ଆଜିଠୁ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ, ଜ୍ଞାନେଶଙ୍କୁ ଦେଶଦ୍ରୋହୀ ଆଖ୍ୟାଦେଲେ ରାହୁଲ
ନୂଆଦିଲ୍ଲୀ,୨୫।୯(ପି.ଟି.): ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ନିର୍ବାଚନ ଆୟୋଗରେ ଗୁରୁତର ମତଭେଦ ସାମ୍ନାକୁ ଆସିଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ଏକଚାଟିଆ କାର୍ଯ୍ୟକୁ ଅନ୍ୟ ଦୁଇ ନିର୍ବାଚନ ଆୟୁକ୍ତ ସୁଖବୀର ସିଂହ ସାନ୍ଧୁ ଏବଂ ବିବେକ ଜୋଷୀ ଅନେକ ଥର ବିରୋଧ କରିଛନ୍ତି। ଏହି ଖବର ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଏସ୍ଆଇଆର୍ ପ୍ରକ୍ରିୟା ଏବଂ ସିଇସି ଜ୍ଞାନେଶଙ୍କ ଭୂମିକା ନେଇ ବଡ଼ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ବିରୋଧୀ ଦଳଗୁଡ଼ିକ ସିଇସିଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପରିକି ଭୋଟର ତାଲିକା ହେରଫେର ଓ ‘ଭୋଟ ଚୋରି’ ଅଭିଯୋଗକୁ ନେଇ କଂଗ୍ରେସ ସିଇସି ଜ୍ଞାନେଶ କୁମାରଙ୍କୁ ତୁରନ୍ତ ପଦବୀରୁ ବହିଷ୍କାର, ଗିରଫଦାରି ଏବଂ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିର ସ୍ବାଧୀନ ତଦନ୍ତ ଦାବି କରିଛି। ଏଥିପାଇଁ ଶୁକ୍ରବାର ୨୫ ତାରିଖଠାରୁ ସାରା ଦେଶରେ ୨ ପର୍ଯ୍ୟାୟରେ ବ୍ୟାପକ ଆନ୍ଦୋଳନ କରିବାକୁ ଦଳ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ସାଧାରଣ ସମ୍ପାଦକ (ସଂଗଠନ) କେ. ସି. ବେଣୁଗୋପାଳଙ୍କ ସୂଚନା ଅନୁସାରେ, ଶୁକ୍ରବାର ସମସ୍ତ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ନିଜ ନିଜ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବିଶାଳ ପ୍ରତିବାଦ ଶୋଭାଯାତ୍ରା କରାଯିବ।
ସେହିପରି ଆସନ୍ତା ୨୮ ତାରିଖରେ ସମସ୍ତ ଜିଲା କଂଗ୍ରେସ କମିଟି (ଡିସିସି) ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୃହତ୍ ପ୍ରତିବାଦ ପ୍ରଦର୍ଶନ କରାଯିବ।
ଏହି ଏସ୍ଆଇଆର୍ ବିବାଦକୁ ନେଇ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ସିଇସି ଜ୍ଞାନେଶ କୁମାରଙ୍କୁ ‘ଦେଶଦ୍ରୋହୀ’ ବୋଲି ଅଭିହିତ କରିଛନ୍ତି। ନିର୍ବାଚନ ପ୍ରକ୍ରିୟା ଓ ନାଗରିକଙ୍କ ଭୋଟ ଅଧିକାରକୁ ନଷ୍ଟ କରାଯାଉଥିବା ଅଭିଯୋଗ କରି ସେ ସିଇସିଙ୍କ ତୁରନ୍ତ ଇସ୍ତଫା ଦାବି କରିଛନ୍ତି। ନୂଆଦିଲ୍ଲୀସ୍ଥିତ ଇନ୍ଦିରା ଭବନରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ରାହୁଲ କହିଛନ୍ତି, ଏହା ଦେଶର ସମ୍ବିଧାନ ଓ ଆଇନଗତ ବ୍ୟବସ୍ଥା ଉପରେ ଏକ ବଡ଼ ଆକ୍ରମଣ ଏବଂ ଏଥିପାଇଁ ଦାୟୀ ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଂଗ୍ରେସ ନେତା ବେଣୁଗୋପାଳ କହିଛନ୍ତି, ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଥମ ଦିନରୁ ଭାଜପା ନିୟନ୍ତ୍ରିତ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ମାଧ୍ୟମରେ ହେଉଥିବା ‘ବ୍ୟାପକ ଭୋଟ ଚୋରି’କୁ ପଦାରେ ପକାଇ ଆସୁଛନ୍ତି। ନିର୍ବାଚନ ଆୟୋଗଙ୍କ ଆଭ୍ୟନ୍ତରୀଣ ତଥ୍ୟ ସାମ୍ନାକୁ ଆସିବା ପରେ ସିଇସିଙ୍କ ବିରୋଧରେ ଗଣତନ୍ତ୍ର ବିରୋଧୀ କାର୍ଯ୍ୟର ପ୍ରମାଣ ମିଳିସାରିଛି। ଯେଉଁ ପର୍ଯ୍ୟନ୍ତ ଜ୍ଞାନେଶ କୁମାରଙ୍କୁ ପଦବୀରୁ ହଟା ନ ଯାଇଛି, ଜେଲ ପଠା ନ ଯାଇଛି ଏବଂ ସମସ୍ତ ନିଷ୍ପତ୍ତି ପ୍ରତ୍ୟାହାର କରା ନ ଯାଇଛି, ସେପର୍ଯ୍ୟନ୍ତ କଂଗ୍ରେସର ପ୍ରତିବାଦ ନୀରବଚ୍ଛିନ୍ନ ଭାବେ ଜାରି ରହିବ ବୋଲି ବେଣୁଗୋପାଳ କହିଛନ୍ତି।
ଅନ୍ୟପକ୍ଷରେ ସିପିଆଇ(ଏମ୍), ସିପିଆଇ, ସିପିଆଇ(ଏମ୍ଏଲ୍), ଆର୍ଏସ୍ପି ଏବଂ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ ଭଳି ୫ଟି ବାମପନ୍ଥୀ ଦଳ ମିଳିତ ଭାବେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିଯୁକ୍ତି ପଦ୍ଧତିରେ ସଂସ୍କାର ଏବଂ ଏସ୍ଆଇଆର୍ ପ୍ରକ୍ରିୟାକୁ ତୁରନ୍ତ ସ୍ଥଗିତ ରଖିବାକୁ ଦାବି କରିଛନ୍ତି। ଏଥିପାଇଁ ସେପ୍ଟେମ୍ବର ୨୬ (ଭଗତ ସିଂହଙ୍କ ଜୟନ୍ତୀ)ରୁ ଅକ୍ଟୋବର ୨ (ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ) ପର୍ଯ୍ୟନ୍ତ ସାରା ଦେଶରେ ସପ୍ତାହବ୍ୟାପୀ ଗଣ ଆନ୍ଦୋଳନ କରାଯିବ ବୋଲି ଘୋଷଣା କରାଯାଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ଏ.କେ. ଗୋପାଳନ ଭବନରେ ସିପିଆଇ(ଏମ୍) ସାଧାରଣ ସମ୍ପାଦକ ଏମ୍. ଏ. ବେବି, ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା ଏବଂ ସିପିଆଇ(ଏମ୍ଏଲ୍)-ଲିବରେଶନ ସାଧାରଣ ସମ୍ପାଦକ ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କ ମଧ୍ୟରେ ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ପରେ ୫ ବାମ ଦଳ ପକ୍ଷରୁ ଏକ ମିଳିତ ବିବୃତ୍ତି ଜାରି କରାଯାଇଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।