ଅଭ୍ୟାସ ବେଳେ ହଠାତ୍ କାହିଁକି ରାଗିଗଲେ କୋହଲି? ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ, ୨୬।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ସେପ୍ଟେମ୍ବର ୨୭ ତାରିଖରେ ତିରୁଭାନନ୍ତପୁରମରେ ଖେଳାଯିବ। ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆ ଗୁରୁବାରଠାରୁ ଜୋରଦାର ଅଭ୍ୟାସ ଆରମ୍ଭ କରିଛି। ଅଭ୍ୟାସ ସମୟର କିଛି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ନେଇ ଅନେକ ମଜାଦାର ମୁହୂର୍ତ୍ତ ଦେଖିବାକୁ ମିଳୁଛି।
ଭାଇରାଲ ହୋଇଥିବା ଏକ ଭିଡିଓରେ ବିରାଟ କୋହଲି ଫିଲ୍ଡିଂ ଅଭ୍ୟାସ ସମୟରେ ରୋହିତ ଶର୍ମା, ଧ୍ରୁବ ଜୁରେଲ ଓ କେଏଲ ରାହୁଲଙ୍କ ସହ ଠିଆ ହୋଇଥିବା ନଜର ଆସିଛନ୍ତି। ଏହି ସମୟରେ ସେ ଟିମ ଇଣ୍ଡିଆର ସପୋର୍ଟ ଷ୍ଟାଫ୍ଙ୍କ ସହ କିଛି କଥା ହେଉଛନ୍ତି।
ପରେ ଜଣେ ଷ୍ଟାଫ ସଦସ୍ୟ ଏକ ବୋର୍ଡ ଧରି ବିରାଟଙ୍କ ପାଖକୁ ଆସୁଛନ୍ତି। ବିରାଟ ବୋର୍ଡରେ କିଛି ଦେଖାଇ ତାଙ୍କ ସହ ତର୍କ କରୁଥିବା ଦେଖାଯାଉଛି। ତେବେ ଏହାକୁ ନେଇ କୌଣସି ଗୁରୁତର ବିବାଦ ହୋଇଥିବା ଭଳି ଲାଗୁନାହିଁ। ଫିଲ୍ଡିଂ ଅଭ୍ୟାସ ସମୟରେ ଦିଆଯାଇଥିବା କୌଣସି ଟାସ୍କ କିମ୍ବା ତାହାର ସ୍କୋରକୁ ନେଇ ବିରାଟ ମଜାକିଆ ଢଙ୍ଗରେ ନିଜ କଥା ରଖୁଥିବା ଭଳି ଦେଖାଯାଉଛି। ବିରାଟ କୋହଲିଙ୍କ ଖେଳ ପ୍ରତି ଏଭଳି ଉତ୍ସାହ ଓ ଅଂଶଗ୍ରହଣ ପ୍ରାୟତଃ ଦେଖିବାକୁ ମିଳେ। ସେ ଫିଲ୍ଡିଂ ହେଉ କି ବ୍ୟାଟିଂ, ପ୍ରତ୍ୟେକ ଅଭ୍ୟାସରେ ନିଜକୁ ପୂରାପୂରି ଜଡ଼ିତ ରଖନ୍ତି।
ଏହା ବ୍ୟତୀତ ବିରାଟ କୋହଲିଙ୍କ ଶୁଭମନ ଗିଲଙ୍କ ସହ ମସ୍ତି କରୁଥିବା ଆଉ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଭିଡିଓରେ ଦୁଇ ଖେଳାଳିଙ୍କ ମଧ୍ୟରେ ଥିବା ହାଲୁକା ମଜାକିଆ ପରିବେଶ ଦେଖିବାକୁ ମିଳୁଛି। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଟିମ ଇଣ୍ଡିଆର ଅଭ୍ୟାସ ଶିବିରର ଏହି ଦୃଶ୍ୟଗୁଡ଼ିକ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରୁଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।