Worker Shot Dead by Robbers: ୧.୫ କୋଟିର ଗହଣା ଲୁଟ୍, କର୍ମଚାରୀଙ୍କୁ ଗୁଳି କରି ହତ୍ୟା; ସିସିଟିଭିରେ କଏଦ ପୂରା ଦୃଶ୍ୟ

Oct 15, 2026 - 12:54
Worker Shot Dead by Robbers: ୧.୫ କୋଟିର ଗହଣା ଲୁଟ୍, କର୍ମଚାରୀଙ୍କୁ ଗୁଳି କରି ହତ୍ୟା; ସିସିଟିଭିରେ କଏଦ ପୂରା ଦୃଶ୍ୟ

ଏକ ଜୁଏଲାରୀ ଦୋକାନର ଜଣେ କର୍ମଚାରୀଙ୍କୁ ଗୁଳି କରି ହତ୍ୟା କରିବା ସହ ତାଙ୍କଠାରୁ ସୁନା ଓ ରୂପା ଗହଣା ଲୁଟି ନେଇଛନ୍ତି ଦୁଇ ମୁଖାପିନ୍ଧା ଦୁର୍ବୃତ୍ତ। ତାଙ୍କଠାରୁ ପ୍ରାୟ ୧.୫ କୋଟି ଟଙ୍କାର ସୁନା ଓ ରୁପା ଗହଣା ଥିବା ଏକ ବ୍ୟାଗ୍ ଲୁଟ୍ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଏଭଳି ଘଟଣା ଘଟିଛି ଗୁଜରାଟର ରାଜକୋଟରେ। ମୃତକ ହେଉଛନ୍ତି ତନ୍‌ଭି ଗୋଲ୍ଡ କମ୍ପାନୀର କର୍ମଚାରୀ ଲାଲଜୀଭାଇ ସରଧାରା। ବୁଧବାର ରାତିରେ ଘଟିଥିବା ଏହି ଘଟଣାର ସିସିଟିଭି ଫୁଟେଜ୍ ସାମ୍ନାକୁ ଆସିଛି।

ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି ଯେ, ଲାଲଜୀଭାଇ ନିଜର ଦୁଇଚକିଆ ଗାଡ଼ି ଷ୍ଟାର୍ଟ କରୁଥିବା ସମୟରେ ପଛପଟୁ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ତାଙ୍କ ପାଖକୁ ଆସିଥିଲେ। ଏହାପରେ ତାଙ୍କ ନିକଟରେ ଥିବା ସୁନା ଓ ରୁପା ଭର୍ତ୍ତି ବ୍ୟାଗ୍‌ଟିକୁ ଛଡ଼ାଇ ନେଇଥିଲେ। ଦୁର୍ବୃତ୍ତମାନେ ବ୍ୟାଗ୍ ନେଇ ଖସିଯିବାକୁ ଉଦ୍ୟମ କରିବାରୁ ଲାଲଜୀଭାଇ ସେମାନଙ୍କ ପଛରେ ଗୋଡ଼ାଇଥିଲେ। ଲୁଟ୍ ହୋଇଥିବା ବ୍ୟାଗ୍‌କୁ ଫେରାଇ ଆଣିବା ପାଇଁ ସେ ଚେଷ୍ଟା କରିଥିଲେ।

କିନ୍ତୁ ଏହି ସମୟରେ ଜଣେ ଦୁର୍ବୃତ୍ତ ଲାଲଜୀଭାଇଙ୍କ ଉପରକୁ ଗୁଳି ଚଳାଇଥିଲା। ଆକ୍ରମଣ ସମୟରେ ଦୁର୍ବୃତ୍ତ ଜଣକ ତିନି ରାଉଣ୍ଡ ଗୁଳି ଚଳାଇଥିବା ସୂଚନା ମିଳିଛି। ଏହାପରେ ଦୁଇ ଦୁର୍ବୃତ୍ତ ଏକ ମାରୁନ୍ ରଙ୍ଗର କାର୍‌ରେ ବସି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଗୁଳିମାଡ଼ରେ ଗୁରୁତର ହୋଇପଡ଼ିଥିବା ଲାଲଜୀଭାଇଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି। ଆଖପାଖ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରାଯାଉଛି। ଏହା ମାଧ୍ୟମରେ ଦୁର୍ବୃତ୍ତଙ୍କ ଗତିବିଧି ଏବଂ ସେମାନେ କେଉଁ ରାସ୍ତାରେ ଫେରାର ହୋଇଛନ୍ତି, ତାହା ଜାଣିବାକୁ ଉଦ୍ୟମ ଚାଲିଛି। ରାଜକୋଟରୁ ବାହାରକୁ ଯାଉଥିବା ବିଭିନ୍ନ ରାସ୍ତାରେ ନାକାବନ୍ଦୀ କରାଯାଇଛି। ଏଥିସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଅନ୍ୟ ଜିଲ୍ଲାର ପୁଲିସକୁ ମଧ୍ୟ ସତର୍କ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।