ଆଇପିଏଲ୍ରେ ୨୦୨୭ରେ ବି ଖେଳିବେ ଧୋନି! ବିସିସିଆଇ ର ଏହି ନିଷ୍ପତ୍ତିକୁ ନେଇ ବଢ଼ିଲା ଚର୍ଚ୍ଚା!
ନୂଆଦିଲ୍ଲୀ:ଆଇପିଏଲ୍ରେ ‘ଇମ୍ପାକ୍ଟ ପ୍ଲେୟାର’ ନିୟମକୁ ନେଇ କ୍ରିକେଟ୍ପ୍ରେମୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର୍ ଧରିଛି। ଆସନ୍ତା ଆଇପିଏଲ୍ ୨୦୨୭ ସିଜିନ୍ରେ ମଧ୍ୟ ଏହି ନିୟମ ଜାରି ରହିବା ସମ୍ଭାବନା ରହିଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଏହି ନିୟମରେ ତୁରନ୍ତ କୌଣସି ପରିବର୍ତ୍ତନ କରିବା ସପକ୍ଷରେ ନଥିବା ଜଣାପଡ଼ିଛି। ଏହା ଫଳରେ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ଅଭିଜ୍ଞ ଖେଳାଳି ଏମ୍ଏସ୍ ଧୋନିଙ୍କ ପାଇଁ ଏହା ଲାଭଦାୟକ ହୋଇପାରେ।
କ୍ରିକେଟ୍ ମହଲରେ ଚର୍ଚ୍ଚା ହୁଏ ଯେ, ଧୋନିଙ୍କ ଆଇପିଏଲ୍ କ୍ୟାରିୟରକୁ ଆହୁରି ଲମ୍ବା କରିବା ପାଇଁ ଆଇପିଏଲ୍ ‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଆଣିଛି। ଯଦିଓ ଏହି ଦାବିର କୌଣସି ଆଧିକାରିକ ଆଧାର ନାହିଁ, ତଥାପି ଏହି ନିୟମ ଯୋଗୁଁ ଧୋନିଙ୍କ ଭଳି ଅଭିଜ୍ଞ ଖେଳାଳିଙ୍କୁ ଦଳରେ ରଖିବା ସହଜ ହୋଇପାରେ। ବର୍ତ୍ତମାନ ସେ CSKର ଅଂଶ ରହିଥିବା ବେଳେ ତାଙ୍କ ଦରମା ୪ କୋଟି ଟଙ୍କା।
‘ଇମ୍ପାକ୍ଟ ପ୍ଲେୟାର’ ନିୟମ ଅନୁଯାୟୀ, ମ୍ୟାଚ୍ ପୂର୍ବରୁ ଉଭୟ ଦଳର ଅଧିନାୟକ ୪ ଜଣ ବଦଳ ଖେଳାଳିଙ୍କ ନାମ ଦେଇପାରିବେ। ଏହି ୪ ଜଣଙ୍କ ମଧ୍ୟରୁ ଜଣଙ୍କୁ ମ୍ୟାଚ୍ ସମୟରେ ଖେଳୁଥିବା ୧୧ ଜଣଙ୍କ ମଧ୍ୟରୁ ଜଣଙ୍କ ବଦଳରେ ଖେଳାଇପାରିବେ। ଏହାଦ୍ୱାରା ଦଳଗୁଡ଼ିକ ନିଜର ରଣନୀତି ଅନୁସାରେ ଅତିରିକ୍ତ ବ୍ୟାଟର୍ କିମ୍ବା ବୋଲର୍ଙ୍କୁ ଖେଳାଇବାର ସୁଯୋଗ ପାଉଛନ୍ତି।ତେବେ ଧୋନି ଏପର୍ଯ୍ୟନ୍ତ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିବାକୁ ମନା କରିଆସିଛନ୍ତି। ଅନ୍ୟପକ୍ଷରେ ରୋହିତ ଶର୍ମା ଓ ବିରାଟ କୋହଲି ଆଘାତରୁ ସୁସ୍ଥ ହେବା ସମୟରେ ଏହି ନିୟମର ଲାଭ ଉଠାଇ ଇମ୍ପାକ୍ଟ ପ୍ଲେୟାର ଭାବେ ଖେଳିଛନ୍ତି।
ଏକ ରିପୋର୍ଟ ଅନୁଯାୟୀ, ଆଇପିଏଲ୍ ୨୦୨୭ରେ ଏହି ନିୟମ ବଳବତ୍ତର ରହିବା ସମ୍ଭାବନା ଅଧିକ। ୨୦୨୮ରେ ହେବାକୁ ଥିବା ମେଗା ନିଲାମ ପୂର୍ବରୁ ନିୟମରେ କୌଣସି ବଡ଼ ପରିବର୍ତ୍ତନ କରିବାକୁ ଆଇପିଏଲ୍ ଚାହୁଁନାହିଁ। ଏନେଇ ବୋର୍ଡ ପକ୍ଷରୁ ଆଧିକାରିକ ଘୋଷଣା ହୋଇନଥିଲେ ମଧ୍ୟ ଏହି ନିୟମ ଜାରି ରହିବା ନେଇ ରିପୋର୍ଟରେ ଦାବି କରାଯାଇଛି।ଜଣେ ଆଇପିଏଲ୍ ଅଧିକାରୀଙ୍କ କହିବା ଅନୁଯାୟୀ,ପରବର୍ତ୍ତୀ ସିଜିନ୍ ମେଗା ନିଲାମ ପୂର୍ବରୁ ଶେଷ ହେବ। ଏଭଳି ସମୟରେ ନିୟମ ପରିବର୍ତ୍ତନ କଲେ ଦଳଗୁଡ଼ିକର ଯୋଜନା ଓ ରଣନୀତି ପ୍ରଭାବିତ ହୋଇପାରେ। ତେଣୁ ବର୍ତ୍ତମାନ ନିୟମ ପରିବର୍ତ୍ତନ ହେବାର ସମ୍ଭାବନା କମ୍।
ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରେ ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ପକ୍ଷରୁ ସମସ୍ତ ୧୦ଟି ଫ୍ରାଞ୍ଚାଇଜ୍କୁ ଏହି ନିୟମ ସମ୍ପର୍କରେ ମତାମତ ମଗାଯାଇଥିଲା। ଅତି କମ୍ରେ ୪ଟି ଦଳ ନିୟମ ପ୍ରତ୍ୟାହାରକୁ ବିରୋଧ କରିଥିବା ରିପୋର୍ଟରେ କୁହାଯାଇଛି। ଏତେ କମ୍ ସମୟ ମଧ୍ୟରେ ନିୟମ ବଦଳିଲେ ସେମାନଙ୍କ ଦଳୀୟ ରଣନୀତି ଓ ପ୍ରସ୍ତୁତି ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ଫ୍ରାଞ୍ଚାଇଜ୍ଗୁଡ଼ିକ ମତ ଦେଇଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAJA LIVE - ସମାଜ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAJA LIVE - ସମାଜ ଦେଖନ୍ତୁ।