Yo Yo Honey Singh: ବଢ଼ିଲା ହନି ସିଂହଙ୍କ ଅଡୁଆ; ପଚରାଉଚରା ପାଇଁ ଡାକିଥିଲା ମହାରାଷ୍ଟ୍ର ସାଇବର, ହାଜର ହେଲେନି ରାପର୍

Oct 05, 2026 - 19:08
Yo Yo Honey Singh: ବଢ଼ିଲା ହନି ସିଂହଙ୍କ ଅଡୁଆ; ପଚରାଉଚରା ପାଇଁ ଡାକିଥିଲା ମହାରାଷ୍ଟ୍ର ସାଇବର, ହାଜର ହେଲେନି ରାପର୍

ନିଜ ଗୀତ ଓ ରାପ୍ରେ ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ଝୁମାଉଥିବା ୟୋ ୟୋ ହନି ସିଂହ ଏବେ ଅଡୁଆରେ। ଏକ କନସର୍ଟରେ କଥିତ ଆପତ୍ତିଜନକ ମନ୍ତବ୍ୟକୁ ନେଇ ହୋଇଥିବା ଅଭିଯୋଗ ଆଧାରରେ ମହାରାଷ୍ଟ୍ର ସାଇବର ତାଙ୍କୁ ପଚରାଉଚରା ପାଇଁ ସମନ କରିଥିଲା। ତେବେ ନିର୍ଦ୍ଧାରିତ ଦିନରେ ତଦନ୍ତକାରୀ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇନାହାନ୍ତି ହନି ସିଂହ। ଏବେ ସେ ହାଜର ହେବା ପାଇଁ ଅଧିକ ସମୟ ମାଗିଥିବା ସୂଚନା ମିଳିଛି।

ଭାରତୀୟ ମ୍ୟୁଜିକ୍ ଇଣ୍ଡଷ୍ଟ୍ରିର ଅନ୍ୟତମ ଲୋକପ୍ରିୟ ରାପର୍ ଓ ସିଙ୍ଗର୍ ୟୋ ୟୋ ହନି ସିଂହ। ‘ବ୍ଲୁ ଆଇଜ୍’, ‘ବ୍ରାଉନ୍ ରଙ୍ଗ’, ‘ଧୀରେ ଧୀରେ ସେ ମେରି ଜିନ୍ଦଗୀ’, ‘ଦେଶୀ କଳାକାର’, ‘ଅଙ୍ଗ୍ରେଜୀ ବିଟ୍’ ଏବଂ ‘ଲଭ୍ ଡୋଜ୍’ ଭଳି ଅନେକ ହିଟ୍ ଗୀତ ଦେଇ ସେ ଯୁବପିଢ଼ି ମଧ୍ୟରେ ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଛନ୍ତି। କିନ୍ତୁ ଏଥର ନିଜ ଗୀତ ପାଇଁ ନୁହେଁ, ଏକ ଅଭିଯୋଗକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ଏହି ଲୋକପ୍ରିୟ ରାପର୍।

ସୂଚନା ଅନୁଯାୟୀ, ମହାରାଷ୍ଟ୍ର ସାଇବର ପକ୍ଷରୁ ହନି ସିଂହଙ୍କୁ ପଚରାଉଚରା ପାଇଁ ସମନ ପଠାଯାଇଥିଲା। ତାଙ୍କୁ ତଦନ୍ତକାରୀ ଅଧିକାରୀଙ୍କ ସମ୍ମୁଖରେ ହାଜର ହେବାକୁ କୁହାଯାଇଥିଲା। କିନ୍ତୁ ନିର୍ଦ୍ଧାରିତ ସମୟରେ ସେ ମହାରାଷ୍ଟ୍ର ସାଇବର ଅଧିକାରୀଙ୍କ ନିକଟରେ ହାଜର ହୋଇନଥିବା ଜଣାପଡ଼ିଛି।

କାହିଁକି ହନି ସିଂହଙ୍କୁ ସମନ ?

ରିପୋର୍ଟ ଅନୁସାରେ, ଜଣେ ବ୍ୟକ୍ତି ହନି ସିଂହଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଏକ କନସର୍ଟ ସମୟରେ ହନି ସିଂହ କଥିତ ଭାବେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଉଲ୍ଲେଖ କରାଯାଇଛି। ଏହି ଅଭିଯୋଗ ପରେ ମହାରାଷ୍ଟ୍ର ସାଇବର ପକ୍ଷରୁ ମାମଲାକୁ ଗୁରୁତ୍ୱର ସହ ନିଆଯାଇ ହନି ସିଂହଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା।

ତଦନ୍ତକାରୀ ଅଧିକାରୀମାନେ ଅଭିଯୋଗ ସମ୍ପର୍କରେ ହନି ସିଂହଙ୍କ ପକ୍ଷ ଜାଣିବା ସହ ତାଙ୍କୁ ପଚରାଉଚରା କରିବାର ଥିଲା। ହେଲେ ରାପର୍ ନିର୍ଦ୍ଧାରିତ ଦିନରେ ହାଜର ହୋଇନାହାନ୍ତି।

ଆଉ କିଛି ସମୟ ମାଗିଲେ ହନି ସିଂହ

ହନି ସିଂହ ଏବେ ମହାରାଷ୍ଟ୍ର ସାଇବର ନିକଟରେ ହାଜର ହେବା ପାଇଁ ଆଉ କିଛି ସମୟ ମାଗିଛନ୍ତି। ତେବେ ତାଙ୍କୁ କେତେ ସମୟ ଦିଆଯିବ କିମ୍ବା ପରବର୍ତ୍ତୀ ସମୟରେ କେଉଁ ତାରିଖରେ ପଚରାଉଚରା ପାଇଁ ଡକାଯିବ, ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ।

ସେହିପରି ହନି ସିଂହଙ୍କ ବିରୋଧରେ ଆସିଥିବା ଆପତ୍ତିଜନକ ମନ୍ତବ୍ୟର ଅଭିଯୋଗ ଏପର୍ଯ୍ୟନ୍ତ ଅଭିଯୋଗ ସ୍ତରରେ ରହିଛି। ଏହାର ସତ୍ୟାସତ୍ୟ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ଏବେ ମହାରାଷ୍ଟ୍ର ସାଇବର ହନି ସିଂହଙ୍କୁ ପରବର୍ତ୍ତୀ ସମୟରେ କେବେ ହାଜର ହେବାକୁ କହୁଛି ଏବଂ ପଚରାଉଚରା ପରେ ମାମଲା କେଉଁ ଦିଗକୁ ଯାଉଛି, ତାହା ଉପରେ ନଜର ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।