ଅନଲାଇନ ସାଇଟରେ ମିଳୁଛି ଜାଲ ନୋଟ । ଫଟୋ ସପ୍ ସଫ୍ଟୱେରରେ ଅବିକଳ ଜାଲ ନୋଟ

Sep 23, 2026 - 22:38
ଅନଲାଇନ ସାଇଟରେ ମିଳୁଛି ଜାଲ ନୋଟ । ଫଟୋ ସପ୍  ସଫ୍ଟୱେରରେ ଅବିକଳ ଜାଲ ନୋଟ

ନନ୍ଦିଘୋଷ ବ୍ୟୁରୋ :  ଅନଲାଇନ ସାଇଟରେ ମିଳୁଛି ଜାଲ ନୋଟ । ଫଟୋ ସପ୍  ସଫ୍ଟୱେରରେ ଅବିକଳ ଜାଲ ନୋଟ । ସୋନପୁର, ବଲାଙ୍ଗୀର ପରେ ଏବେ ବରଗଡ଼ରେ ଚାଲାଣ । ଖିଅ ଖୋଜିବାକୁ ଅଣ୍ଟା ଭିଡୁଛି ଓଡ଼ିଶାର ସ୍ପେଶାଲ ଟିମ  । ….ଚକ୍ ଚକ୍ କରୁଥିବା ଏ ନୋଟ ବଣ୍ଡଲ୍ ଉପରେ ନଜର ପକାନ୍ତୁ । ୫ ଶହ ଟଙ୍କିଆ ସାଙ୍ଗକୁ ୨ ଶହ ଓ ଶହେ ଟଙ୍କିଆ । ଦେଖିବାକୁ ଅସଲି ଲାଗୁଥିଲେ ମଧ୍ୟ ଏସବୁ ପୁରା ନକଲି । ଅନଲାଇନ ସାଇଟରେ ଗାଡି ବିକ୍ରି କରିବାକୁ ଯାଇ ଠକେଇରୁ ଅଳ୍ପକେ ବର୍ତ୍ତିଛନ୍ତି ଗାଡି ମାଲିକ । ଘଟଣା ଟି ଘଟିଛି ବରଗଡ଼ ଜିଲ୍ଲାରେ । ପୋଲିସ ତଦନ୍ତ କରିବା ବେଳେ ୪୫ ହଜାର ଟଙ୍କାର ନକଲି ନୋଟ ଜବତ ସହ ଜଣେ ନାବାଳକଙ୍କୁ କାବୁ କରିଛି । ପଚରାଉଚରା ବେଳେ ସେ ଅନଲାଇନ ସପିଂ ସାଇଟରୁ ଏହି ନକଲି ନୋଟ ମଗେଇଥିବା ସଫେଇ ଦେଇଛି । ଯେଉଁ କଥା ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ସେପଟେ କିଂଗପିନ ପଶ୍ଚିମବଙ୍ଗ ରେ ରହିବା ସହ ଏସବୁର କାରବାର କରୁଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଛି ।

ଆଗକୁ ଦଶହରା । ପାର୍ବଣ ଋତୁରେ ଏହି ଜାଲ ନୋଟର କାରବାର ବଢିବାର ସମ୍ଭାବନା ରହିଛି ।କେବଳ ରାଜ୍ୟ ନୁହେଁ, ଜାତୀୟ ସ୍ତରରେ ମଧ୍ୟ ନକଲି ନୋଟ କାରବାର ଅଧିକ ଉଦ୍ବେଗଜନକ ରହିଛି । ବର୍ଷକରେ ଜାଲ ନୋଟ କାରବାର ୨ ଶହ ପ୍ରତିଶତ ବଢିଥିବା ବେଳେ ୫ଶହ ଟଙ୍କିଆ ନୋଟକୁ ବିଶେଷ ଭାବେ ନକଲ କରାଯାଇପାରୁଛି । ୨୦୧୬ ନୋଟବନ୍ଦୀ ପରେ ଏହି କାରବାର ବିଶେଷ ଭାବେ ବଢୁଥିବା ଦେଖାଆଯାଇଛି । ଏନସିଆରବି ରେ ପ୍ରକାଶିତ ରେକର୍ଡ ଆରବିଆଇର ଚିନ୍ତା ବଢ଼ାଇଥିବା ବେଳେ ଦେଶର ସୁରକ୍ଷା ପ୍ରତି ସୃଷ୍ଟି କରିଛି ବଡ଼ ପ୍ରଶ୍ନବାଚୀ । ଏଣୁ ଏଭଳି ବିପଦକୁ ରୋକିବା ପାଇଁ ସ୍ଥଳ ଓ ଜଳପଥ ମାନଙ୍କରେ ଆଗାମୀ ଦିନରେ କଡା ଚେକିଂ କରାଯିବାର ଆବଶ୍ୟକତା ରହିଛି। …

ନକଲି ନୋଟ କେସରେ ଅଭିଯୁକ୍ତଙ୍କ ବିରୋଧରେ ଦେଶଦ୍ରୋହ ଭଳି ଦଫା ଲାଗୁଛି । କେତେକ କେସରେ ପୂର୍ବରୁ NIA ର ସହଯୋଗ ମଧ୍ୟ ନିଆଯାଇଛି । ତଥାପି ମାଷ୍ଟରମାଇଣ୍ଡ ପାଖରେ ନପହଞ୍ଚିବାରୁ ବଢୁଛି ମୁଣ୍ଡବିନ୍ଧା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।