ଆଉ ହେବନି ହାର୍ଟଆଟାକ୍ : ଆପଣାନ୍ତୁ ଏହିସବୁ ଉପାୟ
ଆଜିର ସମୟରେ ଚିନ୍ତାଜନକ ହେଉଛି ହୃଦ୍ରୋଗ। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ତଥ୍ୟ ଅନୁଯାୟୀ ପ୍ରତିବର୍ଷ ପାଖାପାଖି ୧ କୋଟି ୭୦ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ଅସ୍ବାଭାବିକ ହୃଦ୍ରୋଗରେ ମୃତ୍ୟୁ ଘଟୁଛି। ଏହାର ପ୍ରମୁଖ କାରଣ ହେଉଛି ଶାରୀରିକ ପରିଶ୍ରମର ଅଭାବ, ଧୂମ ଓ ନିଶା ସେବନ, ମାନସିକ ଚାପ, ଖାଦ୍ୟପେୟ ଓ ବିଶ୍ରାମର ଅନିୟମିତତା। ବର୍ତ୍ତମାନ ସମୟରେ ଅଧିକାଂଶ ଯୁବବର୍ଗ ହୃଦ୍ରୋଗର ଶିକାର ହେଉଛନ୍ତି। ଅନ୍ତତଃ ପକ୍ଷେ ମାସକୁ ଥରେ ଉପବାସ ରହିବା ଦ୍ୱାରା ହୃଦ୍ଘାତ ଆଶଙ୍କା ହ୍ରାସ ଥାଏ ବୋଲି ଓ୍ବାଶିଂଟନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସେମାନେ କରିଥିବା ଏକ ସର୍ଭେରୁ ଜଣାପଡିଛି ଯେ ବର୍ଷକୁ ଅନ୍ତତଃ ଦୁଇଥର ରକ୍ତଦାନ ଦ୍ୱାରା ହୃଦ୍ରୋଗର ଆଶଙ୍କାକୁ କମ୍ କରିହେବ। ସବୁବେଳେ ଚାପମୁକ୍ତ ସନ୍ତୁଳିତ ଜୀବନଶୈଳୀ ଅନୁସରଣ କରନ୍ତୁ। ନିଶାଦ୍ରବ୍ୟ ସେବନଠାରୁ ଦୂରେଇ ରୁହନ୍ତୁ। ଦୈନିକ ଅତି କମ୍ରେ ଅଧଘଣ୍ଟା ବ୍ୟାୟାମ କରନ୍ତୁ। ହୃଦ୍ରୋଗ ପାଇଁ ଓଜନ ବୃଦ୍ଧି ବା ମେଦବହୁଳତା ମଧ୍ୟ ଦାୟୀ। ତେଣୁ ଶରୀରର ଗଢ଼ଣ ଓ ବୟସ ଅନୁସାରେ ଓଜନ କେତେ ରହିବା ଆବଶ୍ୟକ, ତାହା ଜାଣନ୍ତୁ। ଆବଶ୍ୟକତାଠାରୁ ଅଧିକ ଓଜନ ଥିଲେ, ତାହାକୁ କେମିତି ସନ୍ତୁଳିତ ସ୍ତରକୁ ଆଣିହେବ, ସେଥିପାଇଁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ୩୦ରୁ ୫୦ ବର୍ଷ ଭିତରେ ଓଜନ ବଢ଼ିବାର ଆଶଙ୍କା ଅଧିକ। ଓଜନ ବୃଦ୍ଧି ହୃଦ୍ରୋଗ ସହ ବହୁ ରୋଗର କାରଣ ସାଜିଥାଏ। ତେଣୁ କୋଲେଷ୍ଟରଲ୍ଯୁକ୍ତ ଖାଦ୍ୟ କମ୍ ଖାଇବା ଆବଶ୍ୟକ। ଫଳ, ଗଜାମୁଗ, ବୁଟ ଓ ଦଲିଆ ଆଦି ଖାଦ୍ୟ ସୁସ୍ଥ ହୃତ୍ପିଣ୍ଡ ପାଇଁ ଖୁବ୍ ଉପଯୋଗୀ। ବ୍ୟବସ୍ଥିତ ଜୀବନଶୈଳୀ ଅନୁସରଣ କରନ୍ତୁ। ନିୟମିତ ସମୟ ବ୍ୟବଧାନରେ ଅଭିଜ୍ଞ ଡାକ୍ତରଙ୍କ ନିକଟରେ ନିଜର ସ୍ବାସ୍ଥ୍ୟର ରୁଟିନ୍ ଚେକ୍ଅପ୍ କରାଇ ନିଅନ୍ତୁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।