ଆଜାଦ ମଇଦାନରେ ଆଇଆଇଟି ବମ୍ବେ ଛାତ୍ର ସାହିଲ ୱାକୋଡଙ୍କ ବାପାଙ୍କ ଧାରଣା

Sep 28, 2026 - 14:45
ଆଜାଦ ମଇଦାନରେ ଆଇଆଇଟି ବମ୍ବେ ଛାତ୍ର ସାହିଲ ୱାକୋଡଙ୍କ ବାପାଙ୍କ  ଧାରଣା

ମୁମ୍ବାଇ : ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ ର ଛାତ୍ର ସାହିଲ ୱାକୋଡଙ୍କ ବାପା ସୋମବାର ଦକ୍ଷିଣ ମୁମ୍ବାଇର ଆଜାଦ ମଇଦାନରେ ଧାରଣା ଆରମ୍ଭ କରିଛନ୍ତି। ସାହିଲ ୧୦ ଦିନ ପୂର୍ବେ ଭାବେ ଆତ୍ମହତ୍ୟା କରିଥିଲେ। ତାଙ୍କ ପୁଅର ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ତାଙ୍କ ବାପା ଏହି ଧାରଣା ଦେଇଛନ୍ତି। ରବୀନ୍ଦ୍ର ୱାକୋଡେ କହିଛନ୍ତି ଯେ ତାଙ୍କ ପୁଅ ନ୍ୟାୟ ନ ପାଇବା ପର୍ଯ୍ୟନ୍ତ ଏବଂ ଦାୟୀ ବ୍ୟକ୍ତିମାନଙ୍କୁ ଦଣ୍ଡ ନ ମିଳିବା ପର୍ଯ୍ୟନ୍ତ ସେ ତାଙ୍କର ପ୍ରତିବାଦ ଜାରି ରଖିବେ। ସାହିଲଙ୍କ ପରିବାର ଅଭିଯୋଗ କରିଛି ଯେ ପ୍ରତିଷ୍ଠିତ ଏହି ଶିକ୍ଷାନୁଷ୍ଠାନରେ ସେ ଜାତିଗତ ଭେଦଭାବର ସମ୍ମୁଖୀନ ହୋଇଥିଲେ।ରବୀନ୍ଦ୍ର ୱାକୋଡେ ରବିବାର କହିଥିଲେ, ‘ମୋତେ ଗିରଫ କଲେ ମଧ୍ୟ ମୋର କିଛି ଯାଏ ଆସେ ନାହିଁ। ମୋ ପୁଅକୁ ସମ୍ବିଧାନ ଅନୁଯାୟୀ ନ୍ୟାୟ ମିଳିବା ଉଚିତ। ଏହା ଛତ୍ରପତି ଶିବାଜୀ, ଫୁଲେ, ଶାହୁ ଏବଂ ଆମ୍ବେଦକରଙ୍କ ରାଜ୍ୟ। ମୁଁ ଆଜାଦ ମଇଦାନରେ ଧାରଣା ଆରମ୍ଭ କରିବି। ନ୍ୟାୟ ପାଇଁ ମୋର ସଂଗ୍ରାମ ଜାରି ରଖିବି। ୨୨ ବର୍ଷୀୟ ସାହିଲ ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ସେପ୍ଟେମ୍ବର ୧୮ ତାରିଖ ସନ୍ଧ୍ୟାରେ ତାଙ୍କୁ ହଷ୍ଟେଲ୍ ରୁମ୍‌ରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହାର କିଛି ଘଣ୍ଟା ପୂର୍ବରୁ ମିଡ୍-ସେମେଷ୍ଟର ପରୀକ୍ଷା ସମୟରେ ସେ ମୋବାଇଲ୍ ଫୋନ୍‌ରେ ଚାଟ୍‌ଜିପିଟି ବ୍ୟବହାର କରୁଥିବା ବେଳେ ଧରାପଡ଼ିଥିବା ଅଭିଯୋଗ ରହିଛି। ଏହି ଆତ୍ମହତ୍ୟା ପାଇଁ ଉସକାଇବା ମାମଲାର ତଦନ୍ତ ମୁମ୍ବାଇ ପୁଲିସର କ୍ରାଇମ୍ ବ୍ରାଞ୍ଚ କରୁଛି। ଏହା ପୂର୍ବରୁ ସାହିଲଙ୍କ ପରିବାର ଗୁରୁବାର ଆଜାଦ ମଇଦାନରେ ଅନଶନ କରିଥିଲେ। ପରେ ରବୀନ୍ଦ୍ର ୱାକୋଡେ ଏବଂ ତାଙ୍କ ପତ୍ନୀ ସୋନାଲୀ ସୋମବାରଠାରୁ ସେଠାରେ ଧାରଣା ଦେବେ ବୋଲି ଘୋଷଣା କରିଥିଲେ। ଆଇଆଇଟି ବମ୍ବେ ବୋର୍ଡ ପୂର୍ବରୁ ସାହିଲଙ୍କ ମୃତ୍ୟୁ ସହ ଜଡ଼ିତ ପରିସ୍ଥିତିର ତଦନ୍ତ ପାଇଁ ୧୦ ଜଣିଆ ଏକ କମିଟି ଗଠନ କରିଥିଲା।ଜାତିଗତ ଭେଦଭାବ ଓ ଆତ୍ମହତ୍ୟା ପାଇଁ ଉସକାଇବା ଅଭିଯୋଗରେ ପୁଲିସ ଏଫ୍‌ଆଇଆର୍‌ରେ ନାମ ଥିବା ଅଧ୍ୟାପକ ପ୍ରଫେସର ସୂର୍ଯ୍ୟନାରାୟଣ ଦୁଲ୍ଲାଙ୍କୁ ନିରପେକ୍ଷ ତଦନ୍ତ ପାଇଁ ଛୁଟିରେ ପଠାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।