YouTuber Flaunts Gold and Cash Online: ସୋସିଆଲ ମିଡିଆରେ ସୁନା-ଟଙ୍କା ଦେଖାଇଲେ, ଘରେ ପଶି ସବୁ ଲୁଟିନେଲେ ଲୁଟେରା

Sep 26, 2026 - 17:47
YouTuber Flaunts Gold and Cash Online: ସୋସିଆଲ ମିଡିଆରେ ସୁନା-ଟଙ୍କା ଦେଖାଇଲେ, ଘରେ ପଶି ସବୁ ଲୁଟିନେଲେ ଲୁଟେରା

ତାମିଲନାଡୁ କନ୍ୟାକୁମାରୀରେ ଜଣେ ୟୁଟ୍ୟୁବରଙ୍କ ଘରୁ ବଡ଼ ଧରଣର ଚୋରି ହୋଇଛି। ସୋସିଆଲ ମିଡିଆରେ ସୁନା ଅଳଙ୍କାର ଓ ବିଡ଼ା ବିଡ଼ା ଟଙ୍କା ଦେଖାଉଥିବା ୟୁଟ୍ୟୁବର ବିନୋଥ କୁମାରଙ୍କ ଘରୁ ପ୍ରାୟ ୯୪୪ ଗ୍ରାମ୍‌ ସୁନା ଓ ନଗଦ ଟଙ୍କା ଚୋରି ହୋଇଛି।

ନାଗରକୋଇଲ୍ ନିକଟ ଥମ୍ମାଥୁକୋନମ୍‌ର VIP ଗାର୍ଡେନ୍‌ରେ ବିନୋଥ କୁମାର ତାଙ୍କ ପତ୍ନୀ ମଧୁମିଥାଙ୍କ ସହ ରହୁଥିଲେ। ରାତିରେ ଦୁର୍ବୃତ୍ତମାନେ ଘରର ପଛପଟ କବାଟ ଭାଙ୍ଗି ଭିତରକୁ ପଶିଥିଲେ। ଘରେ ଥିବା ସୁନା ଓ ଟଙ୍କା ନେଇ ସେମାନେ ଫେରାର ହୋଇଯାଇଥିଲେ।

ଚୋରି ଘଟଣା ଜଣାପଡ଼ିବା ପରେ ରାଜକ୍କାମଙ୍ଗଲମ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘର ଓ ଆଖପାଖ ଅଞ୍ଚଳର CCTV ଫୁଟେଜ୍ ଯାଞ୍ଚ କରାଯାଉଛି। ଦୁର୍ବୃତ୍ତମାନେ କିପରି ଅଞ୍ଚଳକୁ ଆସିଥିଲେ ଏବଂ ଚୋରି ପୂର୍ବରୁ ଓ ପରେ ସେମାନଙ୍କ ଗତିବିଧି କେଉଁଠି ଥିଲା, ସେନେଇ ପୋଲିସ ତଦନ୍ତ କରୁଛି।

ଏହାସହ ୟୁଟ୍ୟୁବର ଦମ୍ପତିଙ୍କ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଯାଞ୍ଚ କରାଯାଉଛି। ସେମାନଙ୍କ ଭିଡିଓରେ ବହୁ ପରିମାଣର ସୁନା ଅଳଙ୍କାର ଓ ନଗଦ ଟଙ୍କା ଦେଖାଯାଇଥିବାରୁ, ଏହି ପୋଷ୍ଟ ଘରେ ଥିବା ମୂଲ୍ୟବାନ ସାମଗ୍ରୀ ସମ୍ପର୍କରେ ଅଜାଣତରେ ସୂଚନା ଦେଇଥିଲା କି ନାହିଁ, ତାହା ମଧ୍ୟ ଯାଞ୍ଚ କରୁଛି ପୋଲିସ। ଏବେ ଚୋରମାନଙ୍କୁ ଚିହ୍ନଟ କରିବା ସହ ଚୋରିର ପୂରା ଘଟଣାକ୍ରମ ଜାଣିବାକୁ ତଦନ୍ତ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।