Yuzvendra Chahal Retires From Red-Ball: ଚହଲଙ୍କ ବଡ଼ ଘୋଷଣା, ଅଧୁରା ରହିଲା ଟେଷ୍ଟ ସ୍ୱପ୍ନ
ଭାରତୀୟ ଲେଗ୍ ସ୍ପିନର୍ ୟୁଜବେନ୍ଦ୍ର ଚହଲ୍ ରେଡ୍-ବଲ୍ କ୍ରିକେଟ୍ରୁ ଅବସର ଘୋଷଣା କରିଛନ୍ତି। ୧୭ ବର୍ଷର କ୍ରିକେଟ୍ ଯାତ୍ରା ପରେ ସେ ଫାଷ୍ଟ୍-କ୍ଲାସ୍ କ୍ରିକେଟ୍କୁ ବିଦାୟ ଦେଇଛନ୍ତି। ତେବେ ଧଳା ବଲ୍ କ୍ରିକେଟ୍ରେ ଖେଳିବା ଜାରି ରଖିବେ ବୋଲି ଚହଲ୍ ସ୍ପଷ୍ଟ କରିଛନ୍ତି।
ଚହଲଙ୍କ ପାଇଁ ଟେଷ୍ଟ ଟିମ୍ରେ ଖେଳିବା ସବୁବେଳେ ଏକ ବଡ଼ ସ୍ୱପ୍ନ ଥିଲା। କିନ୍ତୁ ଭାରତ ପାଇଁ ସେ କେବେ ବି ଟେଷ୍ଟ ମ୍ୟାଚ୍ ଖେଳିବାର ସୁଯୋଗ ପାଇନଥିଲେ। ଶୁକ୍ରବାର ଇନ୍ଷ୍ଟାଗ୍ରାମ୍ରେ ଏକ ଭାବପ୍ରବଣ ପୋଷ୍ଟ କରି ଚହଲ୍ ନିଜ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି।
୨୦୦୯ରେ ହରିୟାଣା ପାଇଁ ଫାଷ୍ଟ୍-କ୍ଲାସ୍ ଡେବ୍ୟୁ କରିଥିବା ଚହଲ୍ ୪୯ଟି ମ୍ୟାଚ୍ରେ ୧୪୮ଟି ୱିକେଟ୍ ନେଇଛନ୍ତି। ତାଙ୍କ ରେଡ୍-ବଲ୍ କ୍ୟାରିୟରରେ ବୋଲିଂ ହାରାହାରି ୩୨.୨୭ ରହିଛି।
ଚହଲଙ୍କ ଶେଷ ଫାଷ୍ଟ୍-କ୍ଲାସ୍ ମ୍ୟାଚ୍ ଇଂଲଣ୍ଡର ଲର୍ଡସ୍ରେ ହୋଇଥିଲା। ୨୦୨୬ କାଉଣ୍ଟି ଚାମ୍ପିୟନଶିପ୍ରେ ନର୍ଥହାମ୍ପଟନ୍ଶାୟର ପାଇଁ ଖେଳି ସେ ୨୧ଟି ୱିକେଟ୍ ନେଇଥିଲେ। ତାଙ୍କ ବୋଲିଂ ହାରାହାରି ଥିଲା ୧୬.୧୪।
ତେବେ ଏହା ଚହଲଙ୍କ ସମ୍ପୂର୍ଣ୍ଣ ଅବସର ନୁହେଁ। ଦିନିକିଆ ଓ ଟି-୨୦ କ୍ରିକେଟ୍ରେ ଭାରତ ପାଇଁ ପୁଣି ସୁଯୋଗ ପାଇବାକୁ ସେ ଲଢ଼େଇ ଜାରି ରଖିବେ। ନିଜ ପୋଷ୍ଟରେ ଚହଲ୍ ସ୍ପଷ୍ଟ ଭାବେ କହିଛନ୍ତି—“ମୁଁ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।”
ଚହଲ୍ ଭାରତ ପାଇଁ ୭୨ଟି ଦିନିକିଆ ଓ ୮୦ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ୨୦୨୪ ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ ଦଳର ମଧ୍ୟ ସେ ସଦସ୍ୟ ଥିଲେ। ଶେଷଥର ପାଇଁ ୨୦୨୩ ଅଗଷ୍ଟରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ରେ ଭାରତ ପାଇଁ ଖେଳିଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।