ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

Sep 12, 2026 - 18:54
ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ ପାଇଁ ମୋଟ୍‌ ୨ କୋଟି ୮୩ ଲକ୍ଷ ୪ ହଜାର ୬୨୫ ଟଙ୍କାର ଅନୁଦାନ ପାଣ୍ଠି ସ୍ଥିରୀକୃତ ହୋଇଥିବା ଜଣାପଡ଼ିଛି। ଏହି ଯୋଜନାର ଅର୍ଥ ଜନସଂଖ୍ୟା ଆଧାରରେ ନିର୍ଦ୍ଧାରଣ ହେଉଥିବା ବେଳେ ବିଭିନ୍ନ ପଞ୍ଚାୟତକୁ ଦିଆଯାଇଥିବା ଅନୁଦାନରେ ତାରତମ୍ୟ ନେଇ ପ୍ରଶ୍ନ ଉଠିଛି।

ସୂଚନାନୁଯାୟୀ, ବ୍ଲକର ତେରେସିଙ୍ଗା ପଞ୍ଚାୟତର ଜନସଂଖ୍ୟା ୫୦୪୫ ଥିବା ବେଳେ ୨୪ଲକ୍ଷ ୪୯ ହଜାର ୬ ଶହ ୮୬ ଟଙ୍କା ପାଇବା କଥା ହେଲେ ସୁପାରିସ ହୋଇଛି ୧୫ ଲକ୍ଷ, ହେଲେ କର୍ଲାମୁଣ୍ଡା ପଞ୍ଚାୟତର ଜନସଂଖ୍ୟା ୪୪୩୯ ଥିବାବେଳେ ସେମାନେ ୨୧ଲକ୍ଷ ୫୫ ହଜାର ୪୪୩ ଟଙ୍କା ପାଇବା କଥା ହେଲେ ସୁପାରିସ ହୋଇଛି ୬୦ ଲକ୍ଷ ଟଙ୍କା। ସେହିପରି ରାଜପୁର ପଞ୍ଚାୟତର ୪୮୦୧ ଜନ ସଂଖ୍ୟା ଅନୁଯାୟୀ ୨୩ ଲକ୍ଷ ୩୧ ହଜାର ୨୦୭ ଟଙ୍କାରୁ ୧୮ ଲକ୍ଷ ୪ ହଜାର ୬୬୫ ଟଙ୍କା, ରିଷିଡ଼ାର ଜନସଂଖ୍ୟା ୪୪୮୬ ପାଇଁ ୨୧ ଲକ୍ଷ ୭୮ ହଜାର ୨୫୪ ଟଙ୍କାରୁ ୧୮ ଲକ୍ଷ, ପୌରକେଲା ଜନସଂଖ୍ୟା ୪୬୬୫ କୁ ୨୨ ଲକ୍ଷ ୬ ହଜାର ୫୧୭ ରୁ ୧୫ ଲକ୍ଷ, ଗଜବାହାଲର ଜନସଂଖ୍ୟା ୬୭୪୨ ପାଇଁ ୩୨ ଲକ୍ଷ ୬୮ ହଜାର ୮ ୩୭ ରୁ ୩୧ ଲକ୍ଷ ୫୦ ହଜାର, ସା.ମାଲପଡ଼ା ଜନସଂଖ୍ୟା ୩୯୩୦ ପାଇଁ ୧୯ ଲକ୍ଷ ୮ ହଜାର ୨୮୭କୁ ୨୧ ଲକ୍ଷ, ରିଞ୍ଜା ଜନସଂଖ୍ୟା ୩୬୯୪ ପାଇଁ ୧୭ ଲକ୍ଷ ୯୩ ହଜାରକୁ ୨୩ ଲକ୍ଷ ୫୦ ହଜାର, ରେଗଡ଼ା ଜନସଂଖ୍ୟା ୪୦୮୫ ପାଇଁ ୧୯ ଲକ୍ଷ ୮୩ ହଜାର ୫୪୧ କୁ ୧୮ ଲକ୍ଷ, ସାପଲହରା ଜନସଂଖ୍ୟା ୩୦୪୧ ପାଇଁ ୧୬ ଲକ୍ଷ ୫୧ ହଜାର ୪୩୩ରୁ ମାତ୍ର ୯ ଲକ୍ଷ, ବୋରପଦର ଜନସଂଖ୍ୟା ୫୮୧୫ ପାଇଁ ୨୮ ଲକ୍ଷ ୨୩ ହଜାର ୫୭୨ ରୁ ୧୫ ଲକ୍ଷ ଏବଂ ଯୋରାଡବରା ପଞ୍ଚାୟତ ଜନସଂଖ୍ୟା ୬୩୨୫ ପାଇଁ ଅନୁମୋଦିତ ରାଶି ୩୦ ଲକ୍ଷ ୭୧ ହଜାର ୨୧୧ ରୁ ୩୯ ଲକ୍ଷ ଟଙ୍କା ଅନୁଦାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଜିଲା ପ୍ରଶାସନକୁ ସୁପାରିସ କରାଯାଇଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ, ସାପଲହରା ପଞ୍ଚାୟତକୁ ମାତ୍ର ୯ ଲକ୍ଷ ଟଙ୍କା ଅନୁଦାନ ପାଇଁ ସୁପାରିସ କରାଯାଇଥିବାରୁ ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରାଯାଇଥିବା ସମବାୟ ସମିତିର ଅଧ୍ୟକ୍ଷ ଦେବରାଜ ରଣା, ସରପଞ୍ଚ ରାଜେଶ୍ୱରୀ ସେନାପତି ଓ ପୂର୍ବତନ ସରପଞ୍ଚ ପୃଥୀରାଜ ମାଝୀ ପ୍ରମୁଖ ପ୍ରକାଶ କରିଛନ୍ତି। ସରକାରଙ୍କ ନିୟମ ମୁତାବକ ଜନସଂଖ୍ୟା ଆଧାରରେ ଅନୁଦାନ ନିର୍ଦ୍ଧାରଣ ହେଉଥିଲେ ମଧ୍ୟ ପଞ୍ଚାୟତଗୁଡ଼ିକୁ ଅନୁଦାନ ରାଶିରେ ଏଭଳି ତାରତମ୍ୟ କାହିଁକି ରହିଛି, ତାହାର ତଦନ୍ତ କରି ସ୍ବଚ୍ଛତାର ସହ ଅନୁଦାନ ବଣ୍ଟନ କରିବାକୁ ପଞ୍ଚାୟତବାସୀ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।