Woman Tried To Attack Mamata Banerjee With Knife: ମମତାଙ୍କ ବାସଭବନ ନିକଟରେ ମହିଳା ଅଟକ, ଟିଏମ୍‌ସିର ସାଂଘାତିକ ଅଭିଯୋଗ

Oct 14, 2026 - 09:58
Woman Tried To Attack Mamata Banerjee With Knife: ମମତାଙ୍କ ବାସଭବନ ନିକଟରେ ମହିଳା ଅଟକ, ଟିଏମ୍‌ସିର ସାଂଘାତିକ ଅଭିଯୋଗ

ପଶ୍ଚିମବଙ୍ଗର ରାଜନୀତିରେ ପୁଣି ହଇଚଇ। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବାସଭବନ ନିକଟରେ ଜଣେ ମହିଳା ଛୁରୀରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିବା ଟିଏମ୍‌ସି ପକ୍ଷରୁ ଅଭିଯୋଗ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ କୋଲକାତାର କାଳୀଘାଟସ୍ଥିତ ମମତାଙ୍କ ବାସଭବନ ନିକଟରେ ଏହି ଘଟଣା ଘଟିଥିବା ଦଳ ଦାବି କରିଛି। ଅନ୍ୟପଟେ ପୋଲିସ ମହିଳାଙ୍କୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଟିଏମ୍‌ସିର ସାଧାରଣ ସମ୍ପାଦିକା ଦୋଳା ସେନ୍‌ ପୋଲିସରେ ଅଭିଯୋଗ କରିଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୬ଟାରେ ମମତା ବାନାର୍ଜୀ ନିଜ ବାସଭବନରୁ ବାହାରୁଥିବା ସମୟରେ ଜଣେ ମହିଳା ତାଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିବାକୁ ମାଡ଼ି ଆସିଥିଲେ। ମହିଳା ଜଣକ ଛୁରୀ ଧରିଥିବା ଟିଏମ୍‌ସି ଅଭିଯୋଗ କରିଛି। ଅଭିଯୋଗରେ ମହିଳାଙ୍କ ନାମ ତନିଷ୍ଠା ସାହା ବୋଲି ଉଲ୍ଲେଖ କରାଯାଇଛି। ସେ ଜଣେ ସିଭିକ୍‌ ଭଲେଣ୍ଟିୟର ଏବଂ ନିଜକୁ ମମତା ବାନାର୍ଜୀଙ୍କ ଭାଣିଜୀ ବୋଲି ପରିଚୟ ଦେଉଥିବା ଦଳ ଦାବି କରିଛି।

ଟିଏମ୍‌ସି ଆହୁରି ଅଭିଯୋଗ କରିଛି ଯେ, ମହିଳା ଜଣକ ନିଶାସକ୍ତ ଅବସ୍ଥାରେ ଥିଲେ। ଜେଡ୍‌-ପ୍ଲସ୍‌ ସୁରକ୍ଷା ପାଉଥିବା ଜଣେ ନେତ୍ରୀଙ୍କ ବାସଭବନ ନିକଟକୁ ଜଣେ ମହିଳା କିପରି ପହଞ୍ଚିଲେ, ତାହାକୁ ନେଇ ଦଳ ପ୍ରଶ୍ନ ଉଠାଇଛି। ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଛି କି ନାହିଁ, ସେନେଇ ମଧ୍ୟ ଟିଏମ୍‌ସି ସନ୍ଦେହ ପ୍ରକାଶ କରିଛି।

ଏହି ଘଟଣାକୁ ନେଇ ପୋଲିସ କିଛି ଅଲଗା କଥା କହିଛି। ପୋଲିସ ଅନୁଯାୟୀ, ମମତା ବାନାର୍ଜୀ ନିଜ ବାସଭବନରୁ ବାହାରୁଥିବା ସମୟରେ ୩୮ ବର୍ଷୀୟ ଅନୁସୂୟା ସାହା ନାମକ ଜଣେ ମହିଳାଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା। ଏହାପରେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀମାନେ ମହିଳାଙ୍କୁ ଅଟକ ରଖିଥିଲେ।

ପୋଲିସର ବିବୃତିରେ ଛୁରୀରେ ଆକ୍ରମଣ ଉଦ୍ୟମ କିମ୍ବା ମହିଳା ନିଶାସକ୍ତ ଥିବା ନେଇ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ। ଟିଏମ୍‌ସି ସଦସ୍ୟଙ୍କ ପକ୍ଷରୁ ଅଭିଯୋଗ ଦାଖଲ ହୋଇଥିବା ବେଳେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଥିବା ପୋଲିସ କହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।