ଅପହଞ୍ଚ ଗାଁ ପାଣିଖିଆକୁ ମିଳିବ ମୌଳିକ ସେବା: ୯ ଅଭିଯୋଗର ତ୍ୱରିତ ସମାଧାନ
ମହାକାଳପଡ଼ା, ୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାକାଳପଡ଼ା ବ୍ଲକ୍ ସଭାଗୃହରେ କେନ୍ଦ୍ରାପଡ଼ା ଜିଲାପାଳ ରଘୁରାମ ଆୟାର ଯୋଗଦେଇ ମିଳିତ ଜନଶୁଣାଣି କରିଥିଲେ। ୮୫ ଅଭିଯୋଗ ହୋଇଥିଲା। ସାମୂହିକ ୧୦ ଅଭିଯୋଗରେ ବିଭିନ୍ନ ସମସ୍ୟା ଥିଲା । ପାଣି ଖିଆଗାଁକୁ ସବୁଦିନିଆ ରାସ୍ତା ନାହିଁ ଓ ଲୁଣା ଘେରି ବନ୍ଧ ନିର୍ମାଣକୁ ନେଇ ଜିଲାପାଳ ତ୍ୱରିତ ପଦକ୍ଷେପ ଗ୍ରହଣ କରିଥିଲେ। ସେହିପରି ରାଶନ କାର୍ଡ, ଭତ୍ତା, ପାନୀୟ ଜଳ, ଆବାସ ଯୋଜନା ଗୃହ ନିର୍ମାଣ, ଶିଶୁ ବିକାଶ ,ଗଁା ରାସ୍ତା ନିର୍ମାଣ ଉପରେ ଶୁଣାଣି ହୋଇଥିଲା ।
ତେବେ ୩ ଜଣ ଲକ୍ଷ ପତି ଦିଦିଙ୍କୁ ଆର୍ଥିକ ସହାୟତା ପ୍ରଦାନ, ମିଶନ ଶକ୍ତି ଗୋଷ୍ଠୀ ମହିଳାଙ୍କୁ ଆର୍ଥିକ ସହାୟତା, ଦୁଇ ହିତାଧିକାରୀଙ୍କୁ ନୂଆ ରାଶନ କାର୍ଡ, ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡରେ ୩ ଜଣଙ୍କୁ ଆର୍ଥିକ ସହାୟତା, ୭ ଭିନ୍ନକ୍ଷମଙ୍କୁ ହଇଲ୍ ଚେୟାର ପ୍ରଦାନ, ଯୁକ୍ତ ୩ ଦୃଷ୍ଟିବାଧିତ ଛାତ୍ରୀ ଲିସାରାଣୀ ପଲେଇଙ୍କୁ ଲାପ୍ଟପ୍ ପ୍ରଦାନ କରାଯାଇଥିଲା। ପରେ ବ୍ଲକ୍ ପରିସର ମଧ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ତଥା କୃଷି ମତ୍ସ୍ୟ, ବିଦ୍ୟୁତ୍, ଉଦ୍ୟାନ, କୃଷି, ସ୍ବାସ୍ଥ୍ୟ ଓ ଖାଉଟି କଲ୍ୟାଣ ଆଦି ବିଭାଗର ସଚେତନତା ପ୍ରଦର୍ଶନ ମେଳାକୁ ଜିଲାପାଳ ଦେଖିଥିଲେ ।
ସ୍ବାସ୍ଥ୍ୟ ସଚେତନତା ସମ୍ପର୍କିତ ଡେଙ୍ଗୁ, ମ୍ୟାଲେରିଆ, ଡାଇରିଆ, ଜ୍ୱର ଆଦିର ଦାସକାଠିଆ, ପାଲା ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା। ଜନଶୁଣାଣିରେ ଅତିରିକ୍ତ ଜିଲାପାଳ ନବକୃଷ୍ଣ ଜେନା, ଉପ ଜିଲାପାଳ ଅରୁଣ କୁମାର ନାୟକ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକାରୀ ସୁଧାକର ସାହୁ, ଏସ୍ଡିପିଓ ଜ୍ୟୋତିରଞ୍ଜନ ଗୌଡ଼, ବିଡିଓ ତଥା ତହସିଲଦାର ରବିନାରାୟଣ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।