ଆଜି ଅବପାତ, ୩ ଯାଏ ବର୍ଷା ସମ୍ଭାବନା, ଏହି ସବୁ ଜିଲାକୁ…

Oct 31, 2026 - 07:57
ଆଜି ଅବପାତ, ୩ ଯାଏ ବର୍ଷା ସମ୍ଭାବନା, ଏହି ସବୁ ଜିଲାକୁ…

ଭୁବନେଶ୍ୱର, ୩୧ା୧୦ (ବନ୍ଦନା ସେଠୀ): ବାତ୍ୟା ‘ଅର୍ଣ୍ଣବ’ ପରେ ଜାରି ରହିଥିବା ବର୍ଷା ଯୋଗୁ ଦକ୍ଷିଣ ଓଡ଼ିଶାରେ ବନ୍ୟା ବିଭୀଷିକା ଲାଗି ରହିଛି। ଶୁକ୍ରବାର ବର୍ଷା ପରିମାଣ କମିଥିଲେ ମଧ୍ୟ ସାରା ରାଜ୍ୟରେ ବର୍ଷିଛି। ୨୬ଟି ସ୍ଥାନରେ ପ୍ରବଳ ବର୍ଷା ଓ ୪ଟି ସ୍ଥାନରେ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଏପଟେ ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ଶନିବାର ବେଳକୁ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ଆକଳନ କରାଯାଇଛି। ପରବର୍ତ୍ତୀ ୨ଦିନ ମଧ୍ୟରେ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଆନ୍ଧ୍ର ଉପକୂଳ ଆଡକୁ ଗତି କରିପାରେ। ଅବପାତର ସ୍ଥିତି ଓ ତୀବ୍ରତା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶାବାସୀଙ୍କୁ ପୁଣି ବର୍ଷା ଡର ଘାରିଛି। ଅନ୍ୟପକ୍ଷରେ ‘ଅର୍ଣ୍ଣବ’ ଇତିମଧ୍ୟରେ ଦୁର୍ବଳ ହୋଇ ଲଘୁଚାପ ସ୍ଥିତିକୁ ଫେରିବା ସହ ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ପୂର୍ବ ମଧ୍ୟପ୍ରଦେଶ ଉପରେ ସକ୍ରିୟ ରହିଛି। ଏହା ସହ ଜଡ଼ିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୪.୫ କିମି ଉଚ୍ଚତା ଯାଏ ବିସ୍ତାର କରିଛି।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ଶନିବାର ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଏବଂ ଗଞ୍ଜାମ ଜିଲାକୁ ଝଡ଼ବର୍ଷା ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ଏହି ସମୟରେ ପବନର ସର୍ବାଧିକ ବେଗ ୫୦ କି.ମି. ପର୍ଯ୍ୟନ୍ତ ରହିପାରେ। ରବିବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, କଟକ, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲାକୁ ଝଡ଼ବର୍ଷା ସହ ସର୍ବାଧିକ ୫୦ କି.ମି. ବେଗରେ ପବନ ବହିବା ନେଇ ୟେଲୋ ଓ୍ବାର୍ନିଂ ଦିଆଯାଇଛି।
ପାଣିପାଗ କେନ୍ଦ୍ରର ତଥ୍ୟ ଅନୁସାରେ, ଗତ ୨୪ ଘଣ୍ଟାରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇଛି। ବାଲେଶ୍ୱର ଜିଲାର ଭୋଗରାଇରେ ସର୍ବାଧିକ ୧୮୫ ମି.ମି.ବର୍ଷା ହୋଇଥିବାବେଳେ ଗଞ୍ଜାମ ଜିଲା ପାତ୍ରପୁରରେ ୧୭୩ ମି.ମି., ପୋଲସରାରେ ୧୫୪.୬ ମି.ମି., ପୁରୀ ଜିଲା ନିମାପଡାରେ ୧୫୪.୨ ମି.ମି., ବରଗଡ଼ ଜିଲା ଆମ୍ବଭୋଣାରେ ୧୦୮ ମି.ମି., ସୁନ୍ଦରଗଡ଼ ଜିଲା ହେମଗିରିରେ ୯୦.୬ ମି.ମି., ଗଞ୍ଜାମ ଜିଲା ଧରାକୋଟରେ ୮୯ ମି.ମି., ମୟୂରଭଞ୍ଜ ଜିଲା ଜି.ବି.ନଗରରେ ୮୫ ମି.ମି., ବାଲେଶ୍ୱର ଜିଲା ନୀଳଗିରିରେ ୮୪ ମି.ମି ଓ ଖଇରାରେ ୮୩ ମି.ମି. ବର୍ଷା ହୋଇଥିବା ରେକର୍ଡ କରାଯାଇଛି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।