ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

Oct 03, 2026 - 08:10
ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ ଦୁଇଟି ଭିନ୍ନ ଦେଶ ବିପକ୍ଷରେ ମ୍ୟାଚ ଖେଳିବ। ପ୍ରଥମେ ଜାପାନରେ ଏସିଆନ ଗେମ୍ସ ୨୦୨୬ର କ୍ରିକେଟ ଫାଇନାଲରେ ଭାରତର ଟି-୨୦ ଟିମ ପାକିସ୍ତାନକୁ ଭେଟିବ। ଏହାପରେ ଦିନରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ ଖେଳିବ ଭାରତ। ତେବେ ଗୋଟିଏ ଦିନରେ ଦୁଇଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିବା ଭାରତ ପାଇଁ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ୧୯୯୮ରେ ମଧ୍ୟ ଟିମ ଇଣ୍ଡିଆ ଗୋଟିଏ ଦିନରେ ଦୁଇଟି ମ୍ୟାଚ ଖେଳିଥିଲା।
ଭାରତୀୟ କ୍ରିକେଟ ଇତିହାସରେ ୧୨ ସେପ୍ଟେମ୍ବର ୧୯୯୮ରେ ଏଭଳି ଘଟଣା ଘଟିଥିଲା। ସେତେବେଳେ କମନୱେଲଥ ଗେମ୍ସରେ ଭାରତ ମ୍ୟାଚ ଖେଳିଥିବା ବେଳେ ସେହି ଦିନ ସାହାରା କପ୍‌ରେ ପାକିସ୍ତାନ ବିପକ୍ଷରେ ମଧ୍ୟ ମ୍ୟାଚ ଖେଳିଥିଲା। ବିଶେଷ କଥା ହେଉଛି, ଉଭୟ ମ୍ୟାଚ୍‌ରେ ଭାରତ ବିଜୟୀ ହୋଇଥିଲା। ପ୍ରାୟ ୨୮ ବର୍ଷ ପରେ ପୁଣି ଥରେ ଇତିହାସ ଦୋହରାଇବାକୁ ଯାଉଛି। ଏବେ ନଜର ରହିବ ଯେ, ୧୯୯୮ ଭଳି ଏଥର ମଧ୍ୟ ଭାରତ ଗୋଟିଏ ଦିନରେ ଖେଳିବାକୁ ଥିବା ଦୁଇଟି ମ୍ୟାଚ୍‌ରେ ବିଜୟ ହାସଲ କରିପାରୁଛି କି ନାହିଁ।

ଏସିଆନ ଗେମ୍ସ ୨୦୨୬ର କ୍ରିକେଟ ଇଭେଣ୍ଟର ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ଗୋଲ୍ଡ ମେଡାଲ ପାଇଁ ଏହି ମ୍ୟାଚ ଜାପାନର ନିଶିନ୍ସ୍ଥିତ କୋରୋଗି ସ୍ପୋଟର୍‌ସ ପାର୍କରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ମ୍ୟାଚ୍ ସକାଳ ୧୦ଟାରୁ ଆରମ୍ଭ ହେବ। ଫାଇନାଲ ଜିତିବା ଦଳ ଗୋଲ୍ଡ ମେଡାଲ ହାସଲ କରିବ। ପରାଜିତ ଦଳକୁ ସିଲଭର ମେଡାଲରେ ସନ୍ତୁଷ୍ଟ ହେବାକୁ ପଡ଼ିବ।
ଏସିଆନ ଗେମ୍ସ ଫାଇନାଲ ବ୍ୟତୀତ ଶନିବାର ୱେଷ୍ଟଇଣ୍ଡିଜ ବିପକ୍ଷରେ ତୃତୀୟ ଦିନିକିଆ ମ୍ୟାଚ ମଧ୍ୟ ଖେଳିବ ଭାରତୀୟ ଦଳ। ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ।

ମ୍ୟାଚ୍ର ଟସ ଅପରାହ୍ନ ୧ଟା ୩୦ରେ ହେବ ଏବଂ ଖେଳ ୨ଟାରୁ ଆରମ୍ଭ ହେବ। ତିନି ମ୍ୟାଚ୍‌ର ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ତେଣୁ ୱେଷ୍ଟଇଣ୍ଡିଜ ସିରିଜ୍‌ରେ କ୍ଲିନ ସ୍ବିପ୍‌ରୁ ବଞ୍ଚିବାକୁ ଚେଷ୍ଟା କରିବ। ଅନ୍ୟପଟେ ଭାରତୀୟ ଦଳର ନଜର ସିରିଜକୁ ୩-୦ରେ ଜିତି କ୍ଲିନ ସ୍ବିପ୍‌ କରିବା ଉପରେ ରହିବ।

ଗୋଟିଏ ଦିନରେ ଦୁଇଟି ଭିନ୍ନ ଦେଶ ବିପକ୍ଷରେ ଦୁଇଟି ବଡ଼ ମୁକାବିଲା। ତେଣୁ ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଶନିବାରର ଦିନଟି ନିଶ୍ଚିତ ଭାବେ ରୋମାଞ୍ଚକର ରହିବ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।