ଅଭିଷେକଙ୍କୁ ଏମିତି କମେଣ୍ଟ ମାରିଲେ ଇଶାନ କିଶନ: ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨୮।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍ରେ ଭାରତୀୟ ଦଳ ୬ ଉଇକେଟ୍ରେ ଦମ୍ଦାର ବିଜୟ ହାସଲ କରିଛି। ଭାରତୀୟ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ଆଗରେ ନ୍ୟୁଜିଲାଣ୍ଡର ୧୯୯ ରନ୍ର ଟାର୍ଗେଟ ଫିକା ପଡ଼ିଯାଇଥିଲା। ମାତ୍ର ୧୩.୨ ଓଭରରେ ଲକ୍ଷ୍ୟ ହାସଲ କରିନେଇଥିଲା ଟିମ ଇଣ୍ଡିଆ। ଏହି ମ୍ୟାଚ୍ରେ ଅଭିଷେକ ଶର୍ମା ୩୮ ବଲ୍ରେ ୧୧୩ ରନ୍ରେ ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏବେ ତାଙ୍କର ଏହି ଧମାକାଦାର ଇନିଂସକୁ ନେଇ ଈଶାନ କିଶନଙ୍କ ମଜାଦାର ଟିପ୍ପଣୀ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।
ଅଭିଷେକ ମାତ୍ର ୩୫ ବଲ୍ରେ ନିଜର ଶତକ ପୂରଣ କରିଥିଲେ। ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍ରେ ଭାରତ ପକ୍ଷରୁ ଏହା ଦ୍ୱିତୀୟ ଦ୍ରୁତତମ ଶତକ। ଶତକ ହାସଲ ପରେ ଅଭିଷେକ ନିଜର ସ୍ବତନ୍ତ୍ର ମେଡିଟେସନ ପୋଜ୍ରେ ସେଲିବ୍ରେସନ କରିଥିଲେ। ଏହାକୁ ନେଇ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଇଛି। ଏଥିରେ ଈଶାନ କିଶନ ଅଭିଷେକଙ୍କୁ ଥଟ୍ଟା କରି କହୁଥିବା ଦେଖିବାକୁ ମିଳିଛି, ଅନ୍ୟମାନଙ୍କ ମେଣ୍ଟାଲ ହେଲ୍ଥ ଖରାପ କରି ନିଜେ ମେଡିଟେସନ କରୁଛି।
ଅଭିଷେକ ଭଗବାନ ଶିବଙ୍କର ଭକ୍ତ। ସେ ପ୍ରାୟତଃ ସୋସିଆଲ ମିଡିଆରେ ମନ୍ଦିର ଦର୍ଶନର ଫଟୋ ଓ ଭିଡିଓ ଶେୟାର କରିଥାନ୍ତି। ଆହତ ସମସ୍ୟା କାରଣରୁ ଈଶାନ କିଶନ ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ଟି-୨୦ ମ୍ୟାଚ୍ରେ ଖେଳିପାରି ନ ଥିଲେ। ତାଙ୍କ ସ୍ଥାନରେ ଉଭୟ ମ୍ୟାଚ୍ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଥିଲା। ବୈଭବ ଓ ଅଭିଷେକ ମିଶି ମାତ୍ର ୭ ଓଭରରେ ୧୩୩ ରନ ସଂଗ୍ରହ କରିଥିଲେ। ବୈଭବ ମଧ୍ୟ ୧୯ ବଲ୍ରେ ୪୫ ରନ୍ର ଦ୍ରୁତ ଇନିଂସ ଖେଳି ଭାରତର ବିଜୟକୁ ସହଜ କରିଥିଲେ।
ତୃତୀୟ ଟି-୨୦ରେ ବିଜୟ ସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜ୍ରେ ୩-୦ରେ ଆଗୁଆ ହୋଇ ସିରିଜ ନିଜ ନାମରେ କରିଛି। ଏହି ସିରିଜ୍ର ତିନୋଟି ମ୍ୟାଚ୍ରେ ଭାରତ ସଫଳତାର ସହ ରନ ଚେଜ କରିଛି। ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଭାରତର ଦୀର୍ଘଦିନର ପ୍ରାଧାନ୍ୟ ମଧ୍ୟ ଜାରି ରହିଛି।
The irony, Abhi 😂🧡 https://t.co/Hg4HZhUQzC
— SunRisers Hyderabad (@SunRisers) October 27, 2026
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।