World champion: ବିଶ୍ବବିଜୟିନୀଙ୍କୁ ହରାଇଲେ ଅସ୍ମିତା ଓ ଅନାହତ
ପ୍ୟାରିସ୍: ଭାରତର ଅସ୍ମିତା ଚାଲିହା ଗୁରୁବାର ଚଳିତ ଫ୍ରେଞ୍ଚ ଓପନ୍ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି।
ମହିଳା ଏକକ ରାଉଣ୍ଡ-୧୬ରେ ୨୭ ବର୍ଷୀୟା ଅସ୍ମିତା ୨୧-୧୯, ୨୧-୧୮ ସିଧାସଳଖ ଗେମ୍ରେ ତୃତୀୟ ମାନ୍ୟତାପ୍ରାପ୍ତ ତଥା ୩ ଥର ବିଶ୍ବବିଜୟିନୀ ଅକାନେ ୟାମାଗୁଚିଙ୍କୁ ମାତ୍ ଦେଇଛନ୍ତି।
ଅସ୍ମିତା ଏଥିସହ ଜାପାନର ୟାମାଗୁଚିଙ୍କ ବିପକ୍ଷରେ ବିଜୟ ପରାଜୟ ସ୍ଥିତିକୁ ୧-୧ରେ ପହଞ୍ଚାଇଛନ୍ତି।
ଅସ୍ମିତା ଗତ ମାସରେ ବିଶ୍ବର ୨ ନମ୍ବର ୟାମାଗୁଚିଙ୍କଠୁ ଡେନ୍ମାର୍କ ଓପନ୍ରେ ହାରି ଯାଇଥିଲେ।
୨ ଥର ଅଲିମ୍ପିକ୍ସ ପଦକ ବିଜୟିନୀ ପିଭି ସିନ୍ଧୁ ୨୧-୧୨, ୨୧-୧୬ରେ ଜାପାନର ରିକୋ ଗୁଜିଙ୍କୁ ହରାଇ ଆଗକୁ ବଢ଼ିଛନ୍ତି।
ତେବେ ତନ୍ବୀ ଶର୍ମା ୧୧-୨୧, ୧୪-୨୧ରେ ଦକ୍ଷିଣ କୋରିଆର ଆନ୍ ସେ-ୟଙ୍ଗ୍ଙ୍କଠୁ ହାରି ବିଦାୟ ନେଇଛନ୍ତି।
Advertisment ନୂଆଦିଲ୍ଲୀ: ଭାରତୀୟ ସ୍କ୍ୱାସ୍ ତାରକା ଅନାହତ ସିଂହ ନିଜ ପେସାଦାର କ୍ୟାରିୟରର ସବୁଠୁ ବଡ଼ ବିଜୟ ହାସଲ କରିଛନ୍ତି।
ଆମେରିକାରେ ଚାଲିଥିବା ସିଲିକନ୍ ଭ୍ୟାଲି ଓପନ୍ରେ ସେ ୮ଥରର ବିଶ୍ବ ବିଜୟିନୀ ଇଜିପ୍ଟର ନୂର ଏଲ୍ ସେରବିନୀଙ୍କୁ ସିଧାସଳଖ ୩-୦ ଗେମ୍ରେ ପରାସ୍ତ କରି କ୍ୱାର୍ଟରଫାଇନାଲ୍ରେ ପ୍ରବେଶ କରିଛନ୍ତି।
ମାତ୍ର ୩୦ ମିନିଟ୍ରେ ମ୍ୟାଚ୍ ଶେଷ କରି ୧୮ ବର୍ଷୀୟା ଅନାହତ ଏହି ଚମକପ୍ରଦ ତଥା ସ୍ମରଣୀୟ ସଫଳତା ପାଇଛନ୍ତି।
ବୁଧବାରର ଏହି ମ୍ୟାଚ୍ରେ ଅନାହତ ବିଶ୍ୱର ୩ ନମ୍ବର ଖେଳାଳି ତଥା ପ୍ରତିଯୋଗିତାର ଶୀର୍ଷ ସିଡ୍ ଶେରବିନୀଙ୍କୁ ୧୧-୮, ୧୧-୮, ୧୧-୭ ଗେମ୍ରେ ହରାଇଥିଲେ।
ଉଭୟଙ୍କ ମଧ୍ୟରେ ଏହା ଥିଲା ପ୍ରଥମ ମୁକାବିଲା।
୧ ଲକ୍ଷ ୪୩ ହଜାର ୫୦୦ ଡଲାର ପୁରସ୍କାର ରାଶି ବିଶିଷ୍ଟ ପିଏସ୍ଏ ଗୋଲ୍ଡ ପ୍ରତିଯୋଗିତାରେ ଶେରବିନୀଙ୍କୁ ଫେଭରିଟ୍ ବିବେଚନା କରାଯାଉଥିଲା।
ହେଲେ ଅନାହତ ନିଜ ଦକ୍ଷତା ଓ ଆତ୍ମବିଶ୍ୱାସ ବଳରେ ତାଙ୍କୁ କୌଣସି ଗେମ୍ ଜିତିବାକୁ ସୁଯୋଗ ଦେଇନଥିଲେ।
ଏହି ବିଜୟ ଅନାହତଙ୍କ ପାଇଁ ଆହୁରି ସ୍ୱତନ୍ତ୍ର।
କାରଣ ଶେରବିନୀ ହେଉଛନ୍ତି ତାଙ୍କ ପିଲାଦିନର ଆଦର୍ଶ ଖେଳାଳି।
ମ୍ୟାଚ୍ ପରେ ଅନାହତ କହିଥିଲେ, “ମୁଁ ତାଙ୍କର ପ୍ରତ୍ୟେକ ମ୍ୟାଚ୍ ଦେଖି ବଡ଼ ହୋଇଛି।
ଆମ ଦୁହିଁଙ୍କର ପ୍ରଶିକ୍ଷକ ମଧ୍ୟ ଜଣେ।
ଏଣୁ ଏହି ବିଜୟ ମୋ ପାଇଁ ସ୍ବତନ୍ତ୍ର।”
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।