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚରୁ ସେ ପୁଣେରେ ରହୁଥିବା ଜଣାପଡ଼ିଥିଲା।
ପରିବାର ଲୋକେ ପୁଲିସ ସହ ତାଙ୍କ ଫ୍ଲାଟ୍ରେ ପହଞ୍ଚିବା ପରେ ଭିତରୁ ମୁଗ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ତେବେ ତାଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଛି, ତାହା ଏବେ ବି ରହସ୍ୟ ଘେରରେ।
Advertisment ପୁଲିସ ସୂଚନା ଅନୁସାରେ, ମୁଗ୍ଧାଙ୍କ ବାପା ଅବିନାଶ ଦେଶମୁଖ ଛତ୍ରପତି ସମ୍ଭାଜୀନଗରର ଏକ ଥାନାରେ ଝିଅ ନିଖୋଜ ଥିବା ନେଇ ଅଭିଯୋଗ କରିଥିଲେ।
ପରିବାର ଲୋକଙ୍କ ଧାରଣା ଥିଲା ଯେ ମୁଗ୍ଧା ଲଣ୍ଡନରେ ରହି ଏମ୍ବିଏ ପଢ଼ୁଛନ୍ତି।
ଅକ୍ଟୋବର ୨୩ ତାରିଖରେ ମୁଗ୍ଧା ଶେଷ ଥର ପାଇଁ ନିଜ ବାପାମାଆଙ୍କ ସହ ଫୋନ୍ରେ କଥା ହୋଇଥିଲେ।
ଏହି ସମୟରେ ତାଙ୍କର କୌଣସି ଏକ ସ୍ଥାନରେ ସାକ୍ଷାତକାର ଥିବା କଥା କହି ତରବରିଆ ଭାବେ ଫୋନ୍ କାଟି ଦେଇଥିଲେ।
ପରଦିନ ପରିବାର ଲୋକେ ମୁଗ୍ଧାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ।
କିନ୍ତୁ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଥିଲା।
ବାରମ୍ବାର ଫୋନ୍ କରିବା ସତ୍ତ୍ୱେ ଯୋଗାଯୋଗ ସମ୍ଭବ ନହେବାରୁ ପରିବାର ଲୋକଙ୍କ ଚିନ୍ତା ବଢ଼ିଥିଲା।
ଏହାପରେ ମୁଗ୍ଧାଙ୍କ ବାପା ଲଣ୍ଡନରେ ରହୁଥିବା ତାଙ୍କ ବନ୍ଧୁ ନିକିତାଙ୍କ ସହ ଯୋଗାଯୋଗ କରି ଝିଅ ସମ୍ପର୍କରେ ଖୋଜଖବର ନେବାକୁ କହିଥିଲେ।
Advertisment ନିକିତା ଏନେଇ ଲଣ୍ଡନ ପୁଲିସର ସହାୟତା ନେଇଥିଲେ।
ହେଲେ ସେଠାକାର ପୁଲିସଠାରୁ ମିଳିଥିବା ସୂଚନା ପୂରା ପରିବାରକୁ ଆଶ୍ଚର୍ଯ୍ୟ କରି ଦେଇଥିଲା।
ମୁଗ୍ଧା ଅଗଷ୍ଟ ମାସରେ ହିଁ ଲଣ୍ଡନ ଛାଡ଼ି ସାରିଥିବା ପୁଲିସ କହିଥିଲା।
ଏହାପରେ ପରିବାର ଲୋକେ ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଓ ଅନ୍ୟାନ୍ୟ ତଥ୍ୟ ଯାଞ୍ଚ କରିଥିଲେ।
ଏଥିରୁ ମୁଗ୍ଧା ଭାରତକୁ ଫେରି ପୁଣେରେ ରହୁଥିବା ଜଣାପଡ଼ିଥିଲା।
ସୂଚନା ଅନୁସାରେ, ମୁଗ୍ଧା ଅଗଷ୍ଟ ମାସରୁ ପୁଣେର ଲୋଢ଼ା ସୋସାଇଟିସ୍ଥିତ ଏକ ଫ୍ଲାଟ୍ରେ ରହୁଥିଲେ।
କିନ୍ତୁ ସେ ପୁଣେରେ ଥିବା କଥା ପରିବାର ଲୋକେ ଜାଣିନଥିଲେ।
ଏହାପରେ ଛତ୍ରପତି ସମ୍ଭାଜୀନଗର ପୁଲିସ ସହ ପରିବାର ଲୋକେ ପୁଣେରେ ପହଞ୍ଚିଥିଲେ।
ସେଠାରେ ପିମ୍ପ୍ରି-ଚିଞ୍ଚୱାଡ୍ ପୁଲିସ ଅଧୀନ ଶିରଗାଓଁ ଥାନାର ପୁଲିସ ଟିମ୍ର ସହାୟତା ନିଆଯାଇଥିଲା।
ପୁଲିସ ଓ ପରିବାର ଲୋକେ ମୁଗ୍ଧାଙ୍କ ଫ୍ଲାଟ୍ରେ ପହଞ୍ଚି କବାଟ ଖୋଲିବାକୁ ଚେଷ୍ଟା କରିଥିଲେ।
ହେଲେ ଭିତରୁ କୌଣସି ଉତ୍ତର ମିଳିନଥିଲା।
ଫୋନ୍ ମଧ୍ୟ ଲାଗିନଥିଲା।
ଶେଷରେ ପୁଲିସ ପହଞ୍ଚି କବାଟ ଭାଙ୍ଗି ମୁଗ୍ଧାଙ୍କ ମୃତଦେହ ଉଦ୍ଧାର କରିଥିଲା।
ପରେ ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ ମଧ୍ୟ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ।
ତଦନ୍ତ ଜାରି ରହିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।