ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

Sep 21, 2026 - 08:14
ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯(ବନ୍ଦନା ସେଠୀ): ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ ଛୁଇଁଛି। ଏହା ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ ନେବ। ପରେ ଅଧିକ ଘନୀଭୂତ ହୋଇ ମଙ୍ଗଳବାର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବାର ଅଧିକ ସମ୍ଭାବନା ରହିଛି। ସେହିପରି ଗଭୀର ଅବପାତଟି ୨୩ ତାରିଖ ବୁଧବାର ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟରେ ପହଞ୍ଚିବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗଭୀର ଅବପାତ ବାତ୍ୟାରେ ପରିଣତ ହେବ କି ନାହିଁ, ସେ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କୌଣସି ପୂର୍ବାନୁମାନ ଯଦିଓ ଜାରି କରିନାହିଁ ଲୋକଙ୍କ ମନରେ ବାତ୍ୟାକୁ ନେଇ ଛନକା ପଶିଲାଣି।ଲଘୁଚାପ ପ୍ରଭାବରେ ରାଜ୍ୟରେ ରହିଥିବାବେଳେ ସୋମବାରଠାରୁ ବିଭିନ୍ନ ଜିଲାକୁ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ଗଭୀର ଅବପାତ ସୃଷ୍ଟି ହେବା ପରେ ବୁଧବାରଠାରୁ ୨ଦିନ ପାଇଁ ରାଜ୍ୟର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ସୂଚନା ଦିଆଯାଇଛି।

ଆଞ୍ଚଳିକ ପାଣିପାଗ ବିଭାଗ ତଥ୍ୟ ଅନୁଯାୟୀ, ସୋମବାର ୧୮ ଜିଲାରେ ଝଡ଼ବର୍ଷା ହେବା ନେଇ ଆକଳନ କରାଯାଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲାକୁ ପ୍ରବଳ ଝଡ଼ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲାକୁ ଘଡଘଡି ସହ ଝଡ଼ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।