ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

Sep 15, 2026 - 20:19
ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯:  ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ ‘ପର୍ସନ୍-ଟୁ-ପର୍ସନ୍'(ବ୍ୟକ୍ତିରୁ ବ୍ୟକ୍ତି)(P2P) ମଧ୍ୟରେ ହେଉଥିବା ଦେଣନେଣ ସମ୍ପୂର୍ଣ୍ଣ ମାଗଣା ରହିବ। ଅପରପକ୍ଷରେ,’ପର୍ସନ୍-ଟୁ-ମର୍ଚାଣ୍ଟ’ (P2M) UPI କାରବାର ଉପରେ ‘ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍’ (MDR) ଲାଗୁ କରାଯିବ। ଏହି ବ୍ୟବସ୍ଥା ଅନୁଯାୟୀ, ବ୍ୟବସାୟୀମାନଙ୍କୁ ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କାରବାର ଉପରେ Merchant Discount Rate (MDR) ବା ୦.୪% ଶୁଳ୍କ ଦେବାକୁ ପଡ଼ିବ। ତେବେ ୭୫,୦୦୦ ଟଙ୍କା ବା ତା’ଠାରୁ ଅଧିକ ପରିମାଣର ଦେୟ ପାଇଁ ସର୍ବାଧିକ ଶୁଳ୍କ ସୀମା ୩୦୦ ଟଙ୍କା ରଖାଯାଇଛି।

ପେମେଣ୍ଟ ଆଣ୍ଡ ସେଟଲମେଣ୍ଟ ସିଷ୍ଟମ୍ସ (PSS) ଆକ୍ଟ, ୨୦୦୭ ରେ ସଂଶୋଧନ କରି ସରକାର ଏହି ନୂଆ ନିୟମ ଆଣିଛନ୍ତି, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି UPI ଇକୋସିଷ୍ଟମ୍ ପାଇଁ ଏକ ଅଧିକ ସ୍ଥାୟୀ ବାଣିଜ୍ୟିକ ମଡେଲ୍ ପ୍ରସ୍ତୁତ କରିବା। ଏଥିରୁ ମିଳୁଥିବା ରାଜସ୍ୱକୁ ପେମେଣ୍ଟ ଭିତ୍ତିଭୂମି, ସାଇବର ସୁରକ୍ଷା, ନବସୃଜନ ଏବଂ ଗ୍ରାହକ ସେବାରେ ବିନିଯୋଗ କରାଯିବ। ଏହି ପଦକ୍ଷେପ ଦ୍ୱାରା ଦୈନନ୍ଦିନ UPI କାରବାରର ଏକ ବଡ଼ ଅଂଶ ଏହି ନୂତନ ଶୁଳ୍କ ବ୍ୟବସ୍ଥା ପରିସର ବାହାରେ ରହିବ।

ନୂଆ ନିୟମ ଅନୁସାରେ, ଆପଣ ସାଙ୍ଗସାଥୀ କିମ୍ବା ପରିବାରର କୌଣସି ବ୍ୟକ୍ତିଙ୍କୁ ₹୫୦୦ ପଠାନ୍ତୁ କି ₹୧ ଲକ୍ଷ, P2P ଦେଣନେଣ ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ତେବେ ₹୨,୦୦୦ ରୁ ଅଧିକ ଟଙ୍କାର ବ୍ୟବସାୟିକ ନେଣଦେଣ (P2M) ଉପରେ ୦.୪% MDR ଲାଗୁ ହେବ, ଯେପରିକି ₹୧୦,୦୦୦ ପେମେଣ୍ଟ ଉପରେ ₹୪୦ ଚାର୍ଜ ଲାଗିବ। ₹୭୫,୦୦୦ ରୁ ଅଧିକ ବଡ଼ ଦେଣନେଣ କ୍ଷେତ୍ରରେ ଏହି MDR ସର୍ବାଧିକ ₹୩୦୦ ମଧ୍ୟରେ ସୀମିତ ରହିବ। ଅନ୍ୟପଟେ ରେଳ, ଟେଲିକମ୍, ଇନ୍ସୁରାନ୍ସ, ଫ୍ୟୁଏଲ୍ ଏବଂ କୃଷି ଭଳି ଜରୁରୀ ସେବା ପାଇଁ ₹୨,୦୦୦ ରୁ ଅଧିକ ପେମେଣ୍ଟ କଲେ ମାତ୍ର ₹୫ ର ଫ୍ଲାଟ୍ MDR ଲାଗୁ ହେବ, ଏବଂ ମ୍ୟୁଚୁଆଲ୍ ଫଣ୍ଡ କିମ୍ବା ଷ୍ଟକ୍ ମାର୍କେଟ୍ ପେମେଣ୍ଟ କ୍ଷେତ୍ରରେ ମାତ୍ର ୦.୦୨% MDR (ସର୍ବାଧିକ ₹୩୦୦) ଧାର୍ଯ୍ୟ କରାଯାଇଛି।

ଏହି ନୂଆ ନିୟମରୁ ଛୋଟ ବ୍ୟବସାୟୀଙ୍କୁ ପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ମାସିକ ₹୧ ଲକ୍ଷ ପର୍ଯ୍ୟନ୍ତ UPI QR ମାଧ୍ୟମରେ ଟଙ୍କା ଗ୍ରହଣ କରୁଥିବା ଛୋଟ ବ୍ୟବସାୟୀଙ୍କ ପାଇଁ ଶୂନ MDR ଲାଗୁ ରହିବ, ଯାହାଫଳରେ ମାତ୍ର ୪% ବ୍ୟବସାୟିକ ଦେଣନେଣ ପ୍ରଭାବିତ ହେବ। ସରକାର ସ୍ପଷ୍ଟ କରିଛନ୍ତି ଯେ UPI ଆପ୍ ପ୍ରୋଭାଇଡର କୌଣସି ପ୍ରକାରର ହିଡେନ୍ ଚାର୍ଜ କିମ୍ବା ପ୍ଲାଟଫର୍ମ ଫି’ ଲଗାଇପାରିବେ ନାହିଁ ଏବଂ ବ୍ୟବସାୟୀମାନେ MDR ର ଖର୍ଚ୍ଚ ଗ୍ରାହକଙ୍କଠାରୁ ଆଦାୟ କରିପାରିବେ ନାହିଁ। ଗ୍ରାହକଙ୍କ ପାଇଁ କୌଣସି ମାସିକ ସୀମା ବା ଟ୍ରାଞ୍ଜାକସନ୍ ଲିମିଟ୍ ମଧ୍ୟ ରହିବ ନାହିଁ। ଏହାଛଡ଼ା, ଛୋଟ ବ୍ୟବସାୟୀଙ୍କ ମଧ୍ୟରେ UPI ର ବ୍ୟବହାର ବୃଦ୍ଧି କରିବା ପାଇଁ ଏକ ସ୍ୱତନ୍ତ୍ର ଫଣ୍ଡ ଗଠନ କରାଯିବ, ଯେଉଁଥିରେ ସମୁଦାୟ MDR ଆଦାୟର ୫% ଯୋଗଦାନ ଦିଆଯିବ।

NPCI ପ୍ରକାଶ କରିଥିବା FAQ ଅନୁଯାୟୀ, UPI ମାଧ୍ୟମରେ ପ୍ରତିମାସରେ ଶହ ଶହ କୋଟି ଦେଣନେଣ ହେଉଛି। ଏତେ ବଡ଼ ସିଷ୍ଟମକୁ ସଚାଲୁ ରଖିବା ପାଇଁ ସର୍ଭର ଇନ୍‌ଫ୍ରାଷ୍ଟ୍ରକ୍ଚର୍, ବ୍ୟାଣ୍ଡୱିଡ୍‌ଥ, ଜାଲିଆତି ରୋକିବା, ସାଇବର ସୁରକ୍ଷା ଏବଂ ବୈଷୟିକ ସହାୟତା ପାଇଁ ବିପୁଳ ଖର୍ଚ୍ଚ ହୋଇଥାଏ। ଶିଳ୍ପ ଆକଳନ ଅନୁଯାୟୀ, UPI ର ସାପ୍ତାହିକ ଓ ବାର୍ଷିକ ପରିଚାଳନା ଖର୍ଚ୍ଚ ପ୍ରାୟ ₹୨୦,୦୦୦ କୋଟି।

ସରକାରୀ ସବ୍‌ସିଡି ଉପରେ ନିର୍ଭରଶୀଳତା କମାଇବା ଏହି ନୂଆ ମଡେଲର ଅନ୍ୟତମ ଲକ୍ଷ୍ୟ। କେବଳ ଅଗଷ୍ଟ ୨୦୨୬ ମାସରେ UPI ୨,୪୫୧ କୋଟି ଦେଣନେଣ ପ୍ରୋସେସ୍ କରିଥିଲା, ଯାହାର ମୋଟ ମୂଲ୍ୟ ₹୨୯.୯ ଲକ୍ଷ କୋଟି ଥିଲା। ଏହାବ୍ୟତୀତ, ଛୋଟ ବ୍ୟବସାୟୀଙ୍କୁ ସହାୟତା କରିବା ପାଇଁ ଏକ ସ୍ୱତନ୍ତ୍ର ଫଣ୍ଡ ଗଠନ କରାଯିବ। MDR ରୁ ଆଦାୟ ହେଉଥିବା ଅର୍ଥରୁ ଏହି ଫଣ୍ଡ ଗଠନ କରାଯାଇ ଟାୟାର ୩-୬ ସହର, ଉତ୍ତର-ପୂର୍ବ ରାଜ୍ୟ, ଜାମ୍ମୁ-କାଶ୍ମୀର ଓ ଲଦାଖରେ ଡିଜିଟାଲ୍ ପେମେଣ୍ଟର ବିକାଶ ପାଇଁ ଖର୍ଚ୍ଚ କରାଯିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।