ଆଉଟ୍ ହେବା ପରେ ଏଭଳି ଇସାରା ଦେଲେ ବିରାଟ, ଅବସର ନେଇ ବଢିଲା ଚର୍ଚ୍ଚା

Nov 04, 2026 - 17:04
ଆଉଟ୍ ହେବା ପରେ ଏଭଳି ଇସାରା ଦେଲେ ବିରାଟ, ଅବସର ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୪।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବିରାଟ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଭାରତ ୫ ୱିକେଟ୍‌ରେ ବିଜୟୀ ହୋଇଛି । ମାତ୍ର ୫୧ ବଲ୍‌ରେ ୧୩ଟି ଚୌକା ଓ ଗୋଟିଏ ଛକା ସହ ୭୪ ରନ୍‌ର ଚମତ୍କାର ଇନିଂସ ଖେଳିଥିଲେ ବିରାଟ । ତେବେ ଏହି ମ୍ୟାଚ୍‌ରେ ତାଙ୍କ ବ୍ୟାଟିଂଠାରୁ ଅଧିକ ଚର୍ଚ୍ଚା ହେଉଛି ଆଉ ଏକ ଦୃଶ୍ୟକୁ ନେଇ। ଆଉଟ୍‌ ହୋଇ ପାଭିଲିୟନ୍‌ ଫେରିବା ବେଳେ ସେ ବ୍ୟାଟ୍‌ ଉପରକୁ ଉଠାଇ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଦୃଶ୍ୟ ଦେଖି ଅନେକ ପ୍ରଶଂସକ ଭାବପ୍ରବଣ ହୋଇପଡ଼ିଥିଲେ।

ଡ୍ରେସିଂ ରୁମ୍‌କୁ ଫେରିବା ସମୟରେ ବିରାଟ ବ୍ୟାଟ୍‌ ଉପରକୁ ଉଠାଇ ଦର୍ଶକଙ୍କ ଅଭିବାଦନ ଗ୍ରହଣ କରିଥିଲେ। ଏହି ଦୃଶ୍ୟ ଅଷ୍ଟ୍ରେଲିଆ ମାଟିରେ ତାଙ୍କ ଶେଷ ଟେଷ୍ଟ ସିରିଜ୍‌ର ଏକ ମୁହୂର୍ତ୍ତକୁ ମନେ ପକାଇଦେଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ନିଜ କ୍ୟାରିୟରର ଶେଷ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ବିରାଟ ଶତକ ହାସଲ କରିଥିଲେ। ସେତେବେଳେ ପାଭିଲିୟନ୍‌ ଫେରିବା ସମୟରେ ମଧ୍ୟ ସେ ଏହିଭଳି ବ୍ୟାଟ୍‌ ଉଠାଇ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଥିଲେ। ପରେ ସେ ଟେଷ୍ଟ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ । ତେଣୁ ଅକଲାଣ୍ଡରେ ତାଙ୍କର ଏହି ଇସାରାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି।

ବିରାଟ ଟେଷ୍ଟ କ୍ରିକେଟ୍‌ ସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ମଧ୍ୟ ଅବସର ନେଇସାରିଛନ୍ତି। ୨୦୨୭ ଦିନିକିଆ ବିଶ୍ୱକପ୍‌ ପରେ ସେ ଦିନିକିଆ କ୍ରିକେଟ୍‌ରୁ ମଧ୍ୟ ଅବସର ନେଇପାରନ୍ତି ବୋଲି ଆଲୋଚନା ହେଉଛି। ଏଭଳି ସ୍ଥିତିରେ ଅକଲାଣ୍ଡରେ ତାଙ୍କର ଏହି ଇସାରାକୁ ନେଇ ପ୍ରଶଂସକମାନେ ଭାବପ୍ରବଣ ହୋଇଛନ୍ତି। କମେଣ୍ଟେଟରମାନେ ମଧ୍ୟ ଏହା ଅକଲାଣ୍ଡରେ ବିରାଟଙ୍କ ଶେଷ ମ୍ୟାଚ୍‌ ହୋଇପାରେ ବୋଲି ଆଲୋଚନା କରିଥିଲେ। ତେବେ ବିରାଟ ଏବେ ଅବସର ନେବାକୁ ଯାଉଛନ୍ତି ବୋଲି କୌଣସି ସଙ୍କେତ ନାହିଁ। ତାଙ୍କର ଲକ୍ଷ୍ୟ ଏବେ ୨୦୨୭ ଦିନିକିଆ ବିଶ୍ୱକପ୍‌ ଉପରେ ରହିଥିବା କୁହାଯାଉଛି । ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ନଭେମ୍ବର ୭ ତାରିଖରେ ୱେଲିଂଟନ୍‌ରେ ଖେଳାଯିବ। ଏହି ମ୍ୟାଚ୍‌ରେ ମଧ୍ୟ ବିରାଟଙ୍କୁ ଖେଳୁଥିବା ଦେଖିବାକୁ ମିଳିବ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।