ଆଜି ପ୍ରଥମ ଦିନିକିଆ: ପେସ୍ ଆଟାକ୍ ଭାରତ ପାଇଁ ଚିନ୍ତାର କାରଣ
ଅକ୍ଲାଣ୍ଡ, ୪ା୧୧: ସ୍ଥାନୀୟ ଇଡେନ୍ ପାର୍କଠାରେ ବୁଧବାର ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ୍ବିଶିଷ୍ଟ ଦିନିକିଆ ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳାଯିବ। କ୍ୟାରିୟରରେ ଅନ୍ତିମଥର ପାଇଁ ନ୍ୟୁଜିଲାଣ୍ଡ ଟୁର୍ କରିଥିବା ଟିମ୍ ଇଣ୍ଡିଆର ଦୁଇ ଷ୍ଟାର୍ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ସଭିଙ୍କ ନଜର ରହିବ। କିନ୍ତୁ ଭାରତର ଅନଭିଜ୍ଞ ବୋଲିଂ ଆକ୍ରମଣ ଯୋଗୁ ଘରୋଇ ନ୍ୟୁଜିଲାଣ୍ଡ ଏହି ସିରିଜ୍ରେ ଫାଇଦାରେ ରହିବ ବୋଲି ଆଶା କରାଯାଉଛି। ଯଶ୍ପ୍ରୀତ ବୁମ୍ରାଙ୍କୁ ଟେଷ୍ଟ ମ୍ୟାଚ୍ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣାଙ୍କୁ ଅନ୍ତର୍ଜାତୀୟ କ୍ରିକେଟ୍କୁ ଫେରିବା ପାଇଁ କିଛି ସପ୍ତାହ ଲାଗିବ। ଏଥିଯୋଗୁ ଅଭିଜ୍ଞ ପେସର ମହମ୍ମଦ ସିରାଜଙ୍କୁ ଅତିରିକ୍ତ ବୋଝ ଉଠାଇବାକୁ ପଡ଼ିବ। ତାଙ୍କ ସହିତ ଦଳରେ ଅର୍ଶଦୀପ ସିଂ(୧୮), ଗୁରନୁର ବ୍ରାର (୯), ଅଂଶୁଲ କମ୍ବୋଜ ଓ ଅକିବ ନବି (ଗୋଟିଏ ଲେଖାଏ) ସ୍ଥାନ ପାଇଛନ୍ତି, ଯେଉଁମାନଙ୍କ ପାଖରେ ମିଳିତ ଭାବେ ୨୯ ଦିନିକିଆ ମ୍ୟାଚ୍ ଖେଳିବାର ଅଭିଜ୍ଞତା ରହିଛି। ଦିନିକିଆ ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ୧୫ ତାରିଖରେ ଖେଳାଯିବାକୁ ଥିବାବେଳେ ପ୍ରଥମ ଟେଷ୍ଟ ୧୯ରୁ ଓ୍ବେଲିଂଟନ୍ଠାରେ ଆରମ୍ଭ ହେବ, ଯାହାକି ଓ୍ବାଲର୍ଡ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲ୍ୟୁଟିସି)ର ଅଂଶବିଶେଷ। ଏଥିଯୋଗୁ ଭାରତ ତା’ର ଶ୍ରେଷ୍ଠ ଦଳ ସହ ଦିନିକିଆ ସିରିଜ୍ ଖେଳିପାରିବ ନାହିଁ। ଏପରିକି ଅଧିନାୟକ ଶୁବମନ ଗିଲ ମଧ୍ୟ ଅନ୍ତିମ ଦୁଇ ଦିନିକିଆ ଖେଳିବେ ନାହିଁ। ଯାହାଫଳରେ ତାଙ୍କୁ ଟେଷ୍ଟ ଲାଗି ପ୍ରସ୍ତୁତି କରିବାକୁ ସମୟ ମିଳିବ। ଏ ସମ୍ପର୍କରେ ଗିଲ କହିଛନ୍ତି, ଉଭୟ ଫର୍ମାଟ୍ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ। ଦୁର୍ଭାଗ୍ୟବଶତଃ, ଟେଷ୍ଟ ଦଳର ଅଂଶ ଥିବା କିଛି ଖେଳାଳି ଅନ୍ତିମ ଦୁଇ ଦିନିକିଆ ମିସ୍ କରିବେ। ଅଷ୍ଟ୍ରେଲିଆକୁ ହରାଇ ଦ. ଆଫ୍ରିକା ସିରିଜ୍ ଜିତିବାରୁ ଡବ୍ଲ୍ୟୁଟିସିରେ ଖୁବ୍ ରୋଚକ ସ୍ଥିତି ସୃଷ୍ଟି ହୋଇଛି। ଏଠାରେ ଟେଷ୍ଟ ସିରିଜ୍ରେ ଭଲ ଖେଳିବା ପରେ ଅଷ୍ଟ୍ରେଲିଆକୁ ହରାଇ ଆମେ ଫାଇନାଲ ଖେଳିବାକୁ ଆଶା ରଖିଛୁ। ଉଲ୍ଲେଖଯୋଗ୍ୟ, ଭାରତକୁ ଡବ୍ଲ୍ୟୁଟିସି ଫାଇନାଲରେ ପ୍ରବେଶ କରିବା ପାଇଁ ବଳକା ୭ରୁ ୬ ମ୍ୟାଚ୍ ଜିତିବାକୁ ପଡ଼ିବ।
ଟିମ୍ କମ୍ବିନେଶନ
ଦିନିକିଆରେ ଭାରତର ଟପ୍ ୫ ପ୍ରାୟ ଧାର୍ଯ୍ୟ ଥାନ୍ତି। ରୋହିତ ଓ ଅଧିନାୟକ ଗିଲ ଓପ୍ନିଂ କରନ୍ତି, ନଂ.୩ରେ କୋହଲି, ନଂ-୪ରେ ଉପଅଧିନାୟକ ଶ୍ରେୟସ ଆୟାର ଓ ଉଇକେଟ୍କିପର ବ୍ୟାଟର ଲୋକେଶ ରାହୁଲ ନଂ.୫ରେ ଖେଳନ୍ତି। କେବଳ ପ୍ରଥମ ଦିନିକିଆ ପାଇଁ ଉପଲବ୍ଧ ଥିବା ଅଲରାଉଣ୍ଡର ଅକ୍ଷର ପଟେଲ ଓ ନୀତୀଶ କୁମାର ରେଡ୍ଡୀ ଷଷ୍ଠ ଓ ସପ୍ତମ କ୍ରମରେ ଖେଳିବେ। ହର୍ଷିତ ଉପଲବ୍ଧ ନ ଥିବାରୁ କମ୍ବୋଜଙ୍କ ବଡ଼ ଶଟ୍ ଖେଳିବାର ଦକ୍ଷତା କାରଣରୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କୁ ନଂ.୮ରେ ବ୍ୟବହାର କରିପାରେ। ପେସର ଭାବେ ସିରାଜଙ୍କ ସହିତ ଅର୍ଶଦୀପ ଓ ଗୁରନୁର ଖେଳିପାରନ୍ତି। ଦଳରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତି କାରଣରୁ କୁଲଦୀପ ଯାଦବଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳୁନାହିଁ। କିନ୍ତୁ ୧୧ରୁ ୪୦ ପର୍ଯ୍ୟନ୍ତ ମିଡଲ ଓଭରରେ କୁଲଦୀପ ଏକ ଭଲ ଆଟାକିଂ ବିକଳ୍ପ ହୋଇପାରନ୍ତି। ହେଲେ ଇଡେନ୍ ପାର୍କର ସିଧା ବାଉଣ୍ଡ୍ରି ମାତ୍ର ୫୫ ମିଟର ଥିବାରୁ ଅତିରିକ୍ତ ସ୍ପିନରଙ୍କୁ ଖେଳାଇବା ସହଜ ହେବ ନାହିଁ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।