ଅନାସ୍ଥା ଖାରଜ ,ସରପଞ୍ଚ ପଦ ବଜାୟ ରଖିଲେ ଚାମେଲୀ
କଟକ: ତିଖିରି ସରପଞ୍ଚ ଚାମେଲୀ ଓଝାଙ୍କୁ ହାଇକୋର୍ଟଙ୍କ ଆଶ୍ଵସ୍ତି । ଚାମେଲୀଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଅସିଦ୍ଧ ଘୋଷିତ । ଏହି ମାମଲାରେ ଚାମେଲୀ ଓଝାଙ୍କ ସପକ୍ଷରେ ରାୟ ଦେଇଛନ୍ତି ହାଇକୋର୍ଟ । ଅନାସ୍ଥା ପ୍ରକ୍ରିୟାକୁ ନେଇ ଚାମେଲୀଙ୍କ ଆବେଦନକୁ ଗ୍ରହଣ କରି ହାଇକୋର୍ଟ ଅନାସ୍ଥା ପ୍ରକ୍ରିୟାକୁ ବେଆଇନ ଘୋଷଣା କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ତିଖିରି ପଞ୍ଚାୟତ ସରପଞ୍ଚ ଚାମେଲୀ ଓଝାଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚାମେଲୀ । ତାଙ୍କ ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ପରେ ସରପଞ୍ଚ ପଦବୀରେ ରହିବେ ଚାମେଲି ଓଝା ।
ତିଖିରି ପଞ୍ଚାୟତରେ ମୋଟ ୨୨ ଜଣ ୱାର୍ଡମେମ୍ବର ଥିବାବେଳେ ୨୧ ଜଣ ଚାମେଲୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବକୁ ସମର୍ଥନ କରିଥିଲେ । ଜୁଲାଇ ୨୭ ତାରିଖରେ ଅନାସ୍ଥା ଭୋଟିଂ ପାଇଁ ପ୍ରକ୍ରିୟା ଧାର୍ଯ୍ୟ ହୋଇଥିବାବେଳେ ସେପ୍ଟେମ୍ବର ୧୩ ତାରିଖରେ ଭୋଟିଂ ହେବାକୁ ଦିନ ଧାର୍ଯ୍ୟ ହୋଇଥିଲା । ତେବେ ଗ୍ରାମପଞ୍ଚାୟତ ଆଇନର ଧାରା ୨୪ ଅନୁଯାୟୀ, ଅନାସ୍ଥା ପ୍ରସ୍ତାବ ପୂର୍ବରୁ ନୋଟିସ, ରିଜୋଲ୍ୟୁସନ ଓ ରିକ୍ୱିଜିସନର ନକଲ ସରପଞ୍ଚଙ୍କୁ ଦେବା ସହ ୧୫ ଦିନର ସମୟ ବ୍ୟବଧାନ ଦେବାର ନିୟମ ରହିଛି । ପୂର୍ବରୁ ହାଇକୋର୍ଟ ଏହି ମାମଲାରେ ଏକ ଅନ୍ତରୀଣ ନିର୍ଦ୍ଦେଶ ଦେଇ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ଉପରେ ସ୍ଥଗିତାଦେଶ ଜାରି କରିଥିଲେ ।
ଏହି ସମୟ ମଧ୍ୟରେ ସରପଞ୍ଚ ନିଜ ପକ୍ଷ ରଖିବା ସହ ୱାର୍ଡ ମେମ୍ବରଙ୍କୁ ନିଜ ସପକ୍ଷରେ ଆସ୍ଥା ପ୍ରକାଶ କରିବାକୁ ଅନୁରୋଧ କରିପାରିବେ । କିନ୍ତୁ ଚାମେଲୀ ଓଝାଙ୍କୁ ରିଜୋଲ୍ୟୁସନ ଓ ରିକ୍ୱିଜିସନର ନକଲ ଦିଆଯାଇନଥିବା ତାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା ।
କେବଳ ନୋଟିସର ନକଲ ତାଙ୍କ ବାପାଙ୍କୁ ଦିଆଯାଇଥିବା ଏବଂ ଡାକ ଯୋଗେ ମଧ୍ୟ ପଠାଯାଇଥିବା ଦର୍ଶାଇଥିଲେ ଚାମେଲୀଙ୍କ ଓକିଲ । ଏହି ଆଇନଗତ ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ଶୁଣାଣି ଶେଷ ହୋଇଥିବାବେଳେ ରାୟ ସଂରକ୍ଷିତ ରହିଥିଲା । ଓଡିଶା ହାଇକୋର୍ଟ ଆଜି ଏହି ରାୟ ପ୍ରକାଶ କରି ଚାମେଲି ଓଝାଙ୍କ ଅନାସ୍ଥାକୁ ଅସିଦ୍ଧ ଘୋଷଣା କରିଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।