Youth and Minor Girl Found Dead: ଯୁବକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର; ପ୍ରେମ ସମ୍ପର୍କ ଦିଗରେ ପୋଲିସର ତଦନ୍ତ

Oct 02, 2026 - 18:48
Youth and Minor Girl Found Dead:  ଯୁବକ ଓ ନାବାଳିକାଙ୍କ ମୃତଦେହ ଉଦ୍ଧାର; ପ୍ରେମ ସମ୍ପର୍କ ଦିଗରେ ପୋଲିସର ତଦନ୍ତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ମୋକିଆ ଗାଁରେ ଚାଞ୍ଚଲ୍ୟ। ଗାଁ ନିକଟସ୍ଥ ଏକ କାଜୁ ବାଡ଼ରୁ ଜଣେ ଯୁବକ ଓ ଜଣେ ନାବାଳିକାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ଯୁବକ ହେଲେ ମୋକିଆ ଗାଁର ପବିତ୍ର ଭତରା। ମୃତ ଯୁବତୀ ଜଣକ ନାବାଳିକା ହୋଇଥିବାରୁ ତାଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।

ପରିବାର ଓ ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ପବିତ୍ର ଗତକାଲି ରାତି ପ୍ରାୟ ୧୧ଟାରେ ଖାଇସାରି ଶୋଇବାକୁ ଯାଇଥିଲେ। ଅନ୍ୟପଟେ ଭୋର ପ୍ରାୟ ୩ଟାରୁ ନାବାଳିକା ଘରେ ନଥିବା ଜଣାପଡ଼ିଥିଲା।

ପରିବାର ଲୋକେ ଉଭୟଙ୍କୁ ଖୋଜାଖୋଜି କରୁଥିବା ବେଳେ ସକାଳେ କିଛି ଗ୍ରାମବାସୀ କାଜୁ ବାଡ଼ରେ ଦୁହିଁଙ୍କ ମୃତଦେହ ଦେଖିଥିଲେ। ପରେ ପରିବାର ଓ ପୋଲିସକୁ ସୂଚନା ଦିଆଯାଇଥିଲା।

ଦୁହିଁଙ୍କ ମଧ୍ୟରେ ଥିଲା ପ୍ରେମ ସମ୍ପର୍କ!

ସୂଚନା ପାଇ ପାପଡାହାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ସୂଚନା ମିଳିଥିବା ପୋଲିସ କହିଛି।

ସେପଟେ ପବିତ୍ରଙ୍କ ବିବାହ ପ୍ରାୟ ୪ ମାସ ପୂର୍ବରୁ ଅନ୍ୟ ଜଣେ ଯୁବତୀଙ୍କ ସହ ହୋଇଥିବା ଜଣାପଡ଼ିଛି। ଏହି ଘଟଣାର ସହ ସେହି ବିବାହ କିମ୍ବା ଉଭୟଙ୍କ ବ୍ୟକ୍ତିଗତ ସମ୍ପର୍କର କୌଣସି ଯୋଗସୂତ୍ର ରହିଛି କି ନାହିଁ, ତାହା ପୋଲିସ ଖତିଆନ କରୁଛି।

ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ

ଘଟଣାସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ତଦନ୍ତ କରିଛି। ମୃତ୍ୟୁର ପ୍ରକୃତ କାରଣ କ’ଣ, ଘଟଣା ପୂର୍ବରୁ କ’ଣ ଘଟିଥିଲା ଏବଂ ଏଥିରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ—ସେସବୁ ଦିଗରେ ଯାଞ୍ଚ କରାଯାଉଛି। ପୋଲିସ କହିଛି, ପୋଷ୍ଟମର୍ଟମ ରିପୋର୍ଟ ଓ ତଦନ୍ତ ଶେଷ ହେବା ପରେ ହିଁ ଘଟଣାର ସଠିକ୍ କାରଣ ସ୍ପଷ୍ଟ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।