ଅଗ୍ନି ପୂଜା ପାଉଥିବା ମନ୍ଦିର

Oct 14, 2026 - 16:49
ଅଗ୍ନି ପୂଜା ପାଉଥିବା ମନ୍ଦିର

 

ନବରାତ୍ରୀ ଆସିଲେ ବିଭିନ୍ନ ମନ୍ଦିରରେ ପୂଜା ଆରମ୍ଭ ହୁଏ । ତେବେ ଭିନ୍ନ ସ୍ଥାନରେ ଅଲଗା ଅଲଗା ରୀତିନୀତିରେ ପୂଜା କରାଯାଇଥାଏ, ସେହିଭଳି ଏକ ମନ୍ଦିର ହେଲା ଜ୍ବାଳା ଦେବୀ ମନ୍ଦିର । ହିମାଚଳର ପ୍ରସିଦ୍ଧ ଜ୍ୱାଳା ଦେବୀ ମନ୍ଦିରରେ କୌଣସି ଦେବୀ ମୂର୍ତ୍ତି ନୁହେଁ, ବରଂ ଏଠାରେ ପ୍ରାକୃତିକ ଚଟାଣର ଫାଟରୁ ବାହାରୁଥିବା ନଅଟି ଅଗ୍ନିଙ୍କୁ ପୂଜା କରାଯାଇଥାଏ । ଯାହାକୁ ମହାକାଳୀ, ଅନ୍ନପୂର୍ଣ୍ଣା, ମହାଲକ୍ଷ୍ମୀ ଏବଂ ସରସ୍ୱତୀ ସମେତ ବିଭିନ୍ନ ଦେବୀଙ୍କ ସ୍ୱରୂପ ଭାବେ ବିବେଚନା କରାଯାଏ । ଏହି ଅଖଣ୍ଡ ଜ୍ୟୋତିଗୁଡ଼ିକ ଜଳିବା ପାଇଁ କୌଣସି ତେଲ, ଘିଅ ବା ସଳିତା ବ୍ୟବହାର ହୁଏ ନାହିଁ । ଏହା ଭୂଗର୍ଭରୁ ବାହାରୁଥିବା ପ୍ରାକୃତିକ ଗ୍ୟାସ ଦ୍ୱାରା ଜଳୁଥାଏ । ଏହି ମନ୍ଦିରକୁ ମାତା ସତୀଙ୍କ ଜିହ୍ୱା ପଡ଼ିଥିବା ସ୍ଥାନ ଓ ଅଗ୍ନି ଶକ୍ତିର କେନ୍ଦ୍ର ଭାବେ ମାନ୍ୟତା ଦିଆଯାଇଥାଏ । ଏହି ମନ୍ଦିରରେ ଦେବତାଙ୍କ ସହିତ ପିତୃପୁରୁଷଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର ପୂଜା ହୋଇଥାଏ । ନବରାତ୍ରି ସମୟରେ ବିଶେଷ ପୂଜା, କନ୍ୟା ପୂଜନ ଏବଂ ଦିନକୁ ତିନି ଥର ମାଗଣା ଖାଇବାର ବ୍ୟବସ୍ଥା ଏଠି ରହିଥାଏ । ମନ୍ଦିରର ପୌରାଣିକ କାହାଣୀ ରାଜା ଭୂମିଚନ୍ଦ୍ରଙ୍କ ସହ ଜଡ଼ିତ ଅଛି । ଯେତେବେଳେ ରାଜା ଏକ ଗାଈର ଦୁଧ ଚୋରି ହେବା ଘଟଣା ଜାଣି ସେହି ସ୍ଥାନକୁ ଖୋଜାଇଥିଲେ ଏବଂ ପରେ ସେଠାରେ ଜ୍ୱାଳା ବାହାରୁଥିବା ଦେଖି ମନ୍ଦିର ନିର୍ମାଣ କରି ମାଆଙ୍କୁ ପୂଜା କରିଥିଲେ । ଶାକଦ୍ୱୀପରୁ ଭୋଜକ ବଂଶର ଦୁଇ ବ୍ରାହ୍ମଣଙ୍କୁ ପୂଜା ପାଇଁ ଡକାଇଥିଲେ, ଯାହାଫଳରେ ଶହ ଶହ ବର୍ଷ ଧରି ଏହି ପୂଜା ବ୍ୟବସ୍ଥା କେବଳ ଭୋଜକ ପରିବାରର ବଂଶଧରମାନେ ସମ୍ଭାଳି ଆସୁଛନ୍ତି । ମନ୍ଦିରର ପରମ୍ପରା ଅନୁଯାୟୀ କେବଳ ବିବାହ ପରେ ପିତାଙ୍କଠାରୁ ଦୀକ୍ଷା ଗ୍ରହଣ କଲେ ହିଁ ବଂଶାନୁଗତ ଗୁରୁ ପରମ୍ପରା ଅନୁସାରେ ମୁଖ୍ୟ ପୂଜା କରିବାର ଅଧିକାର ମିଳିଥାଏ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।